ଭୁବନେଶ୍ୱର,୧୭/୦୯/୨୦୨୨(ଓଡ଼ିଶା ସମାଚାର)-ବିଶିଷ୍ଟ କୃଷି ବୈଜ୍ଞାନିକ, ପ୍ରଜାମଣ୍ଡଳ ଓ କୃଷକ ଆନ୍ଦୋଳନ ନେତା, ପୂର୍ବତନ ବିଧାୟକ ଓ ସାଂସଦ, ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ୬୫ତମ ଶ୍ରାଦ୍ଧୋତ୍ସବ ଅବସରରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଏକ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ ଓ ଆଲୋଚନାଚକ୍ର ଭାରପ୍ରାପ୍ତ ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ତଥା ସାମାଜିକ ସଙ୍ଗଠକ ମାନବେନ୍ଦ୍ର ମିଶ୍ର, ଗ୍ରନ୍ଥାଗାରିକ ପଦ୍ମନାଭ ଜେନା, ରୁଦ୍ରପ୍ରସାଦ ବେହେରା, ସଳିତାପାତ୍ର, ମଞ୍ଜୁରାଣୀ ମୁଦୁଲି, ବିଦ୍ୟାଧର ପଣ୍ଡା, କଣ୍ଠମଣି ବିଶ୍ୱାଳ ପ୍ରମୁଖ ନିଜ ବକ୍ତବ୍ୟରେ ଢେଙ୍କାନାଳ ଗଡ଼ଜାତର ହରେକୃଷ୍ଣପୁତ୍ର ଗ୍ରାମର ଏକ ଦରିଦ୍ର କୃଷକ ପରିବାରରେ ଜନ୍ମହୋଇ ପ୍ରତିକୂଳ ପରିବେଶରେ ରେଭେନ୍ସା କଲେଜରୁ ସ୍ନାତକ ଶିକ୍ଷା କରି ଉତ୍କଳମଣି ଗୋପବନ୍ଧୁ ଦାସ, ଆଚାର୍ଯ୍ୟ ହରିହର ଦାସ, ପ୍ୟାରୀମୋହନ ଆଚାର୍ଯ୍ୟ ଓ ଢେଙ୍କାନାଳ ରାଜାଙ୍କ ଆର୍ଥିକ ସହାୟତାରେ ଜାପାନ ଓ ପରେ ଆମେରିକାର କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରୁ କୃଷି ରସାୟନରେ ଉଚ୍ଚଶିକ୍ଷା ଲାଭ କରି ଆମେରିକାରେ ଉଚ୍ଚ ବେତନରେ ଚାକିରୀ କରି ବିଦେଶିନୀ ଚିତ୍ରଶିଳ୍ପୀ ପତ୍ନୀ ଫି୍ରଦାଙ୍କ ସହ ବିଳାସମୟ ଜୀବନ ଯାପନ କରୁଥିବା ସାରଙ୍ଗଧର ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଦେଶ ତ୍ୟାଗ କରି କଂଗ୍ରେସରେ ଯୋଗ ଦେଇ ଢେଙ୍କାନାଳ ରାଜ ଅତ୍ୟାଚାର ବିରୁଦ୍ଧରେ ଦୁର୍ବାର ପ୍ରଜାମଣ୍ଡଳ ଆନ୍ଦୋଳନ କରି ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇ ଅକଥନୀୟ ନିର୍ଯ୍ୟାତନା ଭୋଗ କରିଥିଲେ । ଏହା ବ୍ୟତୀତ କୃଷକ ସଙ୍ଗଠନ କରିବା ସହିତ କୃଷକ ପତି୍ରକାର ସମ୍ପାଦନ କରି ଲଣ୍ଡା ଦେହୁରୀ ଛଦ୍ମନାମରେ ଖବରକାଗଜ ଓ ପତ୍ରପତି୍ରକାରେ ଲେଖୁଥିଲେ । ପରେ ଏରସମାରୁ ବିଧାୟକ ନିର୍ବାଚିତ ହୋଇଥିଲେ ଏବଂ କଂଗ୍ରେସ ଚିନ୍ତାଧାରାରେ ତାଙ୍କର ବିଶ୍ୱାସ ନଥିବାରୁ ସେ କଂଗ୍ରେସ ଓ ବିଧାୟକ ପଦ ତ୍ୟାଗ କରି ଉଚ୍ଛ ମୂଲ୍ୟବୋଧର ପ୍ରମାଣ ଦେଇଥିଲେ ସୋସାଲିଷ୍ଟ ପାର୍ଟିରେ ଯୋଗଦେଇ ଢେଙ୍କାନାଳରୁ ପ୍ରଥମ ଲୋକସଭା ନିର୍ବାଚନରେ ଢେଙ୍କାନାଳରୁ ସାଂସଦ ଭାବେ ଲୋକସଭାକୁ ନିର୍ବାଚିତ ହୋଇ ହୀରାକୁଦ ନଦୀବନ୍ଧ ପ୍ରକଳ୍ପ ଓ ବହୁ ଜନକଲ୍ୟାଣ ଯୋଜନା ପାଇଁ ଦାବି କରିଥିଲେ । ୧୯୫୭ ମାସ ଅକ୍ଟୋବର ୧୯ ତାରିଖରେ ତାଙ୍କ ପରଲୋକ ପୂର୍ବରୁ ସେ ତାଙ୍କ ସମସ୍ତ ସମ୍ପତି ଏକ ଟ୍ରଷ୍ଟକୁ ଦାନ କରିଥିଲେ । ତାଙ୍କର ତ୍ୟାଗ ଅତୁଳନୀୟ । ଉପେନ୍ଦ୍ର ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ ।