Monday , June 5 2023
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ଧଉଳି ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀ, ମାସ ଶେଷ ସୁଦ୍ଧା ସରିବ ସୌନ୍ଦର୍ଯ୍ୟକରଣ

ଧଉଳି ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀ, ମାସ ଶେଷ ସୁଦ୍ଧା ସରିବ ସୌନ୍ଦର୍ଯ୍ୟକରଣ

ଅକ୍ଟୋବର ୨୮ ରେ ମୁଖ୍ୟ ଉତ୍ସବ – ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

ଭୁବନେଶ୍ୱର,୦୯/୦୯/୨୦୨୨(ଓଡ଼ିଶା ସମାଚାର)- ୧୯୭୨ ମସିହାରେ ଧଉଳି ପାହାଡରେ ପ୍ରତିଷ୍ଠିତ ବିଶ୍ୱବିଦିତ ଶାନ୍ତିସ୍ତୁପ ଏବଂ ବୌଦ୍ଧ ପୁଣ୍ୟପୀଠ ଚଳିତ ବର୍ଷ ୫୦ ବର୍ଷ ପୂରଣ କରିବାକୁ ଯାଉଛି। ଏହାକୁ ସ୍ମରଣୀୟ କରିବା ପାଇଁ ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି। ଏହି ଉପଲକ୍ଷେ ଗୁରୁବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଲୋକସେବା ଭବନ ସଭା ଗୃହରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ଉତ୍ସବ ପାଳନ ସମ୍ୱନ୍ଧିତ କାର୍ଯ୍ୟକ୍ରମ ଏବଂ ପରିଚାଳନା ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ। ଆସନ୍ତା ଅକ୍ଟୋବର ୨୮ ତାରିଖ ଦିନ ମୁଖ୍ୟ ଉତ୍ସବ ପାଳନ ପାଇଁ ବୈଠକରେ ସ୍ଥିରୀକୃତ କରାଯାଇଛି। ଏଥିରେ ପୃଥିବୀର ବିଭିନ୍ନ ଦେଶରୁ ପ୍ରାୟ ୧୫୦ ବୌଦ୍ଧ ସନ୍ୟାସୀ ଯୋଗ ଦେବାର ସମ୍ଭାବନା ଅଛି। ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ଆର୍ଥିକ ଏବଂ ପ୍ରଶାସନିକ ସହଯୋଗ ଯୋଗାଇ ଦିଆଯିବ। ବର୍ତ୍ତମାନ ଓଡ଼ିଶା ସରକାରଙ୍କ ତରଫରୁ ପ୍ରାୟ ୧.୮୭ କୋଟି ଟଙ୍କା ବ୍ୟୟବରାଦରେ କରାଯାଉଥିବା ଶାନ୍ତିସ୍ତୁପ ସଂରକ୍ଷଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚଳିତ ମାସ ଶେଷସୁଦ୍ଧା ସାରିବା ପାଇଁ ଶ୍ରୀ ମହାପାତ୍ର ପୂର୍ତ୍ତ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଅଂଶଗ୍ରହଣ କରି ପଦ୍ମବିଭୁଷଣ ସୁଦର୍ଶନ ସାହୁ କହିଥିଲେ ଯେ, ସଂରକ୍ଷଣ କାର୍ଯ୍ୟ ଦେଖିବା ପାଇଁ ଜାପାନରୁ ଆସିଥିବା ବୈଷୟିକ ଯନ୍ତ୍ରୀମାନେ ଓଡ଼ିଶା ସରକାରଙ୍କ ଦ୍ୱାରା କରାଯାଉଥିବା ଗୁଣାତ୍ମକମାନ କାର୍ଯ୍ୟର ପ୍ରଶଂସା କରିଥିଲେ। ଧଉଳିର ମୁଖ୍ୟ ସନ୍ୟାସୀ ମଧ୍ୟ ଏହି କାର୍ଯ୍ୟର ମାନ ଏବଂ ଅଗ୍ରଗତି ବିଷୟରେ ସନ୍ତୋଷ ପ୍ରକାଶ କରିଥିଲେ। ମଞ୍ଚ ପ୍ରସ୍ତୁତି, ସାଜସଜ୍ଜା, ବିଭିନ୍ନ ଦେଶରୁ ଆସୁଥିବା ସନ୍ୟାସୀ ଓ ପ୍ରତିନିଧି ମାନଙ୍କର ଆଗମନ, ରହଣୀ, ଉତ୍ସବରେ ଯୋଗଦାନ, ଆତିଥ୍ୟ ଆଦି ବିଷୟରେ ସବିଶେଷ ଯୋଜନା ଏବଂ ଖର୍ଚ୍ଚ ଆକଳନ କରି ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଦାଖଲ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସ୍ଥାନୀୟ ଧଉଳି ଉନ୍ନୟନ କମିଟିଙ୍କୁ ପରାମର୍ଶ ଦେଇଥିଲେ। ଏହି କମିଟି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟ କରିବ। ଧଉଳିରେ ସ୍ଥାପନ କରାଯାଇଥିବା ବିଭିନ୍ନ ପ୍ରକାର ପର୍ଯ୍ୟଟକ ସୁବିଧା କେନ୍ଦ୍ର, ରାସ୍ତା ଆଲୋକ ଆଦିର ରକ୍ଷଣା ବେକ୍ଷଣ ଓ ପରିସରର ପରିଚ୍ଛନ୍ନତା ଆଦି କାର୍ଯ୍ୟ ନିୟମିତ ଭାବେକରିବା ପାଇଁ ଏହି ସ୍ଥାନୀୟ କମିଟିଙ୍କୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ କମିଟି ପ୍ରବେଶ ଟିକେଟ ଓ ପାର୍କିଂ ଟିକେଟ ଆଦିରୁ ସଂଗୃହିତ ରାଶି ବିନିଯୋଗ କରିବେ।

ଅନ୍ୟମାନଙ୍କ ମଧ୍ୟରେ ଅର୍ଥ  ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚ୍ଚିନ୍ ରାମଚନ୍ଦ୍ର ଯାଦବ, ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ ସମେତ ଧଉଳିର ମୁଖ୍ୟ ସନ୍ୟାସୀ ଓ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published.