ଭୁବନେଶ୍ୱର, ୧୪ /୦୯/୨୦୨୨(ଓଡ଼ିଶା ସମାଚାର)- ଦୁଇ ଜଣ ମୃତ ସାମ୍ବାଦିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତାର ହାତ ବଢ଼଼ାଇଛନ୍ତି । ଉଭୟ ସାମ୍ବାଦିକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୮ ଲକ୍ଷ ଟଙ୍କା ଉଭୟ ସାମ୍ବାଦିକଙ୍କ ପରିବାର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ କରାଯାଇଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଆର୍ଥିକ ସହାୟତା ପାଇଥିବା ଦୁଇ ସାମ୍ବାଦିକ ହେଲେ ଓଟିଭିର ରାୟଗଡ଼ା ପ୍ରତିନିଧି ସ୍ୱର୍ଗତ ମନୋଜ କୁମାର ପାତ୍ର ଏବଂ ବିଶ୍ୱବାଣୀ, ଭୁବନେଶ୍ୱରର ପୂର୍ବତନ ପରିଚାଳନା ସମ୍ପାଦକ ସ୍ୱର୍ଗତ ପ୍ରଦୀପ କୁମାର ମଙ୍ଗରାଜ। ଶୋକ ସନ୍ତପ୍ତ ପରିବାର ପ୍ରତି ଏହି ବଦାନ୍ୟତା ପାଇଁ ରାଜ୍ୟସଭା ସାଂସଦ ତଥା ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜ ଖୁସି ବ୍ୟକ୍ତ କରିବା ସହିତ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।