Wednesday , May 31 2023
Breaking News
Home / ବିଶେଷ / ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦୁର୍ଦ୍ଦାନ୍ତ ମାଓବାଦୀ

ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦୁର୍ଦ୍ଦାନ୍ତ ମାଓବାଦୀ

ନୂଆପଡ଼ା,୦୮/୦୯/୨୦୨୨(ଓଡ଼ିଶା ସମାଚାର)- ଜିଲ୍ଲା ପୁଲିସ ପକ୍ଷରୁ ବୁଧବାର ଦୁଇ ଦୁର୍ଦ୍ଦାନ୍ତ  ମାଓବାଦୀଙ୍କ ବିବାହ କରାଯାଇଛି। ମାଓବାଦୀ ଦ୍ୱୟ ଅସ୍ତ୍ର ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନୂଆପଡ଼ା ଜିଲ୍ଲା ରିଜର୍ଭ ପୁଲିସ ପଡ଼ିଆରେ ହିନ୍ଦୁ ରୀତିନୀତି ଅନୁଯାୟୀ ଯାକଜମକରେ ବିବାହ ଉତ୍ସବ ସମ୍ପନ୍ନ ହୋଇଛି । ୨୦୧୮ରେ ନୂଆପଡ଼ା ଜିଲ୍ଲାରେ ଆତ୍ମସମର୍ପଣ କରିଥିବା ସିନାପାଲି ଥାନା କନ୍ଦେନଝରିଆର ଡାଲମତି ଓରଫ ମାଧୁରୀ ଏବଂ ୨୦୨୧ରେ କନ୍ଧମାଳ ଜିଲ୍ଲାରେ ଆତ୍ମସମର୍ପଣ କରିଥିବା ଛତିଶଗଡ଼ର ମାଓନେତା ରାହୁଲ ଓରଫ ପିଣ୍ଟୁଙ୍କ ବିବାହ ହୋଇଛି। ସ୍ଥାନୀୟ ଜିଲ୍ଲା ପୁଲିସ ବ୍ୟାରେକରେ ଆୟୋଜିତ ହୋଇଥିଲା ବିବାହ ଉତ୍ସବ ।

ସ୍ଥାନୀୟ ସିଲଦା ଛକରୁ ବରପକ୍ଷ ଶୋଭାଯାତ୍ରାରେ ବାହାରିଥିଲେ। ଜିଲ୍ଲା ପୁଲିସର ଶତାଧିକ ଅଧିକାରୀ, ଯବାନ ବରଯାତ୍ରୀ ଶୋଭଯାତ୍ରାରେ ସାମିଲ ହୋଇ ନାଚଗୀତରେ ମସଗୁଲ ହୋଇଥିଲେ। ବରପକ୍ଷଙ୍କୁ ଏସପି ପ୍ରତ୍ୟୁଷ ଦିବାକର ବରଣ କରି ନେଇଥିଲେ। ମଧ୍ୟାହ୍ନରେ ପାଣିଗ୍ରହଣ ହୋଇଥିଲା। ଏସଡିପିଓ ପ୍ରଶାନ୍ତ କୁମାର ପଟ୍ଟନାୟକ ବରପିତା ଏବଂ ଖରିଆରରୋଡ ଥାନାଧିକାରୀ କୈଳାସ ଚନ୍ଦ୍ର ସେଠୀ କନ୍ୟାପିତା ଭାବରେ ଦାୟିତ୍ୱ ତୁଳାଇଥିଲେ। ଅକ୍ଷୟ କୁମାର ରଥ ପାଣିଗ୍ରହଣ କରାଇଥିଲେ। ଏହି ଅବସରରେ ଡିଆଇଜି ରାଜେଶ ପଣ୍ଡିତ, ଏସପି ଦିବାକର, ଖଡ଼ିଆଳ ଏସଡିପିଓ ସନ୍ତକ ଜେନା ପ୍ରମୁଖ ଯୋଗଦେଇ ନବଦମ୍ପତିଙ୍କୁ ଆଶୀର୍ବାଦ କରିଥିଲେ। ପୁଲିସ ବିଭାଗ ତରଫରୁ ନବଦମ୍ପତିଙ୍କୁ ବିଭିନ୍ନ ଘରକରଣା ସାମଗ୍ରୀ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ମାଓବାଦୀମାନଙ୍କୁ ଅସ୍ତ୍ର ତ୍ୟାଗ କରି ମୁଖ୍ୟ ସ୍ରୋତକୁ ଆସନ୍ତୁ ବୋଲି ବାର୍ତ୍ତା ଦେଉଥିବା ଏହି ଅବସରରେ ଡିଆଇଜି ପଣ୍ଡିତ କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନୂଆପଡ଼ା ଥାନାଧିକାରୀ ନିର୍ମଳ କୁମାର ପାଣିଗ୍ରାହୀ, ଧରମବନ୍ଧା ଥାନାଧିକାରୀ ଗଏନ୍ଦରାମ ସତନାମୀ, କୋମନା ଥାନାଧିକାରୀ ଜ୍ୟୋତିରଞ୍ଜନ ଗଉଡ଼, ସିନାପାଲି ଥାନାଧିକାରୀ ଡମ୍ବରୁଧର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ଦେବାଶିଷ ରାଉତଙ୍କ ସମେତ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଭୋଜି ଆୟୋଜନ ହୋଇଥିଲା।

Leave a Reply

Your email address will not be published.