Thursday , September 29 2022
Home / ରାଜନୀତି / ରାଜ୍ୟପାଳଙ୍କୁ ଭେଟିଲା ସମାଜବାଦୀ ପାର୍ଟି

ରାଜ୍ୟପାଳଙ୍କୁ ଭେଟିଲା ସମାଜବାଦୀ ପାର୍ଟି

ପାରାଦୀପରେ ଆଇଓସିଏଲ୍ ଓ ପାରାଦୀପ ପୋର୍ଟ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ମେଡିକାଲ୍ କଲେଜ, ଏଆଇଆଇଏମଏସ୍ ଭୁବନେଶ୍ୱରର ନାମ ପରିବର୍ତନ ବନ୍ଦ କରିବା ଓ ପାରାଦୀପ-ହରିଦାସପୁର ପାସେଞ୍ଜର ଟ୍ରେନ୍ ଚଳାଇବା ଦାବିରେ ରାଜ୍ୟପାଳଙ୍କୁ ଭେଟିଲା ସମାଜବାଦୀ ପାର୍ଟି
ଭୁବନେଶ୍ୱର,୧୩/୦୯/୨୦୨୨(ଓଡ଼ିଶା ସମାଚାର)- ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଏକ ୪ଜଣିଆ ପ୍ରତିନିଧି ଦଳ ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ଆଜି ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଙ୍କୁ ରାଜଭବନଠାରେ ସାକ୍ଷାତ କରି ଏକ ୫ ଦଫା ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ସୁନ୍ଦରଗଡ଼ ଜିଲ୍ଲାରେ ଯଦି ଏନଟିପିସି ପକ୍ଷରୁ ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ୍ କଲେଜ ପ୍ରତିଷ୍ଠା ହୋଇପାରିଲା, ତାଳଚେର୍ ରେ ମହାନଦୀ କୋଲଫିଲ୍ଡ ଦ୍ୱାରା ଏକ ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ହୋଇପାରିଲା, ତାହେଲେ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ୪୦ ଲକ୍ଷ ଲୋକଙ୍କ ପାଇଁ ଆଇଓସିଏଲ୍ ପାରାଦୀପ ଓ ପାରାଦୀପ ପୋର୍ଟ, ଇଫକୋ ଆନୁକୂଲ୍ୟରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ୍ କଲେଜ ପ୍ରତିଷ୍ଠାରେ ବାଧା କେଉଁଠି ଏବଂ ଏହି ମେଡିକାଲ୍ କଲେଜକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବାକୁ ସମଜାବାଦୀ ପାର୍ଟି ପକ୍ଷରୁ ଦାବି କରାଯାଇଛି । ସେହିଭଳି ସୁନ୍ଦରଗଡ଼ ମେଡିକାଲ୍ କଲେଜକୁ ଦ୍ୱିତୀୟ ଏଆଇଆଇଏମଏସ୍ ର ମାନ୍ୟତା ଦେବା ସହିତ ଏହାକୁ ଆଦିବାସୀ ବିପ୍ଳବୀ ନିର୍ମଳ ମୁଣ୍ଡାଙ୍କ ନାମରେ ନାମିତ କରିବା ଏବଂ ତାଳଚେର ମେଡିକାଲ୍ କଲେଜକୁ ଭାରତ ବର୍ଷର ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କ ନାମରେ ନାମିତ କରିବା ପାଇଁ ଏହି ସ୍ମାରକପତ୍ରରେ କୁହାଯାଇଛି । ସେହିଭଳି ୨୦୦୩ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଭୁବନେଶ୍ୱରଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ଏଆଇଆଇଏମଏସ୍ ଭୁବନେଶ୍ୱରର ପ୍ରତିଷ୍ଠା କରାଯାଇଥିଲା । କିନ୍ତୁ ଦୁଃଖର କଥା ଆଜି କେତେକ ବ୍ୟକ୍ତି ଏହାର ନାମକରଣ ପରିବର୍ତନ କରିବାକୁ ଯେଉଁ ଦାବି କରିଛନ୍ତି, ତାହାକୁ କୌଣସି ପରିସ୍ଥିତିରେ ପରିବର୍ତନ ନ କରିବାକୁ ସମାଜବାଦୀ ପାର୍ଟି ଦାବି କରିଛି । ୨୦୧୩-୧୪ ମସିହାରେ ଭୁବନେଶ୍ୱରଠାରେ ଭାରତ ସରକାରଙ୍କ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଇଏସଆଇ ମେଡିକାଲ୍ କଲେଜ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ କରାଯାଇ କାମ ଆରମ୍ଭ ହୋଇଥିଲା । କିନ୍ତୁ ଦୁଃଖର କଥା କେନ୍ଦ୍ରରେ ବିଜେପି ସରକାର ଆସିଲା ପରେ ଭୁବନେଶ୍ୱର ଇଏସଆଇ ମେଡିକାଲ୍ କଲେଜ କାର୍ଯ୍ୟ ବନ୍ଦ ହୋଇଗଲା । ତେଣୁ ପୁନଶ୍ଚ କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ଦ୍ୱାରା ଭୁବନେଶ୍ୱର ଇଏସଆଇ ମେଡିକାଲ୍ କଲେଜ କାମ ଆରମ୍ଭ କରିବାକୁ ଏହି ସ୍ମାରକପତ୍ରରେ ଦାବି କରାଯାଇଛି । ପୁନଶ୍ଚ ମାନ୍ୟବର ରାଜ୍ୟପାଳଙ୍କ ଗତ ମାସରେ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ ସମୟରେ ପାରାଦୀପ-ହରିଦାସପୁର ରେଳ ଲାଇନ୍ ରେ ପାସେଞ୍ଜର ଟ୍ରେନ୍ ଚଳାଚଳ ପାଇଁ ଦାବି କରାଯାଇଥିଲା । ମାନ୍ୟବର ରାଜ୍ୟପାଳ ମଧ୍ୟ ଭୁବନେଶ୍ୱର ଫେରି ଏହି ଲାଇନ୍ ରେ ପାସେଞ୍ଜର ଟ୍ରେନ୍ ଚଳାଇବା ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ହେଁ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇନାହିଁ । ଏଠାରେ ଉଲ୍ଲେଖଥାଉକି, ବିଗତ ୨ ବର୍ଷ ହେଲା ପାରାଦୀପ-ହରିଦାସପୁର ରେଳ ଲାଇନ୍ ରେ ମାଲବାହୀ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପାସେଞ୍ଜର ଟ୍ରେନ୍ ଚାଲିନି । ତେଣୁ ତୁରନ୍ତ ପାସେଞ୍ଜର ଟ୍ରେନ୍ ଚଳାଇବା ପାଇଁ ପୂର୍ବତଟ ରେଳବାଇର ଜେନାଲ୍ ମ୍ୟାନେଜର ଓ ରାଜ୍ୟର ମୁଖ୍ୟ ସଚିବଙ୍କୁ ଡାକି ଏକ ଉଚ୍ଚସ୍ତରୀୟ ବୈଠକ କରି ପାସେଞ୍ଜର ଟ୍ରେନ୍ ଚଳାଇବା ପାଇଁ ପଦକ୍ଷେପ ନେବାକୁ ସମାଜବାଦୀ ପାର୍ଟି ଦାବି କରିଛି । ଏହା ବ୍ୟତୀତ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ସଦର ମହକୁମା ମେଡିକାଲ୍କୁ ସୁପର ସ୍ପେସିଆଲିଷ୍ଟ ମେଡିକାଲ୍ ରେ ପରିଣତ କରିବା ପାଇଁ ଏହି ସ୍ମାରକପତ୍ରରେ ଦାବି କରାଯାଇଅଛି । ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ଯୁବ ଜନସଭା ସଭାପତି ସୁବ୍ରତ ଲେଙ୍କା, ସମ୍ପାଦକ ସୁଶୀଲ ହୋତା ଓ ଯୁବ ନେତା ସୁନୀଲ ମିଶ୍ର ପ୍ରମୁଖ ମାନ୍ୟବର ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବା ସହିତ ଏ ସମ୍ପର୍କରେ ଆଲୋଚନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.