ସେପ୍ଟେମ୍ବର ୧୫ ତାରିଖରୁ ତହସିଲଦାର ଓ ଅତିରିକ୍ତ ତହସିଲଦାରମାନେ ପ୍ରତି ସପ୍ତାହରେ ୨ରୁ ୩ ଦିନ ସେମାନଙ୍କ ଅଧୀନସ୍ଥ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ, ପଞ୍ଚାୟତ ଓ ଗ୍ରାମରେ କ୍ୟାମ୍ପ୍ କୋର୍ଟ ଆୟୋଜନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର,୧୩ /୦୯/୨୦୨୨(ଓଡ଼ିଶା ସମାଚାର)- ରାଜସ୍ୱ ବିଭାଗ ସମ୍ପର୍କିତ ବିଭିନ୍ନ ମାମଲାର ଶୁଣାଣି ପୁଣି ଥରେ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସେପ୍ଟେମ୍ବର ୧୫ ତାରିଖରୁ ପ୍ରତ୍ୟେକ ତହସିଲରେ କ୍ୟାମ୍ପ୍ କୋର୍ଟ ଆରମ୍ଭ କରାଯିବ। ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖି କ୍ୟାମ୍ପ୍ କୋର୍ଟ ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କ୍ୟାମ୍ପ୍ କୋର୍ଟ ଆରମ୍ଭ ପାଇଁ ସମସ୍ତ ରାଜସ୍ୱ କ୍ଷେତ୍ରାଧିକାରୀ, ତହସିଲଦାର ଓ ଅତିରିକ୍ତ ତହସିଲଦାରମାନଙ୍କୁ କୁହାଯାଇଛି। କ୍ୟାମ୍ପ୍ କୋର୍ଟ ଆୟୋଜନ ଜରିଆରେ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣାଣିରେ ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଚେତାବନୀ ଦିଆଯାଇଛି।
ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପ୍ରତ୍ୟେକ ତହସିଲଦାର ଓ ଅତିରିକ୍ତ ତହସିଲଦାରମାନେ ପ୍ରତି ସପ୍ତାହରେ ୨ରୁ ୩ ଦିନ ସେମାନଙ୍କ ଅଧୀନସ୍ଥ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ, ପଞ୍ଚାୟତ ଓ ଗ୍ରାମରେ କ୍ୟାମ୍ପ୍ କୋର୍ଟ ଆୟୋଜନ କରିବାକୁ ବିଭାଗୀୟ ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଦ୍ୱାରା ପ୍ରତି ମାସରେ ପ୍ରତ୍ୟେକ ତହସିଲଦାର ଓ ଅତିରିକ୍ତ ତସହିଲଦାର ସେମାନଙ୍କ ଅଧୀନସ୍ଥ ପ୍ରତ୍ୟେକ ଗ୍ରାମ ଗସ୍ତ କରି ବିଭିନ୍ନ ରାଜସ୍ୱ ମାମଲାର ଫଇସାଲା କରିପାରିବେ। ଏଥିପାଇଁ ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇଛି ଓ ପ୍ରତ୍ୟେକ ଡିଭିଜନର ରାଜସ୍ୱ ଆୟୁକ୍ତମାନଙ୍କୁ ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀଙ୍କ ସାପ୍ତାହିକ ସମୀକ୍ଷା ବୈଠକରେ ସଚେତନ କରାଯାଇଛି। ପ୍ରତ୍ୟେକ ଜିଲ୍ଲାର ନୋଡ଼ାଲ ଅଧିକାରୀମାନଙ୍କୁ ତହସିଲ ର କ୍ୟାମ୍ପ୍ କୋର୍ଟ ଉପରେ ସ୍ୱତନ୍ତ୍ର ଭାବରେ ସମୀକ୍ଷା ବୈଠକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସବୁ ଜିଲ୍ଲାର ରାଜସ୍ୱ ସମୀକ୍ଷା ବୈଠକରେ ଏହି କାର୍ଯ୍ୟସୂଚୀ ଉପରେ ନିୟମିତ ସମୀକ୍ଷା ହେବ। କ୍ୟାମ୍ପ୍ କୋର୍ଟ କରିବାର ଅବହେଳା ହେଲେ ରାଜସ୍ୱ ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଅତିରିକ୍ତ ସଚିବ ଚେତାଇ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ‘୫-ଟି’ ଉପକ୍ରମ ଆଧାରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମସ୍ତ ସେବା ଅନଲାଇନ ମାଧ୍ୟମରେ ଉପଲବ୍ଧ କରାଯାଇଛି। ଜାତିଗତ, ଆୟ, ଆବାସିକ ଭଳି ବିଭିନ୍ନ ପ୍ରମାଣପତ୍ର ପାଇବା ପାଇଁ ଆଉ ତହସିଲ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡୁ ନାହିଁ। ବିବାଦହୀନ ଦାଖଲଖାରଜ ମାମଲାରେ ମଧ୍ୟ କାର୍ଯ୍ୟାଳୟକୁ ଯିବା ଆବଶ୍ୟକ ନାହିଁ। ଅନ୍ ଲାଇନ ମାଧ୍ୟମରେ ଏସବୁ ସେବା ସୁନିଶ୍ଚିତ କରାଯାଇଛି। ରାଜସ୍ୱ ରଥ ମାଧ୍ୟମରେ ଲୋକଙ୍କ ଘରେ ପଟ୍ଟା ଓ ବିଭିନ୍ନ ପ୍ରକାର ପ୍ରମାଣପତ୍ର ବଣ୍ଟା ଯାଉଛି। ପ୍ରତ୍ୟେକ ଜିଲ୍ଲାର ରାଜସ୍ୱ ସମୀକ୍ଷା ବୈଠକ ଫଳରେ ରାଜସ୍ୱ ସେବାରେ ପରିବର୍ତ୍ତନ ଆସିଛି। ବିଭାଗ ପକ୍ଷରୁ ରାଜସ୍ୱ ରଥ ମାଧ୍ୟମରେ ପ୍ରାୟ ୧ ଲକ୍ଷ ପଟ୍ଟା ବଣ୍ଟନ କରାଗଲାଣି। ତଥାପି ରାଜସ୍ୱ କୋର୍ଟରେ ଶୁଣାଣି ହେଉଥିବା ବିଭିନ୍ନ ରାଜସ୍ୱ ମାମଲାର ଫଇସାଲା ପାଇଁ ଲୋକେ ତହସିଲ କାର୍ଯ୍ୟାଳୟକୁ ଯାଉଛନ୍ତି। ସେହି ସବୁ ରାଜସ୍ୱ ମାମଲାରେ ଲୋକମାନଙ୍କୁ ତହସିଲ ନ ଯିବା ପାଇଁ ତଥା ରାଜସ୍ୱ ସେବାକୁ ଅଧିକ ଲୋକାଭିମୁଖୀ କରିବାକୁ ତଥା ରାଜସ୍ୱ ବିଭାଗକୁ ଅଧିକ କ୍ରିୟାଶୀଳ କରିବାକୁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶକ୍ରମେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।