ଅଭିଯୁକ୍ତଙ୍କ ଘରୁ ଚାପଡ, ଭୂଜାଲୀ ଓ ବନ୍ଧୁକ ଭଳି ମାରଣାସ୍ତ୍ର ଜବତ
କେନ୍ଦ୍ରାପଡା, ୧୬/୦୯/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଜୟୀପୁରା ଗ୍ରାମର ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କ ଘରୁ ଗୁରୁବାର ରାତିରେ ପୋଲିସ ଚାପଡ, ଭୂଜାଲୀ ଓ ବନ୍ଧୁକ ଜବତ କରିବା ସହିତ ୨ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚୁରା କରାଯାଉଥିବା ଟାଉନ ଥାନା ଅଧିକାରୀ ତପନ କୁମାର ନାୟକ କହିଛନ୍ତି । ଜୟୀପୁରା ଗ୍ରାମର ସେକ ଅବଦୁଲ ରଜାକଙ୍କ ପୁଅ ସେକ ଅବଦୁଲ ସାଜିଦ ଓ ତାଙ୍କ ସାନ ଭାଇ କାଦିରଙ୍କୁ ଗୁରୁବାର ସକାଳେ ସେହି ଗ୍ରାମର ସେକ ସଲିମ ଓ ତାଙ୍କ ପରିବାର ସଦସ୍ୟମାନେ ଭୂଜାଲୀରେ ମରଣାନ୍ତଙ୍କ ଆକ୍ରମଣ କରିଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ଉଭୟ ସାଜିଦ ଓ କାଦିର ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏସମ୍ପର୍କରେ ଟାଉନ ଥାନାରେ ଅଭିଯୋଗ ପରେ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ୨ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖାଯିବା ସହ ସଲିମଙ୍କ ଘରୁ ଆକ୍ରମଣରେ ବ୍ୟବହୃତ ଚାପଡ, ଭୂଜାଲୀ ଓ ବନ୍ଧୁକ ଜବତ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ନାୟକ କହିଛନ୍ତି । ଓଡ଼ିଶା ସମାଚାର