Wednesday , May 31 2023
Breaking News
Home / ବିଶେଷ / ନିରାକାରପୁର ରେଳଫାଟକ ଓଭର ବ୍ରିଜ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ସ୍ଥାନୀୟ ଲୋକଙ୍କ ବିରୋଧ :

ନିରାକାରପୁର ରେଳଫାଟକ ଓଭର ବ୍ରିଜ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ସ୍ଥାନୀୟ ଲୋକଙ୍କ ବିରୋଧ :

ବାଇପାସ ପାଇଁ ଦାବି
ନିରାକାରପୁର, ୧୫/୦୯/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ରେଳଫାଟକରେ ଅସମ୍ଭବ ଭିଡ଼ ହେବା କାରଣରୁ ସରକାର ଏହି ଗେଟକୁ ଉଠାଇ ଏକ ରେଳ ଓଭର ବ୍ରିଜ କରିବା ପାଇଁ ଅନୁଦାନ ଅନୁମୋଦନ କରି କାର୍ଯ୍ୟ କରିବାକୁ ଠିକାଦାରକୁ ଦାୟିତ୍ୱ ଦେିଇଥିଲେ ବି ଜମି ଅଧିଗ୍ରହଣକୁ ନେଇ ଦେଖା ଦେଇଛି ଅସନ୍ତୋଷ । ବାରମ୍ବାର ସ୍ଥାନୀୟ ଜନସାଧାରଣଙ୍କ ଦାବି ଯେ ନିରାକାରପୁର ବଜାର ମଧ୍ୟରେ ଓଭର ବ୍ରିଜ ଗଲେ ହଜାର ହଜାର ଲୋକେ ସେମାନଙ୍କ ଦୋକାନ ବଜାର ହରାଇବା ସହ କୌଳିକ ବୃତିରୁ ବଂଚିତ ହେବେ । ସେମାନଙ୍କ ରହିବା ବାସଗୃହ ସମେତ ରୋଜଗାର ମାଧ୍ୟମ ସାଜିଥିବା ଦୋକାନ ବନ୍ଦ ହୋଇଯିବ । ଏଣେ ନିରାକାରପୁର ବଜାରରେ ଖଣ୍ଡେ ଜମି କିଣିବାକୁ ବର୍ତମାନ ଆକାଶ ଛୁଆଁ ମୂଲ୍ୟ ହୋଇଥିବାରୁ ସରକାରଙ୍କ ତରଫରୁ କ୍ଷତିପୂରଣ ବାବଦକୁ ମିଳିବାକୁ ଥିବା ଅର୍ଥ ସମୁଦ୍ରକୁ ଶଖେଂ ସଦୃଶ୍ୟ ହେବ । ଯାହାକି ସେମାନେ ଜାଗା କିଣି ଖଣ୍ଡେ ଘର କରିବା ଅସମ୍ଭବ ହୋଇପଡ଼ିବ । ତେଣୁ ସେମାନେ ବଡ଼ ଦାଣ୍ଡରେ ଭିକ ମାଗିବା ଭଳି ପରିସ୍ଥିତ ସୃଷ୍ଟି ହେବ । ତେଣୁ ଏହି ରାସ୍ତାରେ ଓଭର ବ୍ରିଜ ନ କରି ଏହାକୁ ନିରାକାରପୁର ଉତର ଦିଗରେ ବାଇପାସ କରି ନେବାକୁ ସେମାନେ ମୂଳରୁ ଦାବି କରି ଆସୁଛନ୍ତି । ଏବେ ବି ସେହି କଥାରେ ଅଡ଼ି ବସିଛନ୍ତି । ପ୍ରକାଶ ଥାଉ କି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ରେଳଫାଟକ ଓଭର ବ୍ରିଜ କାର୍ଯ୍ୟ ଆରମ୍ଭ ପୂର୍ବରୁ ଆପ୍ରୋଚ ରୋଡ଼ ତଥା ରେଳଫାଟକ ଡ଼ାଇଭରସନ ରାସ୍ତା କାର୍ଯ୍ୟ ଫ୍ରେବୃଆରୀ ମାସ ୨ ତାରିଖିଠାରୁ ଆରମ୍ଭ ହେଲା । ଏହି ରେଳଫାଟକଟି ନିରାକାରପୁର ନୂଆ ଜଗନ୍ନାଥ ସଡ଼କରେ ରହିଥିବାବେଳେ ସବୁବେଳେ ଅସମ୍ଭବ ଭିଡ଼ ହେବା କାରଣରୁ ସାଧାରଣ ଲୋକଠାରୁ ଆରମ୍ଭ କରି ଜରୁରୀ କାଳୀନ ସେବା ମଧ୍ୟ ବାଧା ପ୍ରାପ୍ତ ହେଉଛି । ଏହା ଦ୍ୱାରା ରେଳବାଇ ବି ବହୁ କ୍ଷତି ସହୁଥିବାର ଜଣାପଡ଼ିଛି । ତେଣୁ ବାଦ ପ୍ରତିବାଦ ଯୋଗୁ ଏହି ଓଭର ବ୍ରିଜର ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ହେବା ପରେ ସଂପୃକ୍ତ ଠିକାଦାର ଓ ବିଭାଗୀୟ ଅଫିସରଙ୍କ ଉପସ୍ଥିତରେ ଆପ୍ରୋଚ ନିର୍ମାଣ କାର୍ଯ୍ୟର ଆରମ୍ଭ ହୋଇଥିଲା । ଗେଟ ଉପରେ ବ୍ରିଜ ନିର୍ମାଣ କରିବାକୁ ପ୍ରଥମେ ଗେଟ କିପର ଗୃହର ଉତର ଦିଗକୁ ଅସ୍ଥାୟୀ ସ୍ଥାନାନ୍ତରିତ କରିବାକୁ ଯୋଜନା ରହିଥିବା ଜଣାପଡ଼ିଛି । ଏଥିପାଇଁ ଆବଶ୍ୟକ ଜାଗା ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟକୁ ଏବେ ତ୍ୱରାନିତ୍ୱ କରିଥିଲେ ବି ବଜାର ଓ ଅଂଚଳବାସୀ ଏହାକୁ ବିରୋଧ କରିବାରେ ଲାଗିଲେଣି । ତେଣୁ ସରକାର ପୁନର୍ବାର ଏହାକୁ ବିଚାର କରି ବାଇପାସ ନିର୍ମାଣ କରି ବଜାରବାସୀଙ୍କ ହିତ ଦୃଷ୍ଟରୁ ଓଭର ବ୍ରିଜକୁ ସ୍ଥାନାନ୍ତରିତ କରିବାକୁ ଦାବି ହେଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published.