Thursday , June 1 2023
Breaking News
Home / ବିଶେଷ / ଆଜି ମାଆ ଲଙ୍କେଶ୍ଵରୀ ଦେବୀଙ୍କ ଖଣ୍ଡାବସା ଯାତ୍ରା

ଆଜି ମାଆ ଲଙ୍କେଶ୍ଵରୀ ଦେବୀଙ୍କ ଖଣ୍ଡାବସା ଯାତ୍ରା

ଜୁନାଗଡ଼, ୧୭/୦୯/୨୦୨୨ (ଓଡ଼ିଶା ସମାଚାର /ରାକେଶ ବେମାଲ )- ଆଜି ମା ଲଙ୍କେଶ୍ଵରୀ ଦେବୀଙ୍କ ଖଣ୍ଡାବସା ଯାତ୍ରା। ଚଳଚଞ୍ଚଳ ଜୁନାଗଡ଼ ସହର। କଳାହାଣ୍ଡି ଜିଲ୍ଲାର ଐତିହାସିକ ସହର ଜୁନାଗଡ଼। ଶାରଦୀୟ ଦୁର୍ଗାପୂଜା ର ଅବ୍ୟବହିତ ପୂର୍ବରୁ ଜୁନାଗଡ଼ ସହରରେ ମାଆ ଲଙ୍କେଶ୍ଵରୀ ଦେବୀଙ୍କ ଏହି ଯାତ୍ରା ପାଇଁ ବହୁ ଭକ୍ତ ଙ୍କ ଜନସମାଗମ ହେଇଥାଏ। କରୋନା କଟକଣା ଯୋଗୁଁ ବିନା ଭକ୍ତରେ ଏହି ପର୍ବ ପାଳିତ ହୋଇଥିଲା।କଟକଣା ହଟି ଯାଇଛି ,ତେଣୁ ମାଆ ଙ୍କ ଏହି ଯାତ୍ରା ଦେଖିବା ପାଇଁ ଭକ୍ତଙ୍କ ପ୍ରବଳ ଉତ୍ସାହ ରହିଛି। ଆଜି କଳାହାଣ୍ଡିର ସର୍ବପୁରାତନ ମନ୍ଦିର ମାଳିନି ସହର ଜୁନାଗଡର ଅଧୀଷ୍ଠାତ୍ରୀ ଦେବୀ ମାଁ ଲଙ୍କେଶ୍ୱରୀଙ୍କ ପୀଠରେ ମଧ୍ୟ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ଏଠାରେ ମାଙ୍କ ବାର ମାସରେ ତେର ପର୍ବ ପଳିତ ହୋଇଥାଏ ସେଥିମଧ୍ୟରୁ ଖଣ୍ଡାବସା ଯାତ୍ରା ଅନ୍ୟତମ । ଏହି ଯାତ୍ରା ଆଶ୍ୱିନ ମାସ ମୂଳାଷ୍ଟମୀରୁ ୧୬ ଦିନ ଧରି ଚାଲିଥାଏ । କିମ୍ବଦନ୍ତୀ ଅନୁଯାୟୀ ପୁରାତନ କାଳରୁ ନାଗବଂଶୀୟ ରାଜା ଯୁଦ୍ଧକୁ ଯିବା ପୂର୍ବରୁ ଶତ୍ରୁକୁ ପରାସ୍ତ କରିବା ପାଇଁ ମା ଲଙ୍କେଶ୍ୱରିଙ୍କୁ ସୁମରଣ କରିନ୍ତି । ସେହି ଦିନ ଠାରୁ ଏହି ଖଣ୍ଡା ବସା ଯାତ୍ରା ପାଳନ ହୋଇଆସୁଛି ।
ଜୁନାଗଡ ଡାକ ବଗଂଳାରେ ଥିବା ଭଣ୍ଡାରଘରଣୀଙ୍କ ଠାରେ ଏକ ପତ୍ର କୁଡିଆ କରାଯାଇଥାଏ । ସେଠାରେ ମାଁ ଭଣ୍ଡାରଘରଣୀଙ୍କୁ ପୂଜା କଲା ପରେ ବୁଢାରଜାଙ୍କ ମନ୍ଦିରରୁ ଖଣ୍ଡା ଭଣ୍ଡାରଘରଣୀଙ୍କ ନିକଟକୁ ବିଜେ କରିଥାନ୍ତି । ସେହିଭଳି ମାଁ ଲଙ୍କେଶ୍ୱରୀଙ୍କ ମନ୍ଦିରରୁ ମାଁଙ୍କର ଜୟା ଓ ବିଜୟା ନାମକ ପାଟଖଣ୍ଡାକୁ ଡାକବଗଂଳା ଠାରେ ଥିବା ପତ୍ର କୁଡିଆ କୁ ବିଜେ କରାଯାଇଥାଏ । ଏହା ପରେ ବଣିଆ ସଂପ୍ରଦାୟ ସେବାୟତ ତିନୋଟି ଖଣ୍ଡା କୁ ମାର୍ଜିନା କରିଥାଥାନ୍ତି । ମାର୍ଜନା ପରେ ସେଠାରୁ ତିନି ଜଣ ପୁଜକ, ତିନି ଗୋଟି ଖଣ୍ଡା ଧରି ନିଜ ନିଜ ମନ୍ଦିରକୁ କଳାହାଣ୍ଡିର ବାଦ୍ୟ ଘୁମୁରାର ତାଳେ ତାଳେ ଶତାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ମନ୍ଦିରକୁ ପ୍ରତ୍ୟାବର୍ତନ କରିଥାନ୍ତି । ଗୋଟାଏ ଖଣ୍ଡା ବୁଢାରଜା ମନ୍ଦିର କୁ ପ୍ରତ୍ୟାବର୍ତନ କରୁଥିବା ବେଳେ ଅନ୍ୟ ଦୁଇ ଗୋଟି ଖଣ୍ଡା ମାଁ ଲଙ୍କେଶ୍ୱରୀଙ୍କ ମନ୍ଦିରକୁ ପ୍ରତ୍ୟାବର୍ତନ କରିଥାଏ । ଏହାପରେ କଳାହାଣ୍ଡି ମହାରାଜଙ୍କ ମନ୍ଦିରକୁ ଯାଇଥାଏ ।

କଳାହାଣ୍ଡି ମହାରାଜ ମନ୍ଦିରକୁ ବିଜେ କଲାପରେ ଶୁଭ ମୁହୂର୍ତ୍ତ ଦେଖି ଖଣ୍ଡା ଦ୍ୱୟ କୁ ୧୬ କୁଣ୍ଡି ଅରୁଆ ଚାଉଳ ଉପରେ ବସାଇ ଅଖଣ୍ଡ ଓ ମହାଯୋଗ ନାମକ ଦୁଇଗୋଟି ପ୍ରଦ୍ୱିପ ପ୍ରଜ୍ୱଳନ କରି ଗୁପ୍ତନିତିରେ ପୂଜାକାର୍ୟ୍ୟ ଚାଲେ । ଏହା ପରେ ନିର୍ଘଣ୍ଟ ସମୟରେ ପଶୁବଳି ପଡିବା ପରେ ନିଶାର୍ଦ୍ଧ ରାତ୍ରିରେ ଷୋଡଶ ଉପଚାର ପୂଜା ସମାପନ ହୋଇଥାଏ । ଏହି ଅବସରରେ ମାଆ ଙ୍କ ଦର୍ଶନ,ଫୁଟବଲ ଖେଳ ଓ ସାଂସ୍କୃତିକ କାର୍ୟ୍ୟକ୍ରମ ଦେଖିବା ପାଇଁ କଳାହାଣ୍ଡି ତଥା ପଡୋଶୀ ଜିଲ୍ଲା ନବରଙ୍ଗପୁର ଛତିଶଗଡ଼, ନୁଆପଡାରୁ ସହ ସହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ।

Leave a Reply

Your email address will not be published.