ଏକ ସମାବେଶୀ ସମାଜ ତଥା ସାମାଜିକ ନ୍ୟାୟପ୍ରତିଷ୍ଠା ପାଇଁ ରାଜ୍ୟସ୍ତରୀୟ ସମାବେଶ
ଭୁବନେଶ୍ୱର, ୧୫ /୦୯/୨୦୨୨(ଓଡ଼ିଶା ସମାଚାର)- ସମ୍ପ୍ରତି ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧୀନସ୍ଥ ନେସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ(NCRB) ଦ୍ୱାରା ୨୦୨୧ ମସିହାରେ ଦେଶରେ ଅପରାଧ ଓ ଜେଲ୍ ମାନଙ୍କର ସ୍ଥିତି ବିଷୟରେ ପ୍ରକାଶିତ ତଥ୍ୟ ସାରା ଦେଶ ଓ ଆମ ରାଜ୍ୟ ଓଡ଼ିଶା ପାଇଁ ଘୋର ଚିନ୍ତାର ବିଷୟ ବୋଲି ଆଜି ଲୋହିଆ ଏକାଡେମୀ ଭୁବନେଶ୍ଵରରେ ଆୟୋଜିତ ରାଜ୍ୟସ୍ତରୀୟ ସମାବେଶରେ ମତପ୍ରକାଶ ପାଇଛି । ନେସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ(NCRB)ର ଏହି ତଥ୍ୟ ଓଡ଼ିଶା ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ ଓ ବିକାଶ ରାସ୍ତାରେ ଚାଲିଛି ବୋଲି ସରକାରଙ୍କ ଦ୍ଵାରା ଚାଲିଥିବା ପ୍ରଚାର ଆଢ଼ୁଆଳରେ ଥିବା ଅସଲଚିତ୍ରକୁ ପଦାରେ ପକାଇ ଦେଇଛି ବୋଲି ଆଲୋଚକ ମାନେ ମତବ୍ୟକ୍ତ କରିବା ସହିତ ଓଡିଶା କେବଳ ଏକ ପଛୁଆ ଓ ଗରିବ ରାଜ୍ୟ ନୁହେଁ, ଏହା ମଧ୍ୟ ଦେଶର ଅନ୍ୟତମ ଅପରାଧ ଓ ହିଂସା ପ୍ରବଣ ରାଜ୍ୟ ତାଲିକାରେ ପ୍ରମୁଖ ସ୍ଥାନ ପାଇଛି ବୋଲି ସଭାରେ ଘୋର ଉଦବେଗ ପ୍ରକାଶ କରାଯାଇଛି ।
ଏହି ତଥ୍ୟ ଅନୁଯାୟୀ ରାଜ୍ୟ ମଧ୍ୟରେ ଘୋର ଦାରିଦ୍ର୍ୟ , ଦାଦନ,ବେରୋଜଗାର ଓ ଆର୍ଥିକ ଅନାଟନ ସହ ସଂଘର୍ଷ କରୁଥିବା ଶ୍ରମଜୀବୀ ଗରିବ , ଦାଦନ ଶ୍ରମିକ, ମହିଳା, ଶିଶୁ ଓ ବୟସ୍କ ବ୍ୟକ୍ତିମାନେ ତଥା ସାମାଜିକ ଉତ୍ପୀଡନର ଶିକାର ହୋଇ ଆସୁଥିବା ଦଳିତ ଆଦିବାସୀ ଓ ସଂଖ୍ୟାଲଘୁ ଧାର୍ମିକ ଗୋଷ୍ଠୀ ମାନଙ୍କ ବିରୁଦ୍ଧରେ ନିର୍ଯାତନା ଅପରାଧ ଓ ହିଂସାମାନ କ୍ରମାଗତ ଚାଲିଛି । ସମାଜ ଜୀବନରେ ପ୍ରଚଳିତ ହୋଇ ଆସୁଥିବା ପୁରୁଷ ପ୍ରଧାନ ସମାଜ ବ୍ୟବସ୍ଥା , ଜାତିପ୍ରଥା, ଅସ୍ପୃଶ୍ୟତା , ସାମ୍ପ୍ରଦାୟିକ ଘୃଣା ଓ ବିଦ୍ୱେଷର ପ୍ରଭାବ ଆଜି ବି ବଳବତ୍ତର ରହିଛି। ସମ୍ବିଧାନ କାର୍ଯ୍ୟକାରୀ ହେବାର ୭୨ ବର୍ଷ ମଧ୍ୟରେ ଆମ ନ୍ୟାୟିକ ବ୍ୟବସ୍ଥା ସଂଖ୍ୟାଧିକ ଗରିବ, ଦଳିତ ଆଦିବାସୀ, ସଂଖ୍ୟାଲଘୁ ଓ ମହିଳା ମାନଙ୍କ ଉପରେ ହେଉଥିବା ଅପରାଧ ନିୟନ୍ତ୍ରଣ କରିବା ଓ ନ୍ୟାୟ ପ୍ରଦାନରେ ସମ୍ପୁର୍ଣ୍ଣ ସଫଳ ହୋଇପାରି ନାହିଁ। ଆଇନଗତ ସହାୟତାର ଅଭାବ ଓ ବିଳମ୍ବିତ ନ୍ୟାୟିକ ପ୍ରକ୍ରିୟା ଫଳରେ ଅନେକ ଗରିବ ଓ ନିରକ୍ଷର ଲୋକ ବିଚାରାଧିନ ବନ୍ଦୀ ଭାବେ ଦୀର୍ଘ କାଳ ଜେଲ୍ ମାନଙ୍କରେ ରହୁଛନ୍ତି ଓ ଗରିବ ମାନଙ୍କ ପାଇଁ ନ୍ୟାୟ ଅପହଞ୍ଚ ହୋଇଛି।
ଦଳିତ ଅଧିକାର ମଞ୍ଚ,ଅଖିଳ ଭାରତ ଜନମଞ୍ଚ, ଅଖିଳ ଭାରତ କ୍ରାନ୍ତିକାରୀ ମହିଳା ସଂଗଠନ,ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ, ଲୋହିଆ ଏକାଡେମୀ,ମାନବବାଦୀ ହେତୁବାଦୀ ସଂଗଠନ,ଅଲ୍ ଇଣ୍ଡିଆ ଲୟର ଆସୋସିଏସନ୍ ଫର୍ ଜଷ୍ଟିସ୍,ଇଣ୍ଡିଜେନସ ପିପୁଲ୍ସ ଫୋରମ୍ ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି ସମାବେଶରେ ଆୟୋଜକ ମଣ୍ଡଳୀ ପକ୍ଷରୁ ସଂଯୋଜକ ମାନସ ଜେନା ଭିତ୍ତିପତ୍ର ଉପସ୍ଥାପନ କରିଥିବାବେଳେ ନରେନ୍ଦ୍ର ମହାନ୍ତି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ । ହ୍ୟୁମାନ ରାଇଟ ଲ ନେଟୱାର୍କ ପକ୍ଷରୁ ସରିତା ବଡପଣ୍ଡା ଏବଂ ଆୟୋଜକ ସଂଗଠନ ମାନଙ୍କ ପକ୍ଷରୁ ରାଧାକାନ୍ତ ସେଠୀ, ଦେବପ୍ରସାଦ ରାୟ ମହାପାତ୍ର, ପ୍ରମିଳା ବେହେରା,ମଧୁସୂଦନ,ଅମ୍ଳାନ ମିଶ୍ର, ମନୋଜ ପାଣିଗ୍ରାହୀ, ମହମ୍ମଦ ସୁକୁର ପ୍ରମୁଖ ସମାବେଶର ଆବଶ୍ୟକତା ଓ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେବିଭିନ୍ନ ସାମାଜିକ, ଅର୍ଥନୈତିକ ତଥା ରାଜନୈତିକ ବୈଷମ୍ୟର ଶିକାର ହେଉଥିବା ସମୁଦାୟଙ୍କ ପକ୍ଷରୁ ପ୍ରଦ୍ୟୁମ୍ନ ନାୟକ, ରବି ଦୀପ, ସୁମିତ୍ରା, ସୁରେଶ, ପ୍ରକାଶ ନାଗ, ବିଦ୍ୟାଧର ସୁନା, ଡଃ ଶ୍ରୀଚରଣ ବେହେରା, ମାନବାଧିକାର କର୍ମୀ ରଞ୍ଜନା ପାଢୀ,ଲକ୍ଷ୍ମୀପ୍ରିୟା ମହାନ୍ତି, ତନବୀର ଅହମ୍ମଦ, ଲକ୍ଷ୍ମୀଧର ସିଂ,ବାମପନ୍ଥୀ ନେତା ନାରାୟଣ ରେଡ୍ଡୀ, ସୁରେଶ ପାଣିଗ୍ରାହୀ, ସମୃଦ୍ଧ ଓଡିଶାର ଡଃ ଯତୀଶ ମହାନ୍ତି, ସମାଜବାଦୀ ପାର୍ଟିର ରବି ବେହେରା,, ପ୍ରଫେସର ଧନେଶ୍ଵର ସାହୁ, କୈଳାଶ ସେଠୀ, ଚାମ୍ବରୁ ସୋରେନ,ସତୀଶ ମିଶ୍ର,ପ୍ରଭାସ ସାମନ୍ତରାୟ, ବଂଶିଧର ପରିଡା, ପ୍ରମୋଦ ଦେବ, ସସ୍ମିତା ଜେନା, କୈଳାସ ବେହେରା, ହେନାରାଣୀ ବାରିକ, ଅମୂଲ୍ୟ ଦାସ, ଅରବିନ୍ଦ ନାୟକ ପ୍ରମୁଖ ଆଲୋଚନରେ ଅଂଶଗ୍ରହଣ କରିଥିଲେ ।
ସମାବେଶରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ ୨୦୨୧ ମସିହାରେ ଦେଶରେ ଅନୁସୂଚିତ ଜାତି ମାନଙ୍କ କ୍ଷେତ୍ରରେ ୫୦,୯୦୦ ମାମଲା ରୁଜ୍ଜୁ ହୋଇଥିବା ବେଳେ ଅନୁସୂଚିତ ଜନଜାତି ମାନଙ୍କ କ୍ଷେତ୍ରରେ ୮୮୦୨ ମାମଲା ରୁଜ୍ଜୁ ହୋଇଛି, ଯାହା ପୂର୍ବ ବର୍ଷ ତୁଳନାରେ ୭% ଅଧିକ । ଦେଶରେ ଘଟିଥିବା ମୋଟ ଦଳିତ ନିର୍ଯ୍ୟାତନା ମାମଲାର ୭୦% ଘଟଣା କେବଳ ଉତ୍ତରପ୍ରଦେଶ, ବିହାର,ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଓଡିଶା ଭଳି ରାଜ୍ୟରେ ଘଟିଛି । ସେହିପରି ୭୫% ଆଦିବାସୀ ନିର୍ଯ୍ୟାତନା ମାମଲା ମଧ୍ୟପ୍ରଦେଶ, ରାଜସ୍ଥାନ, ଓଡିଶା, ମହାରାଷ୍ଟ୍ର ଓ ତେଲେଙ୍ଗାନାରେ ଘଟିଛି । ଓଡିଶାରେ କ୍ରମାଗତ ଭାବେ ଦଳିତ ମାନଙ୍କ ଉପରେ ଅତ୍ୟାଚାର ବଢିଚାଲିଛି । ୨୦୨୧ ମସିହାରେ ମୋଟ ୨୩୨୭ଟି ଦଳିତ ଅତ୍ୟାଚାର ମାମଲା ପଞ୍ଜୀକୃତ ହୋଇଥିବା ବେଳେ ୬୭୬ଟି ଆଦିବାସୀ ନିର୍ଯ୍ୟାତନା ମାମଲା ପଞ୍ଜୀକୃତ ହୋଇଛି ଓ ୩୫୦୦ ମାମଲା ତଦନ୍ତ ପାଇଁ ପଡିରହିଛି । ସେହିପରି କୋର୍ଟ ମାନଙ୍କରେ ୧୬୩୫୫ ଅନୁସୂଚିତ ଜାତି ନିର୍ଯାତନା ଓ ୫୮୮୨ ଅନୁସୂଚିତ ଜନଜାତି ନିର୍ଯ୍ୟାତନା ମାମଲା ବିଚାର ପାଇଁ ପଡିରହିଛି । ନେସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ(NCRB)ର ଅନ୍ୟ ଏକ ରିପୋର୍ଟ ଜେଲ ପରିସଂଖ୍ୟାନ ତଥ୍ୟ-୨୦୨୧ ଅନୁଯାୟୀ ଓଡିଶାରେ ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁ ମାନେ ଅଧିକ ସଂଖ୍ୟାରେ ବିଚାରାଧୀନ ବନ୍ଦୀ ଭାବେ ଜେଲରେ ପଡି ରହିଛନ୍ତି । ସେମାନଙ୍କ ମଧ୍ୟରେ ଅଧିକାଂଶ ଗରିବ ଓ ନିରକ୍ଷର । ଓଡିଶାର ମୋଟ ଅପରାଧୀ ସାବ୍ୟସ୍ତ କଏଦୀଙ୍କ ସଂଖ୍ୟା ୨୬୨୦ ଓ ବିଚାରାଧୀନ କଏଦୀଙ୍କ ସଂଖ୍ୟା ୧୮୧୬୪ ହୋଇଥିବା ବେଳେ ମୋଟ ୨୦୭୮୪ ମଧ୍ୟରୁ ଅନୁସୂଚିତ ଜାତିର ୬୩୪୧, ଅନୁସୂଚିତ ଜନଜାତି ବର୍ଗ ର ୫୨୫୨, ଅନ୍ୟାନ୍ୟ ପଛୁଆ ବର୍ଗ ୫୮୧୯ ଓ ସଂଖ୍ୟାଲଘୁ (ମୁସଲିମ ଓ ଖ୍ରୀଷ୍ଟିୟାନ)୨୬୪୪ ଜଣ ଅନ୍ତର୍ଭୁକ୍ତ, ଯାହା ରାଜ୍ୟ ରେ ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁ ମାନଙ୍କର ସଙ୍ଗିନ ସ୍ଥିତିକୁ ଦର୍ଶାଉଛି ।
ସମାବେଶର ଅଂଶଗ୍ରହଣକାରୀ ମାନଙ୍କ ମତମତକୁ ଭିତ୍ତିକରି ଦଳିତ, ଆଦିବାସୀ, ମହିଳା ଓ ସଂଖ୍ୟାଲଘୁ ମାନଙ୍କ ସୁରକ୍ଷା ତଥା ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ଏକ ରାଜ୍ୟସ୍ତରୀୟ ସଂଯୋଜନା ମଣ୍ଡଳୀ ଓ ଜିଲ୍ଲାସ୍ତରୀୟ ସଂଯୋଜନା ମଣ୍ଡଳୀ ଆଗାମୀ ଦିନରେ ବିଭିନ୍ନ ସାମାଜିକ ଓ ରାଜନୈତିକ ତଥା ଅର୍ଥନୈତିକ ଅଧିକାର ପାଇଁ କାର୍ଯ୍ୟକ୍ରମ, ମହିଳା ଓ ଯୁବ ଚିନ୍ତନ ଶିବିର ଆୟୋଜନ, ସାମ୍ବିଧାନିକ ଅଧିକାର ଓ ଆଇନର ପ୍ରୟୋଗ ଆଦି ବହୁବିଧ ପଦକ୍ଷେପ ଘୋଷଣା କରଯାଇଥିଲା ।