‘ସରକାରୀ ଅର୍ଥ ବିନିଯୋଗର ଅନୁଧ୍ୟାନ କର’
ଭୁବନେଶ୍ୱର,୦୯/୦୯/୨୦୨୨(ଓଡ଼ିଶା ସମାଚାର)- ଆମେ ପାଉଥିବା ପ୍ରତିଟି ପାଉଣା ଓ ଆନୁଷଙ୍ଗିକ ଉପଲବ୍ଧି ରାଜ୍ୟବାସୀଙ୍କ ତହବିଲରୁ ଆସୁଛି। ତେଣୁ ସରକାରୀ ଅର୍ଥର ବ୍ୟବହାରକୁ ଠିକ୍ ଭାବେ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି। ଏଥିସହ ସରକାରୀ ଅର୍ଥ କିପରି ଭାବେ ସୁରୁଖୁରୁରେ ଏବଂ ସ୍ୱଚ୍ଛତାର ସହ ଖର୍ଚ୍ଚ ହେବ, ସେଥିପ୍ରତି ସଜାଗ ରହିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତ ଅଡ଼ିଟରମାନଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ଗୁରୁବାର ୧୪୭ ଜଣ ଅଡିଟରଙ୍କୁ ଲୋକସେବା ଭବନର ସମ୍ମେଳନ କକ୍ଷରେ ନିଯୁକ୍ତି ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଦିଗଦର୍ଶନ ପ୍ରଦାନ କରି ଉପରୋକ୍ତ ମନ୍ତବ୍ୟ ରଖିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱଚ୍ଛ ଚୟନ ପ୍ରକ୍ରିୟା ମଧ୍ୟ ଦେଇ ମେଧା ସମ୍ପନ୍ନ ପ୍ରତିଭାମାନଙ୍କୁ ଅଡିଟର ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ସରକାରୀ ବ୍ୟବସ୍ଥା ମଧ୍ୟରେ ଜନସାଧାରଣଙ୍କୁ ଉପଯୁକ୍ତ ସେବା ପ୍ରଦାନ କରିବାରେ ‘୫-ଟି’ ଉପକ୍ରମ ବିଶେଷ ଭୂମିକା ଗ୍ରହଣ କରିଛି। ସମସ୍ତ ସରକାରୀ କର୍ମଚାରୀ ପୂର୍ଣ୍ଣ ଭାବେ ଦାୟିତ୍ୱସମ୍ପନ୍ନ ଓ ତ୍ୟାଗପୂତ ଭାବେ ରାଜ୍ୟବ୍ୟବାସୀଙ୍କ ସେବା କରିବାର ଆବଶ୍ୟକତା ରହିଛି। ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ଯତନବାନ ଓ ସହାନୁଭୂତି ସହକାରେ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଦିଗଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀ ରାଜ୍ୟର ପ୍ରଗତି ସମ୍ପର୍କିତ ତଥ୍ୟ ଉପସ୍ଥାପନା କରିଥିଲେ। ସେ କହିଥିଲେ ଯେ, ବିଗତ ୨ ଦଶନ୍ଧି ମଧ୍ୟରେ ରାଜ୍ୟରେ ବିରାଟ ପରିବର୍ତ୍ତନ ତଥା ରୂପାନ୍ତରଣ ଲକ୍ଷ୍ୟ କରାଯାଇଛି। ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିଦ୍ଧି ସହ ପ୍ରଶାସନ ଏବଂ ସରକାରୀ ସେବାରେ ଦେଶରେ ମଡେଲ ଭାବେ ଉଭା ହୋଇପାରିଛି।
ଏହି ଅବସରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ ଯେ, ୫-ଟି ଉପକ୍ରମ ଏବଂ ମୋ ସରକାର କାର୍ଯ୍ୟକ୍ରମ ରାଜ୍ୟରେ ଥିବା ବ୍ୟବସ୍ଥିତ ପ୍ରଶାସନିକ ମଡେଲର ନିଦର୍ଶନ। ଲୋକମାନଙ୍କ ପାଇଁ ବହୁଳ ଭାବେ ସହାୟତା ପ୍ରଦାନ କରାଯାଉଛି। ତେଣୁ ଏହି ଖର୍ଚ୍ଚ ବିନିଯୋଗ ଉପରେ ଅଡିଟରମାନେ ନଜର ରଖିବାର ଆବଶ୍ୟକତା ରହିଥିବା ଶ୍ରୀ ପୂଜାରୀ କହିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓଡ଼ିଶାକୁ ଅର୍ଥନୈତିକ ଭାବେ ସନ୍ତୁଳିତ ରାଜ୍ୟ ଭାବେ ଅଭିହିତ କରିଥିଲେ। ନୂତନ ଭାବେ ଅଡିଟର ନିଯୁକ୍ତ ହୋଇଥିବା ଷ୍ଟିଫେନ୍ ମଲ୍ଲିଆ, ଜନ୍ମେଞ୍ଜୟ ମହନ୍ତ ଏବଂ ମମତା ସାହୁ ଚୟନ ପ୍ରକ୍ରିୟା ସମ୍ପର୍କରେ ସେମାନଙ୍କର ଅନୁଭୂତି କାର୍ଯ୍ୟକ୍ରମରେ ବଖାଣିଥିଲେ। ଏବି ଚୟନ ପ୍ରକ୍ରିୟାର ସ୍ୱଚ୍ଛତା ଏବଂ ସରଳୀକରଣର ସେମାନେ ଭୂୟସୀ ପ୍ରଶଂସା କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ ପାଣ୍ଡିଣ୍ଡିଆନ୍ ଅଡିଟରମାନଙ୍କୁ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥିଲେ। ସେକହିଥିଲେ ଯେ, ଚୟନ ପ୍ରକ୍ରିୟାରେ ଯେପରି ସ୍ୱଚ୍ଛତାର ରାସ୍ତା ଦେଇ ସମ୍ପନ୍ନ ହୋଇଛି। ଅଡିଟରମାନେ ନିଜ କର୍ମ କ୍ଷେତ୍ରରେ ସେହିପରି ସ୍ୱଚ୍ଛତା ଅବଲମ୍ବନ କରିବା ଉଚିତ। ମୁଖ୍ୟମନ୍ତ୍ରୀ ସଦାସର୍ବଦା ସରକାରୀ ଅର୍ଥର ସୁବିନିଯୋଗ ଉପରେ ଗୁରୁତ୍ୱାରୋପ କରିଥାନ୍ତି। ଅଡିଟର ମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ୍ ମାର୍ଗରେ ଚାଲିବା ଉଚିତ। ସରକାରୀ ଅର୍ଥର ଖର୍ଚ୍ଚ ଗୁଡ଼ିକର ସ୍ୱଚ୍ଛତା ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି ୫-ଟି ସଚିବ ଗୁରୁତ୍ୱାରୋପ କରିଥିଲେ। ସେହିପରି କାର୍ଯ୍ୟକ୍ରମରେ ଅର୍ଥ ସଚିବ ବିଶାଳ ଦେବ ପ୍ରାରମ୍ଭିକ ଅଭିଭାଷଣ ରଖିଥିବା ବେଳେ ବିଭାଗୀୟ ସ୍ୱତନ୍ତ୍ର ସଚିବ ଧନ୍ୟବାଦ ପ୍ରଦାନ କରିଥିଲେ।