ଭୁବନ ୦୯/୦୯/୨୦୨୨(ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ଓଡିଶ ଗ୍ରାମରେ ଗଣେଶ ପୂଜା ଭସାଣିରେ ସବର୍ଣ୍ଣ-ଅସବର୍ଣ୍ଣ ଙ୍କ ମଧ୍ୟରେ ଗୋଷ୍ଠୀ ବିବାଦ ହୋଇଥିଲା । ଉଭୟ ଗୋଷ୍ଠୀ ପକ୍ଷରୁ ଭୁବନ ଥାନାରେ ଅଭିଯୋଗ ଓ ପ୍ରତି ଅଭିଯୋଗ ଦାଖଲ କରାଯାଇଥିଲା । ଏ ସଂପର୍କରେ ପୋଲିସ ତଦନ୍ତ ଜାରି ରହିଛି । ଅସବର୍ଣ୍ଣ ବ୍ୟକ୍ତି ମାନେ ସର୍ବସାଧାରଣ ରାସ୍ତାକୁ ତାଡି ଦେବା ଫଳରେ ଯାତାୟତରେ ଘୋର ଅସୁବିଧା ଦେଖାଦେଇଥିଲା । ଏଥିପାଇଁ ଗୋଷ୍ଠୀ ସଂଘର୍ଷର ରୂପ ନେବାକୁ ଯାଉଥିବା ବେଳେ ଭୁବନ ଥାନାଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ ଙ୍କ ଉପସ୍ଥିତ ବୁଦ୍ଧି ସାଙ୍ଗକୁ ମଧ୍ୟସ୍ଥତା ଯୋଗୁ ବିବାଦର ସମାଧାନ ହୋଇଛି । ଆଇଆଇସି ଶ୍ରୀଯୁକ୍ତ ସ୍ୱାଇଁ ଆଜି ସଦଳ ବଳେ ଓଡିଶ ଗ୍ରାମରେ ପହଁଚି ଉଭୟ ଗୋଷ୍ଠୀର ଭଦ୍ରବ୍ୟକ୍ତି ମାନଙ୍କୁ ଏକତ୍ରିତ କରାଇ ଗ୍ରାମ କୋଠଘରେ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ସଭା କରି ଉଭୟ ପକ୍ଷଙ୍କୁ ବୁଝାଶୁଝା କରି ବିବାଦର ସମାଧାନ କରିଥିଲେ । ପରେ ଗ୍ରାମବାସୀ ଙ୍କ ସହ ନିଜେ ଆଇଆଇସି ଶ୍ରୀଯୁକ୍ତ ସ୍ୱାଇଁ କୋଦାଳ ,ଫାଉଡା ଧରି ରାସ୍ତାରେ ମାଟି ପକାଇ ସମସ୍ତଙ୍କ ମନ ଜିଣିନେଇଥିଲେ । ଓଡ଼ିଶା ସମାଚାର