Thursday , September 29 2022
Home / ରାଜନୀତି / ବିଜେପିର ୧୨ ଘଣ୍ଟିଆ ଏରସମା ବନ୍ଦ

ବିଜେପିର ୧୨ ଘଣ୍ଟିଆ ଏରସମା ବନ୍ଦ

ଏରସମା,୦୮/୦୯/୨୦୨୨(ଓଡ଼ିଶା ସମାଚାର)-ଗତବର୍ଷ ସେପ୍ଟେମ୍ୱର ମାସ ଲଗାଣ ବର୍ଷାରେ ଉଜୁଡି ଯାଇଥିଲା ଚାଷ। ଏହି ଲଗାଣ ବର୍ଷାରେ ଅନେକ ଅଞ୍ଚଳରେ ଫସଲ ଉଜୁଡ଼ି ଯାଇଥିବାବେଳେ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକରେ ସର୍ବାଧିକ ୪୧୫ ମିଲିମିଟର ବର୍ଷା ହୋଇଥିଲା। ଅନେକ ପଞ୍ଚାୟତରେ ଚାଷ ଉଜୁଡି ଯାଇଥିବାବେଳେ କେନ୍ଦ୍ର ସରକାର ୫୨୫ କୋଟି ଟଙ୍କାର ସହାୟତା ଦେଇଥିଲେ। ବର୍ଷେ ବିତିଯାଇଥିବାବେଳେ ଫସଲ କ୍ଷୟକ୍ଷତି ଓ ବୀମା ରାଶି ଏରସମା ଅଞ୍ଚଳର ଚାଷୀ ପାଇନାହାନ୍ତି । ଚାଷୀଙ୍କୁ  ବୀମାରାଶି ଓ କ୍ଷତିପୂରଣ ମିଳି ନ ଥିବାରୁ ଚାଷୀ ଓ ବିଭିନ୍ନ ସଂଗଠନ ପକ୍ଷରୁ ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ  ଦାବି ଜଣାଇଥିଲେ। କୌଣସି ସୁଫଳ ମିଳିଲା ନାହିଁ। ଯାହାକୁ ନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ୧୨ ଘଣ୍ଟିଆ ଏରସମା ବନ୍ଦ କରାଯାଇଛି।

ଗତବର୍ଷ  ସେପ୍ଟେମ୍ୱର ମାସ ଓ ଚଳିତ ବର୍ଷ ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ  କ୍ଷତିପୂରଣ ଦାବିରେ ଭାରତୀୟ ଜନତା ପାର୍ଟି  ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା। ସମସ୍ତ ଅତ୍ୟାବଶ୍ୟକ ବ୍ୟବସ୍ଥାକୁ ଛାଡ଼ି ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। ଦୋକାନ, ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ବିଜେପିର ଏହି ୧୨ଘଣ୍ଟିଆ ଏରସମା ବନ୍ଦ ପାଳନ ସଫଳ ହୋଇଥିବା କୁହାଯାଉଥିବାବେଳେ ଲୋକଙ୍କ ପାଖରେ ସହାୟତା ରାଶି କେବେ ପହଞ୍ଚିବ ତାକୁ ହିଁ ଦେଖିବାକୁ ବାକି ରହିଲା।

Leave a Reply

Your email address will not be published.