ଭୁବନେଶ୍ୱର,୧୦/୦୯/୨୦୨୨(ଓଡ଼ିଶା ସମାଚାର)- ଗତକାଲି ରାତିରେ ରାଜଧାନୀ ଭୁବନେଶ୍ୱରରେ ପୁଣି ଆଉ ଏକ ହତ୍ୟାକାଣ୍ଡ ଘଟିଛି । ୟୁନିଟ୍ ୮ର ବସ୍ତି ଅଞ୍ଚଳରେ ଜଣେ ଯୁବକଙ୍କୁ ସଙ୍ଗବଦ୍ଧ ଭାବେ କିଛି ଯୁବକ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗୁରୁତର ଆହତ ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । କେଉଁ କାରଣରୁ ଏହିପରି ହତ୍ୟା କରାଯାଇଛି ତାର କାରଣ ଅସ୍ପଷ୍ଟ ରହିଛି । ଏନେଇ ଥାନାରେ ଅଭିଯୋଗ ହେବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ନିଶା କାରବାରକୁ ବିରୋଧ କରିବାରୁ ଯୁବକଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି । ନିଶା ବେପାରୀମାନେ ସଂଘବଦ୍ଧ ହୋଇ ବାଡ଼େଇବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱର ୟୁନିଟ୍-୮ର ନାରାୟଣୀ ବସ୍ତି ଅଞ୍ଚଳରେ ଚାଲିଥିବା ନିଶା କାରବାରକୁ ବିରୋଧ କରିବାରୁ ପି ସୁବ୍ରତ ରାଓ ଆଲିଆସ ଚନ୍ଦୁ (୩୭) ନାମକ ଜଣେ ଯୁବକଙ୍କୁ ଗତ ରାତିରେ ହତ୍ୟା କରାଯାଇଛି । ଚନ୍ଦୁଙ୍କ ଭଉଣୀଙ୍କ ଅଭିଯୋଗ ଅନୁସାରେ, ବସ୍ତି ଅଞ୍ଚଳରେ ଅବାଧ ନିଶା କାରବାର ଚାଲିଥିଲା । ପୂର୍ବରୁ ନିଶା ନିବାରଣ କେନ୍ଦ୍ରରେ ସମୟ କାଟି ଫେରିଥିବା ଚନ୍ଦୁ ଏହାକୁ ବିରୋଧ କରି ଆସୁଥିଲେ ।ଫଳରେ ନିଶା ବେପାରୀମାନେ ଆକ୍ରୋଶ ରଖି ତାଙ୍କୁ ଆକ୍ରମଣ କରିବା ଲାଗି ଧମକ ମଧ୍ୟ ଦେଉଥିଲେ । ଗତ ରାତିରେ ଚନ୍ଦୁଙ୍କୁ ସଂଘବଦ୍ଧ ହୋଇ ପିଟିବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଚନ୍ଦୁଙ୍କ ଭାଇଙ୍କ ଅଭିଯୋଗ ଅନୁସାରେ, ନିଶା କାରବାର ନେଇ ପୋଲିସକୁ ଖବର ଦେବାରୁ ରାଗ ରଖି ନିଶା ବେପାରୀମାନେ ତାଙ୍କୁ ହତ୍ୟା କରିଛନ୍ତି । ସେପଟେ ଚନ୍ଦୁଙ୍କ ସହ ଥାଇ ଆକ୍ରମଣର ଶିକାର ହୋଇଥିବା ଅନ୍ୟ ଜଣେ ୟୁବକଙ୍କ କହିବା ଅନୁସାରେ, ହତ୍ୟା ପଛରେ ଦେହ ବ୍ୟବସାୟୀର ଲିଙ୍କ ରହିଛି । ପୋଲିସ ଘଟଣାର ତଦନ୍ତ କରୁଛି । ହତ୍ୟା ଘଟଣାର ପ୍ରକୃତ କାରଣ ଜଣାପଡ଼ିନାହିଁ । ଓଡ଼ିଶା ସମାଚାର