ପାକସ ଓ ସମବାୟ ସମିତିର ନିୟମିତ ଅଡିଟ୍ ପାଇଁ ପରାମର୍ଶ
ଭୁବନେଶ୍ୱର, ୧୪ /୦୯/୨୦୨୨(ଓଡ଼ିଶା ସମାଚାର)- ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ସମବାୟ ବିଭାଗ ଅର୍ନ୍ତଗତ ଆକାଉଣ୍ଟାଣ୍ଟ ଜେନେରାଲ କୋ-ଅପରେଟିଭ ସୋସାଇଟି ଦପ୍ତରକୁ ଅଚାନକ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ମନ୍ତ୍ରୀ ଦପ୍ତରର ବିଭିନ୍ନ ଶାଖା ବୁଲି ଦେଖିବା ସହିତ ପଦାଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ତେବେ ଏହି କାର୍ଯ୍ୟାଳୟରେ ବର୍ତ୍ତମାନ ସୁଦ୍ଧା ବାୟୋମେଟ୍ରିକ ଉପସ୍ଥାନ ଯନ୍ତ୍ର ଠିକଣା ଭାବେ କାର୍ଯ୍ୟକାରୀ ହେଉନଥିବା ମନ୍ତ୍ରୀଙ୍କ ନଜରକୁ ଆସିବାପରେ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ କହିବା ସହିତ ଆଜିର ଉପସ୍ଥାନ ଖାତା ମଗାଇ ଦେଖିଥିଲେ । ରାଜ୍ୟରେ ଥିବା ସମସ୍ତ ପାକସ ଓ ସମବାୟ ସମିତିରେ ଠିକଣା ଭାବେ ଅଡିଟ୍ ହେଉନଥିବାରୁ ଭବିଷ୍ୟତରେ ଏହା ସମସ୍ୟା ସୃଷ୍ଟିକରିବାର ସମ୍ଭାବନା ଥିବାଯୋଗୁଁ ତୁରନ୍ତ ଏସବୁର ଅଡିଟ୍ କାର୍ଯ୍ୟ ସାରିବାକୁ ମନ୍ତ୍ରୀ ଶ୍ରୀ ନାୟକ ନିର୍ଦ୍ଦେଶ ଦେଇଥିଲେ ।
ଏହି ବିଭାଗରେ ୫-ଟି ଆଧାରରେ କାର୍ଯ୍ୟଦକ୍ଷତା ବୃଦ୍ଧି ସହିତ ନିୟମିତ ଭାବେ ପାକସ ଏବଂ ସମବାୟ ସମିତିଗୁଡିକର ଅଡିଟ୍, କମ୍ପୁଟରୀକରଣ କରିବାକୁ ମନ୍ତ୍ରୀ କହିଥିଲେ । ଏହି କାର୍ଯ୍ୟାଳୟକୁ ଚଳଚଞ୍ଚଳ କରାଯିବା ଏବଂ ତଳସ୍ତରରେ ସମବାୟ ସମିତିଗୁଡିକ କିଭଳି ଅଧିକ ଦକ୍ଷତାର ସହ କାର୍ଯ୍ୟ କରିବେ ସେ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ମନ୍ତ୍ରୀ ପରାମର୍ଶ ଦେବା ସହିତ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ମନ୍ତ୍ରୀ ସଫା ସଫା ଶୁଣାଇଥିଲେ । ଓଡ଼ିଶା ସମାଚାର