ନିଶ୍ଚିନ୍ତକୋଇଲି,୧୨/୦୯/୨୦୨୨(ଓଡ଼ିଶା ସମାଚାର)- ନିଶ୍ଚିନ୍ତକୋଇଲି ବ୍ଳକ ଅନ୍ତର୍ଗତ ଅସୁରେଶ୍ୱର ଠାରେ ପ୍ରତିଷ୍ଠିତ ସୁଭଦ୍ରା ମହତାବ ମହାବିଦ୍ୟାଳୟ ପରିସରରେ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ସହଧର୍ମିଣୀ ତଥା ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ସ୍ୱର୍ଗୀୟା ସୁଭଦ୍ରା ମହତାବଙ୍କ ୪୪ ତମ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଦିଲିପ କୁମାର ମିଶ୍ର ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ସ୍ୱର୍ଗୀୟା ମହତାବଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହ ତାଙ୍କର ବହୁମୁଖି ପ୍ରତିଭା ସମ୍ପର୍କରେ ଗଭୀରଭାବେ ଆଲୋକପାତ କରିଥିଲେ ।
ସ୍ୱର୍ଗୀୟା ମହତାବ ଜଣେ ମହିୟସୀ ଓ ମହାନ ସ୍ୱାଧିନତା ସଂଗ୍ରାମୀ ଥିଲେ ବୋଲି ଶ୍ରୀ ଜେନା ତାଙ୍କ ବକ୍ତବ୍ୟରେ ମତବ୍ୟକ୍ତ କରିଥିଲେ । ବିଧାୟକ ଶ୍ରୀ ଜେନା ମହାବିଦ୍ୟାଳୟର ଉନ୍ନତି ଓ ପ୍ରଗତି ନିମନ୍ତେ ସମସ୍ତ ପ୍ରକାର ଆର୍ଥୀକ ସହାୟତା ପ୍ରଦାନ କରିବେ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ । ତେବେ ଏହି ଉତ୍ସବର ସମ୍ମାନିତ ଅତିଥି ତଥା ମହାବିଦ୍ୟାଳୟ ପ୍ରାଣ ପ୍ରତିଷ୍ଠାତା ସାଂସଦ ଭର୍ତୃହରୀ ମହତାବ ଯୋଗ ନଦେବା ଘଟଣାକୁ ନେଇ ସାଧାରଣରେ ଚାପା ଗୁଞ୍ଜରଣ ପ୍ରକାଶ ପାଇଥିଲା ।
ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ମହାବିଦ୍ୟାଳୟର ମୁଖପତ୍ର ସୁଭଦ୍ରାକୁ ଉନ୍ମୋଚନ କରାଯାଇଥିଲା । ମହାବିଦ୍ୟାଳୟର ବିଭିନ୍ନ ବିଭାଗରେ କୃତୀତ୍ୱ ଅର୍ଜନ କରିଥିବା ଛାତ୍ରୀ ଐସୂର୍ଯ୍ୟା ନନ୍ଦ, ସୋନାଲି ସାହୁ,ବୈଶାଖି ଘଡାଇ,ରଞ୍ଜିତା ଜେନା,ସ୍ୱର୍ଣ୍ଣଲତା ଲେଙ୍କା,ନୁସାରତ ଫାତମା,ବିଷ୍ଣୁପ୍ରିୟା ସାହୁ, ଶୁଭମ ମହାନ୍ତି,ଜ୍ୟୋର୍ତିମୟ ରାୟ,ନିହାରିକା ସାମଲ,ଭାନୁମତୀ ସେଠୀ,ପ୍ରୀତିଛନ୍ଦା ଦାଶ,ତୃପ୍ତିମୟୀ ସ୍ୱାଇଁ, ଶୁଭଦର୍ଶିନୀ ସାହୁ,ଶୁଭସ୍ମିତା ସାହୁ, ଜୟଶ୍ରୀ ସାହୁ ପ୍ରମୁଖଙ୍କୁ ନଗଦ ଅର୍ଥରାଶି ଓ ମେଡାଲ ଦେଇ ମୁଖ୍ୟ ଅତିଥି ଶ୍ରୀ ଜେନା ସମ୍ବର୍ଦ୍ଧିତ କରିଥିଲେ । ପ୍ରାରମ୍ଭରେ ସ୍ମୃତି କମିଟି ଅଧ୍ୟକ୍ଷା ଅଧ୍ୟାପିକା ଡ. ସୁପ୍ରଭା ପରିଡା ଅତିଥି ପରିଚୟ ପ୍ରଦାନ ଓ ଶେଷରେ ଅଧ୍ୟାପକ ମନମୋହନ ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର