Saturday , June 10 2023
Breaking News
Home / ଶିକ୍ଷା / ଛାତ୍ରଛାତ୍ରୀମାନଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଅଧିକ ବ୍ୟୟବରାଦ କରିବାକୁ ଦାବି

ଛାତ୍ରଛାତ୍ରୀମାନଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଅଧିକ ବ୍ୟୟବରାଦ କରିବାକୁ ଦାବି

ଭୁବନେଶ୍ୱର,୧୭/୦୯/୨୦୨୨(ଓଡ଼ିଶା ସମାଚାର)- ଛାତ୍ରଛାତ୍ରୀମାନଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଏକ ଉତମ ଯୋଜନା ହୋଇଥିବା ବେଳେ ଏହା ବର୍ତମାନ ବାଟବଣା ହେବାକୁ ବସିଲାଣି । ଆମ ରାଜ୍ୟ ସରକାର ରାଜ୍ୟରେ ଶିକ୍ଷକମାରଣ ନୀତି ଚାଲୁ ରଖିଥିବା ବେଳେ ଏବେ ଛାତ୍ରଛାତ୍ରୀ ମାରଣ ନୀତି ଆରମ୍ଭ କରିଛନ୍ତି । ପ୍ରଥମରୁ ପଂଚମ ଶ୍ରେଣୀ ବିଶିଷ୍ଟ ପ୍ରତ୍ୟେକ ପିଲାଙ୍କ ପାଇଁ ୫ ଟଙ୍କା ୪୨ ପଇସା ଓ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ବିଶିଷ୍ଟ ବିଦ୍ୟାଳୟର ପ୍ରତି ପିଲାଙ୍କ ପାଇଁ ୮ ଟଙ୍କା ୧୦ ପଇସା ମଧ୍ୟାହ୍ନ ଭୋଜନ ପାଇଁ ଯାହା ବ୍ୟୟବରାଦ କରାଯାଇଛି ତାହା ସମୁଦ୍ରକୁ ଶେଙ୍ଖ ପରି ମନେ ହେଉଛି । ବର୍ତମାନ ପରିସ୍ଥିତିରେ ରାସନ ସାମଗ୍ରୀ ଓ ଅଣ୍ଡା ର ବଜାର ଦର ବଢିଥିବାରୁ ଶିକ୍ଷକମାନଙ୍କ ପକ୍ଷରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି କଷ୍ଟସାଧ୍ୟ ହେଉଛି । କମ୍ ବ୍ୟୟ ବରାଦ ଯୋଗୁ ମଧ୍ୟାହ୍ନ ଭୋଜନ ନିମ୍ନମାନର ହେଉଛି । ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ପୁଷ୍ଟିକର ଖାଦ୍ୟ ବିନା ମାନସିକ, ଶାରୀରିକ ଓ ବୌଦ୍ଧିକ ଅନଗ୍ରସର ହେଉଛନ୍ତି । ଗୋଟିଏ ଚକୋଲେଟର ଦାମ ୫ ଟଙ୍କା ହୋଇଥିବା ବେଳେ ୫ ଟଙ୍କାରେ କିପରି ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି କରାଯିବ ଏଥିନେଇ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ, ଓଡ଼ିଶା (ପିଷ୍ଟା) ସରକାରଙ୍କୁ ପ୍ରଶ୍ନ କରିଛି । ତାମିଲନାଡ଼ୁ ସରକାର ଛାତ୍ରଛାତ୍ରୀମାନଙ୍କ ସକାଳ ଜଳଖିଆ ପାଇଁ ୧୨ ଟଙ୍କା ୫୦ ପଇସା ବ୍ୟୟ ବରାଦ କରୁଥିବା ବେଳେ ଆମ ରାଜ୍ୟ ସରକାର ମଧ୍ୟାହ୍ନ ଭୋଜନ ପାଇଁ ଯାହା ବ୍ୟୟ ବରାଦ କରୁଛନ୍ତି ତାହା ନନ୍ଦନକାନରେ ରହୁ୍ଥିବା ପ୍ରତ୍ୟେକ ବନ୍ୟପ୍ରାଣୀଙ୍କ ଦୈନିକ ଭୋଜନର ବ୍ୟୟ ବରାଦ ଠାରୁ ଅତି ନଗଣ୍ୟ । ଗୋଟିଏ ପଟେ କମ୍ ବ୍ୟୟବରାଦ ଓ ଅନ୍ୟ ପଟରେ ଏପି୍ରଲ ମାସଠାରୁ ଆଜି ପର୍ଯ୍ୟନ୍ତ ସାଢେ ପାଂଚମାସ ହେବ ମଧ୍ୟାହ୍ନ ଭୋଜନ ପାଇଁ ବକେୟା ଟଙ୍କା ମିଳିନାହିଁ । ଯାହାଫଳରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟାହ୍ନ ଭୋଜନ ପାଇଁ ପକେଟରୁ ଟଙ୍କା ଖର୍ଚ୍ଚ କରି ନୟାନ୍ତ ହେଲେଣି । ଗତମାସ ୨୩ ତାରିଖରେ ଗଣଶିକ୍ଷା ମନ୍ତ୍ରୀ ଓ ଚଳିତମାସ ୩ ତାରିଖରେ ସଂଘ ତରଫରୁ କମିଶନର ତଥା ସଚିବ ଗଣଶିକ୍ଷା ବିଭାଗକୁ ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ । ପୁନଶ୍ଚ ଶିକ୍ଷା ଅଧିକାର ଆଇନ୍ ୨୦୦୯ ଓ ଅଧିନିୟମ ୨୦୧୦ରେ ଉଲ୍ଲେଖ ଅଛି ଯେ, ଶିକ୍ଷକମାନେ ନିର୍ବାଚନ କାର୍ଯ୍ୟ, ୧୦ବର୍ଷିଆ ଜନଗଣନା ଓ ବିପର୍ଯ୍ୟୟ ପ୍ରଶମନ ସହାୟତା ବ୍ୟତୀତ ଅନ୍ୟ କୌଣସି ଅଣଶିକ୍ଷା କାର୍ଯ୍ୟ କରିବେ ନାହିଁ । କିନ୍ତୁ ଆମ ରାଜ୍ୟ ସରକାର ମଧ୍ୟାହ୍ନ ଭୋଜନ ଭଳି ଅଣଶିକ୍ଷା କାର୍ଯ୍ୟରେ ଶିକ୍ଷକମାନଙ୍କୁ ନିୟୋଜିତ କରିଥିବାରୁ ବିଦ୍ୟାଳୟରେ ସଠିକ୍ ଶିକ୍ଷାଦାନ ହୋଇପାରୁ ନାହିଁ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ସର୍ବସାଧାରଣରେ ନିନ୍ଦିତ ହେଉଛନ୍ତି । ଶନିବାର ଦିନ ସଂଘ ତରଫରୁ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା, ସାଧାରଣ ସମ୍ପାଦକ ବିଭୂ ପ୍ରସାଦ ସାହୁ ଓ କୋଷାଧ୍ୟକ୍ଷ ଗୋପାଳ କିଶୋର ସେନ ମଧ୍ୟାହ୍ନ ଭୋଜନ ରାଜ୍ୟ ପ୍ରକଳ୍ପ ନିର୍ଦ୍ଧେଶକ ରଘୁରାମ ଆୟରଙ୍କୁ ଭେଟି ମଧ୍ୟାହ୍ନ ଭୋଜନ ବ୍ୟୟବରାଦ ବୃଦ୍ଧି କରିବା, ବକେୟା ଅର୍ଥ ପ୍ରଦାନ କରିବା ସହିତ ମଧ୍ୟାହ୍ନ ଭୋଜନକୁ ସୁବନ୍ଦୋବସ୍ତ କରି ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଶିକ୍ଷକମାନଙ୍କୁ ଏହି ଅଣଶିକ୍ଷା କାର୍ଯ୍ୟରୁ ତୁରନ୍ତ ମୁକ୍ତ କରିବାକୁ ଦାବିପତ୍ର ପ୍ରଦାନ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.