Wednesday , May 31 2023
Breaking News
Home / ବିଶେଷ / ପଥର ସମସ୍ୟା ସମାଧାନ ପାଇଁ ଆନ୍ଦୋଳନକୁ ଓହ୍ଲାଇବେ କାରିଗର

ପଥର ସମସ୍ୟା ସମାଧାନ ପାଇଁ ଆନ୍ଦୋଳନକୁ ଓହ୍ଲାଇବେ କାରିଗର

ନିରାକାରପୁର, ୦୯/୦୯/୨୦୨୨(ଓଡ଼ିଶା ସମାଚାର)- ଓଡିଶା ଶିଳ୍ଲୀ ମହାସଂଘ ଆନୁକୂଲ୍ୟରେ କାରିଗର ମାନଙ୍କ ସମସ୍ୟା ସଂପର୍କିତ କର୍ମଶାଳା ଦକ୍ଷିଣଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ।ଶିଳ୍ପୀ ମହାସଂଘ ସଂପାଦକ  ପ୍ରିୟରଞ୍ଜନ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସଂଘର ଖୋର୍ଦ୍ଧାଜିଲ୍ଲା ସଭାପତି ଗଗନ ମହାରଣା,କାର୍ଯ୍ୟକାରୀ ସମିତି ସଦସ୍ୟ ଅଜୟ ଜଗଦ୍ଧେବ ପ୍ରମୁଖ ଉପସ୍ଥିତ ରହି କାରିଗର ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । କାରିଗର ମାନଙ୍କୁ ଉଯଯୁକ୍ତ ପରିମାଣରେ ପଥର ମିଳୁନଥିବାରୁ ସମସ୍ୟା ବଢିବାରେ ଲାଗିଛି ।ଭୋଗପୁର ଓ ଯୋଗମାୟା ପାହାଡକୁ ସରକାର ଓଏମସିକୁ  ନିଲାମ ଦେବାପରେ ଆଉ  ପଥର ମିଳୁନାହିଁ । ଓଏମସି  ସଂପୃକ୍ତ ପାହାଡକୁ ଘେରା ବନ୍ଦୀ କରି ରଖିବା ସହିତ ଜଗୁଆଳ ମାନେ ପ୍ରହରା ଦେଉଥିବା କାରିଗର ମାନେ ପ୍ରକାଶ କରିଛନ୍ତି । ନିଲାମ ସମୟରେ ଓଏମସି ଯଦି ଓ  କାରିଗରମାନଙ୍କ ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ପଥର ଯୋଗାଇଦେବ  ବୋଲି କହିଥିଲା କିନ୍ତୁ ଏବେ ସୁଧା ଖଣ୍ଡେବି ପଥର କାରିଗର ମାନଙ୍କୁ ଦେଉନାହିଁ । ଫଳରେ କାରିଗର ମାନେ ପଥର ନପାଇବା ଫଳରେ ନିଜର କୌଳିକ ବୃତି କରିପାରୁନାହାନ୍ତି ।ସମସ୍ୟା ପଥର କାରିଗର ମାନଙ୍କ ପିଛା ଛାଡୁନାହିଁ ।ଉକ୍ତ ଅଂଚଳର ସମସ୍ତ ଜମି ଜଗନ୍ନାଥ ବିଜେ ନାମରେ ରେକର୍ଡ ଭୂକ୍ତ ହୋଇଯିବାପରେ କାରିଗର ମାନେ ନିଜବାଡ଼ିରୁ ମଧ୍ୟ ପଥର ଖଣ୍ଡେ ଉତୋଳନ କରିପାରୁନାହାନ୍ତି ।ଯେଉଁ କାରିଗର ଲୁଚା ଛପାରେ ନିଜ ବାଡ଼ିରୁ ପଥର ଉତୋଳନ କରି କାର୍ଯ୍ୟ କରୁଛନ୍ତି ,ସେମାନଙ୍କୁ ପୋଲିସ୍ ଉଠାଇନେବା ସହ ତାଙ୍କ ଜିନିଷ ପତ୍ର ଛାଡାଇ ନେଇଯାଉଛି ।ଏଭଳି ପରିସ୍ଥିତିରେ କିଭଳି ଜୀବନ ଜୀବିକା କରି ପରିବାର ପ୍ରତିପୋଷଣ କରିବେ ସେହି ଚିନ୍ତାରେ କାରିଗର ପରିବାର ।

