କଟକ, ୦୮/୦୯/୨୦୨୨(ଓଡ଼ିଶା ସମାଚାର)- ଏକ ଦାମୀ ବ୍ରାଣ୍ଡ୍ ର ଔଷଧକୁ ନକଲ କରାଯାଇ ବଜାରକୁ ଛଡ଼ାଯାଇଛି। ଏହି ଔଷଧ ପାଟଣା, ବିହାର, ବେଙ୍ଗାଲୁରୁରୁ କଟକ, ଭୁବନେଶ୍ବରକୁ ଆସିଛି। ଏବଂ କଟକରୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଏହି ନକଲି ଔଷଧ ଯାଇଥିବା ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ କରାଯାଇଥିବା ଚଢ଼ଉ ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କଟକ, ଭୁବନେଶ୍ବର, ବାଲେଶ୍ବର ସମେତ ରାଜ୍ୟର ପ୍ରାୟ ୭ଟି ଅଞ୍ଚଳକୁ ଏହି ଔଷଧ ଯାଇଥିବା ଜଣାପଡ଼ିବା ପରେ ସେସବୁ ଔଷଧକୁ ବିକ୍ରି ନକରିବା ପାଇଁ ନିର୍ଦ୍ଦେଶନାମା ସହିତ ସେସବୁକୁ ବଜାରରୁ ଫେରସ୍ତ ଆଣିବାକୁ ସମସ୍ତଙ୍କୁ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ଚିଠି ଲେଖିଛି । ପାଖାପାଖି ହଜାରେ ଦୋକାନକୁ ଏହି ଔଷଧ ଯାଇଥିବା ଆଶଙ୍କା କରାଯାଉଛି। ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ଏଯାଏ ଏଭଳି ୩ ଲକ୍ଷ ଟଙ୍କାର ଔଷଧ ଜବତ୍ କରି ସାରିଲାଣି।
ମିଳିଥିବା ସୂଚନା ଅନୁସାରେ, ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ବ୍ୟବହାର ହେଉଥିବା ଟେଲମା-୪୦ ଓ ଟେଲମା- ଏଏମ୍ ଔଷଧର ନକଲି ବ୍ରାଣ୍ଡ୍ ବିକ୍ରି ହେଉଥିବା ଅଭିଯୋଗରେ ଗତକାଲିଠାରୁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରହିଛି। କଟକର ମାଣିକଘୋଷ ବଜାର, ବାଙ୍କାବଜାର, ମଙ୍ଗଳାବାଗ, ବାଦାମବାଡି ସମେତ ୧୨ରୁ ଅଧିକ ସ୍ଥାନରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ଚଢଉ କରାଯାଇ ଏକ ଦାମୀ ବ୍ରାଣ୍ଡ କମ୍ପାନିର ନକଲି ଔଷଧକୁ ଜବତ କରାଯାଇଛି। ଜଣେ ଉଚ୍ଚ ରକ୍ତଚାପ ରୋଗୀଙ୍କ ଅଭିଯୋଗ ପରେ ଏହା ଜଣାପଡ଼ିଥିଲା । ଅନ୍ୟପଟେ କଟକର ଯେଉଁସବୁ ସ୍ଥାନରୁ ଔଷଧ ଜବତ୍ କରାଯାଇଛି, ସେହି ଔଷଧ ସବୁ ଉକ୍ତ କମ୍ପାନି ପ୍ରସ୍ତୁତ କରି ନଥିବା ସ୍ପଷ୍ଟ ହୋଇଥିବା ବେଳେ ଏବେ ବିଭାଗ ଔଷଧର ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରିଛି। ନମୁନା ପରୀକ୍ଷା ରିପୋର୍ଟ ଆସିବାପରେ ଏହା ଅସଲି ନା ନକଲି ତାହା ସ୍ପଷ୍ଟ ହେବ। କିଛିମାସ ହେଲା ବଜାରକୁ ଏହି ଔଷଧ ଆସି ଥିବାରୁ ବିଭାଗ ପକ୍ଷରୁ ସତର୍କତାମୂଳକଭାବେ ଚଢଉ କରାଯାଇ ଏହାକୁ ରୋକିବା ପାଇଁ ପଦକ୍ଷେପ ନିଆଯାଇଛି।
ଉଚ୍ଚରକ୍ତଚାପ ଔଷଧର ନକଲ କରାଯାଇ ବଜାରକୁ ଛଡ଼ାଯିବା ଘଟଣା ଉଦ୍ବେଗର କାରଣ ହୋଇଛି। ଆଜି ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲର ଧର୍ମଦେବ ପୁହାଣ, ତୁଷାର ରଞ୍ଜନ ପାଣିଗ୍ରାହୀ, ହରିପ୍ରିୟା ମଲ୍ଲିକଙ୍କ ନେତୃତ୍ବରେ କଟକର ବିଭିନ୍ନ ସ୍ଥାନରେ ଚଢଉ କରାଯାଇଛି।