କେନ୍ଦୁଝର,୧୨/୦୯/୨୦୨୨(ଓଡ଼ିଶା ସମାଚାର)- ମୟୂରଭଞ୍ଜ ଜିଲ୍ଲା ଚଢ଼େଇଭୋଳ ନିକଟରେ ଗୁଳି କରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ଜଣକ ହେଉଛନ୍ତି ଝାଡ଼ଖଣ୍ଡ ପଶ୍ଚିମସିଂହଭୂମ ଜିଲ୍ଲା ଜଗନ୍ନାଥପୁର ଥାନା ଅନ୍ତର୍ଗତ ଛଣପଦା ଗ୍ରାମର ରାଜକିଶୋର ବେହେରାଙ୍କ ପୁଅ ମୃତ୍ୟୁଞ୍ଜୟ ବେହେରା। ଏହି ଘଟଣାରେ କେନ୍ଦୁଝର ଜିଲ୍ଲା ବାରିଆ ଥାନା ପୁଲିସ ୩ଜଣଙ୍କୁ ଅଟକ ରଖିଛି। ଅଟକ ଅଭିଯୁକ୍ତମାନେ ହେଉଛନ୍ତି ସେହି ଗ୍ରାମର ରାଜ ବେହେରା, ଗୋବିନ୍ଦ ବେହେରା ଓ ବିଜୁ ବେହେରା। ବାରିଆ ଥାନା ପୁଲିସ ସୂଚନା ଅନୁସାରେ, ସମ୍ପୃକ୍ତ ଯୁବକମାନେ ଏକ ଅଟୋ ନେଇ ଗତକାଲି ରାତିରୁ ଘରୁ ଆସିଥିଲେ। କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗାରେ ମରାମତି ପାଇଁ ଦିଆଯାଇଥିବା ମୋଟରସାଇକଲ ଆଣିବାକୁ ଯାଉଛୁ ବୋଲି ଘରେ କହିଥିଲେ। କିନ୍ତୁ ସମେସ୍ତ ଆଜି ମୟୂରଭଞ୍ଜ ଜିଲ୍ଲା ଶିଙ୍ଗଡ଼ା ହାଟରେ ବୁଲିଥିଲେ। ଅପରାହ୍ଣରେ ଘରକୁ ଫେରୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ଚଢ଼େଇଭୋଳ ନିକଟରେ ସେମାନଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ସେଠାରେ ଗୁଳି ମାଡ଼କରି ମୃତ୍ୟୁଞ୍ଜୟଙ୍କୁ ହତ୍ୟା କରିଥିଲେ। ହତ୍ୟାକାଣ୍ଡÿ ପରେ ସେହି ଅଟୋରେ ମୃତ୍ୟୁଞ୍ଜୟଙ୍କ ମୃତଦେହ ଚମ୍ପୁଆ ବ୍ଲକ୍ ଭଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିବା ସହ ମୃତକଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷ ବାରିଆ ପୁଲିସକୁ ଖବର ଦେଇଥିଲେ। ପୁଲିସ ଆସୁଥିବା ଜାଣି ଅଭିଯୁକ୍ତମାନେ ମୃତଦେହ ଓ ଅଟୋ କୁ ଛାଡ଼ି ଏକ ଘରୋଇ ବସ୍ ରେ ଚମ୍ପୁଆ ଆଡ଼କୁ ପଳାଇ ଯାଉଥିଲେ। ତେବେ ବାରିଆ ପୁଲିସ ବାଟରେ ସେହି ବସ୍ କୁ ଅଟକାଇ ଅଭିଯୁକ୍ତ ଯୁବକ ମାନଙ୍କୁ ହେପାଜତକୁ ନେଇଥିଲେ। ସମସ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ଓଡ଼ିଶା ସମାଚାର