                ଅନ୍ୟ ପକ୍ଷରେ କାରିଗରମାନଙ୍କ କହିବା ଅନୁଯାଇ ୨୦୧୩ ପର୍ଯ୍ୟନ୍ତ ସବୁ ଠିକ୍ ଥିଲା । ଉତ୍କଳିକାକୁ ସରକାର ବାତିଲି କରିବା ପରେ ଆମର ସମସ୍ୟା ଆରମ୍ଭ ହେଲା । ଯଦି ସଂପୃକ୍ତ ଅଂଚଳର ସମସ୍ତ ଜମି ଜଗନ୍ନାଥ ବିଜେଙ୍କ ନାମରେ ରେକର୍ଡଭୂକ୍ତ ହୋଇଛି ତାହାଲେ ଦୁଇଟି ପାହାଡକୁ ସରକାର କିପରି ଭାବେ ଓଏମସିକୁ ନିଲାମ ଦେଲେ ବୋଲି କାରିଗର ମାନେ ଓଲଟା ପ୍ରଶ୍ନ କରିଛନ୍ତି । ପୂର୍ବ ପୁରୁଷ  ବାପା ଅଜା ଅମଳରୁ ଆମେ ଦୁଇଟି ପାହାଡରୁ ମୁର୍ତି,ଚନ୍ଦନପେଡି,କୁଣ୍ଡ,  ଆଦି କରି ନିଜର ଗୁଜୁରାଣ ମେଂଟାଉଥିଲୁ । ସରକାର ଆମ ଭାତହାଣ୍ଡୀକୁ ଛଡାଇନେବା ସହିତ ଆମ ପିଛାଲାଗି ଆମମାନଙ୍କୁ ଅନାଥ କରିବା ପାଇଁ ଯୋଜନା କରିଛନ୍ତି ବୋଲି କାରିଗରମାନେ ଅଭଯୋଗ କରିଛନ୍ତି ।ଶ୍ରୀ ଜଗନ୍ନାଥ ବିଜେ ନାମରେ ଜିମି ରେକର୍ଡଭୂକ୍ତ ହେବାପରେ ଆମେ ବିଜୁପକ୍କାଘର ହେଉ କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଘର ଖଣ୍ଡେ ପାଇଁ ଆମେ ଅଯୋଗ୍ୟ ବ୍ୟକ୍ତି ଭାବେ ପରିଗଣିତ ହେଉଛୁ । ପିଲାମାନେ ନିଯୁକ୍ତି ପାଇବା ପାଇଁ ଆମେ ସ୍ଥାୟୀ ବାସିନ୍ଦା ଭାବେ ପ୍ରମାଣପତ୍ର ପାଇପାରୁନାହୁଁ । ବିଭିନ୍ନ ସରକାରୀ ଯୋଜନାରୁ ଆମେ ବଂଚିତ ରହୁଛୁ । ଚଳିତ ବର୍ଷ ବନ୍ୟାରେ ଆମ ବିଲବାଡି ସଂପୂର୍ଣ୍ଣ ଭାବେ ଫସଲ କ୍ଷତି ହୋଇଥିଲେ ମଧ୍ୟ ଆମର ଜମି ରେକଡ ନଥିବାରୁ ଆମର ଋଣ ଛାଡ ହୋଇପାରୁନାହିଁ । କୌଣସି ଗୁରୁତ୍ୱପୂର୍ଣ୍ଣ କାମରେ ଝିଅ ବାହାଘର କିମ୍ବା  କୌଣସି ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ଆମେ ଜମି ଖଣ୍ଡେ ବିକ୍ରୀ କିମ୍ବା ବନ୍ଧା ରଖିପାରୁନାହୁଁ ବୋଲି କ୍ଷୋଭର ସହ କାରିଗର ମାନେ ମତଦେଇଥିଲେ । ସରକାର ତୁରନ୍ତ ଆମ ପାହାଡ ଆମକୁ ଫେରାଇବା ସହ ଓଏମସି ନିଲାମ ପ୍ରତ୍ୟାହାର କରି ଆମ ଜମି ଆମ ନାମରେ ରେକଡଭୂକ୍ତ କରୁନ୍ତୁ ବୋଲି ଶିଳ୍ଲୀ ସଂଘ ଚେତାବନୀ ଦେଇଛନ୍ତି । ନଚେତ ଆଗାମୀ ଦିନରେ ଆମ ପରିବାରର ପ୍ରତ୍ୟେକ ସଦସ୍ୟ ରାଜରାସ୍ତାକୁ ଓହ୍ଲାଇବା ସହ ଆମର ହକ୍ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅମରଣ ଅନଶନ କରିବୁ ବୋଲି ସଂଘ ଚେତାବନୀ ଦେଇଛି । ଉକ୍ତ କାର୍ଯ୍ୟକ୍ରମରେ ଶିଳ୍ଲୀ କେଶବ ପ୍ରଧାନ,ବାସୁଦେବ ବିଶ୍ୱାଳ,ଗୋପିନାଥ ବେହେରା,ସଂଜୟ ଲେଙ୍କା, ବୈକୁଣ୍ଠ  ବଳୟାରସିଂହ,କେଦାରନାଥ ଗୁମାସିଂହ ଶରତ ଚନ୍ଦ୍ର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ହାଡପଦା, କୁରୁମପଡ଼ା, ବଳପୁର ଆଦି ଗ୍ରାମରୁ ପ୍ରାୟ ୨୦୦ସହରୁ ଉର୍ଦ୍ଧ କାରିଗର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.