ଭୁବନେଶ୍ୱର,୧୪/୦୯/୨୦୨୨(ଓଡ଼ିଶା ସମାଚାର)-ସ୍ଥାନୀୟ ଇନଷ୍ଟିଚୁ୍ୟଟ୍ ଅଫ୍ ଇଂଜିନିୟର୍ସ ସମ୍ମିଳନୀ କକ୍ଷରେ ଅଲ୍ ଓଡ଼ିଶା ୱେଲଫେୟାର ଅଫିସର ଆସୋସିଏସନ୍ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ବୈଠକରେ ପୂର୍ବାହ୍ନରେ ସାଧାରଣ ପରିଷଦର କର୍ମକର୍ତା ନିର୍ବାଚନ କରାଯାଇଥିଲା । ଏହି ନିର୍ବାଚନରେ ମନୋଜ କୁମାର ନାୟକ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ମଧୁସ୍ମିତା ମହାପାତ୍ର ସାଧାରଣ ସମ୍ପାଦକ, ଅର୍ଜୁନ ନାୟକ ଉପସଭାପତି ଓ ଶିଶିର ପୁହାଣ ଜଏନ୍ଟ ସେକ୍ରେଟାରୀ ହେଡକ୍ୱାଟର ଭାବେ ନିର୍ବାଚିତ ହୋଇଥିଲେ । ଅପରାହ୍ନ ଅଧିବେଶନରେ ମୁଖ୍ୟତଃ ସଂଘର ବିଭିନ୍ନ ଦାବି, କାର୍ଯ୍ୟକ୍ଷେତ୍ରରେ ଅନୁଭବ କରୁଥିବା ସମସ୍ୟା ଗୁଡ଼ିକ ସମ୍ପର୍କରେ ସରକାରଙ୍କ ସହିତ ଆଲୋଚନା କରିବା ପାଇଁ ସ୍ଥିର କରାଯାଇଥିଲା । ଏହି ଅଧିବେଶନରେ ଅନୁଷ୍ଠିତ ଜାତି, ଜନଜାତି ଓ ପଛୁଆବର୍ଗ କଲ୍ୟାଣ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଉକ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁସୂଚିତ ଜନଜାତି ନିର୍ଦ୍ଧେଶକ ଗୁହାପୁନମ୍ ତାପସ କୁମାର, ସ୍ୱତନ୍ତ୍ର ସଚିବ ବିଶ୍ୱରଂଜନ ସାମଲ, ଅନ୍ୟତମ ସ୍ୱତନ୍ତ୍ର ସଚିବ ପ୍ରଦୀପ ଗରଡ଼ିଆ, ଅନୁସୂଚିତ ଜାତି ନିର୍ଦ୍ଧେଶକ ଲକ୍ଷ୍ମଣ ମଲ୍ଲିକ, ଫାଇନାନ୍ସସିଆଲ୍ ଆଡଭାଇଜର ଜୟଶ୍ରୀ ତି୍ରପାଠୀ ପ୍ରମୁଖ ଯୋଗଦେଇ ବିଭାଗୀୟ ଅଧିକାରୀମାନଙ୍କର ବିଭିନ୍ନ ସ୍କିମ୍ ସମ୍ପର୍କରେ କର୍ମଚାରୀମାନଙ୍କ ସହିତ ଆଲୋଚନା କରିଥିଲେ । ବୈଠକରେ ୱେଲଫେୟାର ଅଫିସରମାନଙ୍କର ବିଭିନ୍ନ ଦାବି ଓ ସମସ୍ୟା ସମ୍ପର୍କରେ ଆଲୋଚନା କରି ଆସ୍ତେ ଆସ୍ତେ ସମସ୍ତ କଥାଗୁଡ଼ିକୁ ବିଚାର କରି ପଦକ୍ଷେପ ନେବେ ବୋଲି ମାନ୍ୟବର ମନ୍ତ୍ରୀ କହିଛନ୍ତି । ସେହିଭଳି ପ୍ରତି ତିନି ମାସରେ ଥରେ ଅଫିସରମାନଙ୍କ ସହିତ ଏକାଠି ବସି ଆଲୋଚନା କରି ସମସ୍ୟାଗୁଡ଼ିକୁ ବିଚାର କରାଯିବ ବୋଲି ବିଭାଗୀୟ ଶାସନ ସଚିବ ଶାସ୍ୱତ ମିଶ୍ର ପ୍ରତିଶ୍ରୁତି ଦେଇଛନ୍ତି । ସଂଘ ତରଫରୁ ଯେଉଁ ଦାବିଗୁଡ଼ିକ ସରକାରଙ୍କ ପାଖରେ ଉପସ୍ଥାପନ କରାଯାଇଛି, ସେଗୁଡ଼ିକ ହେଲା (୧) ଖାଲିଥିବା ପଦବୀ ପୂରଣ କରିବା (୨) ୧୨ବର୍ଷ ଧରି କାମ କରୁଥିବା ଓ.ଡବ୍ଲୁ୍ୟ.ଏସ୍ -୧ ଅଧିକାରୀମାନଙ୍କୁ ପଦୋନ୍ନତି ଦେବା ସହ୨୫ବର୍ଷ ଧରି କାମକରି ପଦୋନ୍ନତି ପାଉନଥିବା ଡବ୍ଲୁ୍ୟ.ଇ.ଓ. ଓ ଏ.ଡି.ଡବ୍ଲୁ୍ୟ.ଓ. ମାନଙ୍କୁ ପଦୋନ୍ନତି ଦେବା (୩) ୱେଲ୍ଫେୟାର ଅଫିସରମାନଙ୍କର ବିଭିନ୍ନ କ୍ଷେତ୍ରକୁ ଯାଇ କାମ ଦେଖିବା ପାଇଁ ଦିଆଯାଉଥିବା ଟି.ଏ. ବୃଦ୍ଧି କରିବା (୪) ସଂଘ କାର୍ଯ୍ୟାଳୟ ନିମନ୍ତେ ଗୋଟିଏ କୋଠରୀ ଆଦିବାସୀ ପଡ଼ିଆରେ ବା ଏସ୍.ସି. ଏସ୍.ଟି. ଆର.ଟି.ଆଇ.ଠାରେ ଯୋଗାଇଦେବା (୫) ଜିଲ୍ଲା ୱେଲ୍ଫେୟାର ଅଫିସରମାନଙ୍କୁ ଗୋଟିଏ ଜିଲ୍ଲାରେ ତିନିବର୍ଷରୁ ଅଧିକ ସମୟ ନ ରଖିବା, ଡବ୍ଲୁ୍ୟ.ଇ.ଓ ଏଷ୍ଟାବ୍ଲିସ୍ମେ ଅଧିକାରୀମାନଙ୍କୁ ବ୍ଲକରୁ ଦରମା ଦେବା ବ୍ୟବସ୍ଥା ବନ୍ଦ କରି ନିଜ ବିଭାଗରୁ ଦରମା ପାଇବା ପାଇଁ ବ୍ୟବସ୍ଥା କରିବା (୬) ଡବ୍ଲୁ୍ୟ. ଇ.ଓ.ମାନଙ୍କୁ ଜାତୀୟ କାର୍ଯ୍ୟକ୍ରମ ବ୍ୟତୀତ ଅନ୍ୟ ବିଭାଗ କାର୍ଯ୍ୟକ୍ରମରେ ଜଡ଼ିତ ନ କରିବା ଭଳି ପ୍ରମୁଖ ଦାବିଗୁଡ଼ିକ ଉପସ୍ଥାପନ ପରିପ୍ରେକ୍ଷୀରେ ସରକାର ସୁବିଚାର କରିବେ ବୋଲି ମନ୍ତ୍ରୀ ଓ ସଚିବ ପ୍ରତିଶ୍ରୁତି ଦେଇଛନ୍ତି । ଓଡ଼ିଶା ସମାଚାର