ପୁରୀ ୧୩ /୦୯/୨୦୨୨(ଓଡ଼ିଶା ସମାଚାର)- କାର୍ତ୍ତିକ ମାସରେ ବ୍ରତ ପାଳନ ପାଇଁ ହବିଷ୍ୟାଳି ଯୋଜନାରେ ଆଜି ଠାରୁ ପଞ୍ଜିକରଣ ଆରମ୍ଭ ହେବ । ଚଳିତବର୍ଷ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୩ ହଜାରରୁ ଉର୍ଦ୍ଧ ହବିଷ୍ୟାଳିଙ୍କୁ ବ୍ରତ ପାଳନର ସୁଯୋଗ ମିଳିବ । ଏଥିପାଇଁ ବୃନ୍ଦାବତୀ ନିବାସ ସହ ଅନ୍ୟ ତିନୋଟି ସ୍ଥାନରେ ହବିଷ୍ୟାଳି ଶିବିରରେ ପ୍ରସ୍ତୁତି ଚାଲିଛି । ପ୍ରଶାସନ ଏମାନଙ୍କ ପାଇଁ ମାଗଣା ରହଣି ସହ ମହାପ୍ରସାଦ ସେବନ, ପୂଜାନୀତି, ଗମନାଗମନ ଓ ସ୍ବାସ୍ଥ୍ୟସେବାର ସମସ୍ତ ବ୍ୟବସ୍ଥା କରିଛି । ମହାକାର୍ତ୍ତିକ ବ୍ରତ ଅକ୍ଟୋବର ୧୦ରୁ ଆରମ୍ଭ ହେଉଛି । ଦୁଇ ବର୍ଷ ପରେ ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ହଜାର ହଜାର ହବିଷ୍ୟାଳିଙ୍କ ସମାଗମ ହେବ। ହବିଷ୍ୟାଳି ଯୋଜନା ପାଇଁ ରାଜ୍ୟ ବ୍ୟାପି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଠାରୁ ମାଗଣା ପଞ୍ଜିକରଣ ଆରମ୍ଭ ହେବ । ଯେକୌଣସି ହବିଷ୍ୟାଳି ଏହି ଯୋଜନାରେ ସାମିଲ ହୋଇ ବ୍ରତ ପାଳନର ସମସ୍ତ ସୁବିଧା ପାଇ ପାରିବେ। ଉଭୟ ଅନଲାଇନ ଓ ଅଫଲାଇନରେ ପଞ୍ଜିକରଣ କରିବା ସହ ପୁରୀ ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କ ହ୍ବାଟ୍ସଆପ ନମ୍ବର ୯୪୩୭୦୮୦୬୩୨ରେ କଲ୍ କରି ହବିଷ୍ୟାଳି ପଞ୍ଜିକରଣ ବି କରିପାରିବେ ।
ପୂର୍ବରୁ ଅସ୍ଥାୟୀ ଶିବିରରେ ରହି ହବିଷ୍ୟାଳି ବ୍ରତ ପାଳନ କରୁଥିଲେ । ଚଳିତ ବର୍ଷ ସେମାନଙ୍କ ପାଇଁ ସରକାର ସ୍ଥାୟୀ ଶିବିର ନିର୍ମାଣ କରିଛନ୍ତି । ପ୍ରାୟ ୧୫ ଶହ ଶଯ୍ୟା ବିଶିଷ୍ଟ ସାତ ମହଲା ଉଚ୍ଚ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ନିର୍ମିତ ହୋଇଛି ବୃନ୍ଦାବତୀ ଭକ୍ତ ନିବାସ। ରହିବା ସହ ଭଜନ କୀର୍ତ୍ତନ ଓ ପୂଜାପାଠ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ହବିଷ୍ୟାଳିଙ୍କ ସୁରକ୍ଷା ଦୃଷ୍ଟିରୁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସମେତ ଆନୁଷଙ୍ଗିକ ସୁବିଧା ସୁଯୋଗ ବି ରହିଛି । ଏହି ବ୍ୟବସ୍ଥାକୁ ସେବାୟତ ଓ ମଠ ମହନ୍ତ ସ୍ବାଗତ କରିଛନ୍ତି। ଆଜି ଠାରୁ ସେପ୍ଟେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ ପଞ୍ଜିକରଣ ।