Thursday , September 29 2022
Home / ରାଜନୀତି / ୫୨ଭାଗ ଓବିସିଙ୍କୁ ନାମ ଲେଖାରେ ୨୭ ଭାଗ ସଂରକ୍ଷଣ ଓ ଜାତି ଜନଗଣନା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ସମାଜବାଦୀ ପାର୍ଟି ର ଚିଠି – 

୫୨ଭାଗ ଓବିସିଙ୍କୁ ନାମ ଲେଖାରେ ୨୭ ଭାଗ ସଂରକ୍ଷଣ ଓ ଜାତି ଜନଗଣନା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ସମାଜବାଦୀ ପାର୍ଟି ର ଚିଠି – 

ଭୁବନେଶ୍ୱର,୧୬/୦୯/୨୦୨୨ (ଓଡ଼ିଶା ସମାଚାର)- ଗତକାଲି ରାଜ୍ୟ ସରକାର ୬ପ୍ରତିଶତ ଉଚ୍ଚବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଇଂଜିନିୟରିଂ ନାମ ଲେଖାରେ ୧୦ଭାଗ ସଂରକ୍ଷଣ ପ୍ରଦାନ କରିଛନ୍ତି । ସେହିଭଳି ୫୨ ଭାଗ ଓବିସି ଛାତ୍ରଛାତ୍ରୀଙ୍କୁ କେନ୍ଦ୍ର ସରକାର ଆଇଆଇଟି ଓ ଆଇଆଇଏମ୍ ନାମଲେଖାରେ ପ୍ରଦାନ କରୁଥିବା ୨୭ଭାଗ ସଂରକ୍ଷଣ ଢାଂଚାରେ ରାଜ୍ୟ ସରକାର ମଧ୍ୟ ନାମ ଲେଖାରେ ୨୭ଭାଗ ସ୍ଥାନ ସଂରକ୍ଷଣ ଦେବାକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ଦାବି କରିଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଧେଶ୍ୟରେ ଏକ ଚିଠି ଲେଖି ରାଜ୍ୟର ୫୨ଭାଗ ଓବିସି ଛାତ୍ରଛାତ୍ରୀଙ୍କୁ ତୁରନ୍ତ ମେଡିକାଲ, ଇଂଜିନିୟରିଂ ଓ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟ ନାମଲେଖାରେ ୨୭ଭାଗ ସ୍ଥାନ ସଂରକ୍ଷଣ ପ୍ରଦାନ କରିବାକୁ ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ପତ୍ରରେ ଶ୍ରୀ ବେହେରା କହିଛନ୍ତି ଯେ, ୨୦୦୫-୦୬ ଶିକ୍ଷାବର୍ଷଠାରୁ କେନ୍ଦ୍ର ସରକାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ଆଇ.ଆଇ.ଟି, ଆଇ.ଆଇ.ଏମ୍.ରେ ଓ.ବି.ସି. ଛାତ୍ରଛାତ୍ରୀମାନଙ୍କୁ ନାମ ଲେଖାଇବା ପାଇଁ ୨୭ଭାଗ ସଂରକ୍ଷଣ ସୁବିଧା ଦେଇଥିବା ବେଳେ ଆଜି ପର୍ଯ୍ୟନ୍ତ ଓଡ଼ିଶା ସରକାର ଓବିସି ବର୍ଗର ଛାତ୍ରଛାତ୍ରୀମାନଙ୍କର ଏହି ଦାବିକୁ ଅଣଦେଖା କରି ଚାଲିଛନ୍ତି । ସେହିଭଳି ୪୦ ଭାଗ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀମାନଙ୍କୁ ମାତ୍ର ୨୦ ଭାଗ ନାମ ଲେଖାରେ ସଂରକ୍ଷଣ ପ୍ରଦାନ କରାଯାଉଛି । ତେଣୁ ତୁରନ୍ତ ରାଜ୍ୟ ସରକାର ଓବିସି ଓ ଏସ.ସି. ଏସ୍.ଟି. ଛାତ୍ରଛାତ୍ରୀମାନଙ୍କୁ ନାମ ଲେଖାରେ ସଂରକ୍ଷଣ ପ୍ରଦାନ କରିବାକୁ ସେ ଏହି ଚିଠିରେ ଉଲ୍ଲେଖ କରିଛନ୍ତି । ଏହାବ୍ୟତୀତ ରାଜ୍ୟ ସରକାର ପଛୁଆବର୍ଗ କମିଶନଙ୍କୁ ଜାତି ଜନଗଣନା ପାଇଁ ନିର୍ଦ୍ଧେଶ ଦେବାକୁ ଶ୍ରୀ ବେହେରା ଏହି ଚିଠିରେ ମୁଖ୍ୟମନ୍ତ୍ରୀଙ୍କର ଧ୍ୟାନ ଆକର୍ଷଣ କରିଛନ୍ତି । ଏହା ସମ୍ଭବ ହେଲେ ରାଜ୍ୟର ୫୨ ଭାଗ ପଛୁଆବର୍ଗ ଓ ୪୦ଭାଗ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗ ତାଙ୍କର ସାମ୍ବିଧାନିକ ଅଧିକାରକୁ ସାବ୍ୟସ୍ତ କରିପାରିବ । ତେଣୁ ରାଜ୍ୟ ସରକାର କାଳ ବିଳମ୍ବ ନ କରି ଏ ଦିଗରେ ତୁରନ୍ତ ବିହିତ ପଦକ୍ଷେପ ନେବାକୁ ଶ୍ରୀ ବେହେରା ଦାବି କରିଛନ୍ତି ।

 

Leave a Reply

Your email address will not be published.