Wednesday , May 31 2023
Home / ବିଶେଷ / ଚଳିତ ସପ୍ତାହରେ ଓସିଏସ ଲିଖିତ ପରୀକ୍ଷା ଫଳ – ସେପ୍ଟେମ୍ବର ତୃତୀୟ ସପ୍ତାହରେ ହେବ ସାକ୍ଷାତକାର

ଚଳିତ ସପ୍ତାହରେ ଓସିଏସ ଲିଖିତ ପରୀକ୍ଷା ଫଳ – ସେପ୍ଟେମ୍ବର ତୃତୀୟ ସପ୍ତାହରେ ହେବ ସାକ୍ଷାତକାର

କଟକ, ୦୮ /୦୯/୨୦୨୨(ଓଡ଼ିଶା ସମାଚାର)- ଚଳିତ ସପ୍ତାହ ଶେଷ ସୁଦ୍ଧା ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ(ଓସିଏସ) ପରୀକ୍ଷା ଫଳ ପ୍ରକାଶ ପାଇବ। ଏଥିସହ ସେପ୍ଟେମ୍ବର ତୃତୀୟ ସପ୍ତାହରେ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କ ସାକ୍ଷାତକାର ଅନୁଷ୍ଠିତ ହେବ। ଏନେଇ ବୁଧବାର ଓପିଏସସି ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ଟୁଇଟ କରି ସୂଚନା ଦେଇଛନ୍ତି। ପରୀକ୍ଷାର୍ଥୀଙ୍କୁ ଓପିଏସସିର ୱେବସାଇଟରୁ ପରୀକ୍ଷା ଫଳ ସମ୍ପର୍କିତ ସବିଶେଷ ତଥ୍ୟ ମିଳିପାରିବ। ଓଡ଼ିଶା ସିଭିଲ ସର୍ଭିସ(ଓସିଏସ)-୨୦୨୦ର ମେନ୍ ପରୀକ୍ଷା ଗତ ଜାନୁଆରୀ ୨୦ ତାରିଖରେ ହୋଇଥିଲା। ଚଳିତଥର ପ୍ରାୟ ୪ ହଜାର ୭୫୪ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ତନ୍ମଧ୍ୟରୁ ବାଲେଶ୍ୱର ଜୋନର ସରକାରୀ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୨୫୨ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲାବେଳେ ବ୍ରହ୍ମପୁର ଜୋନର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୨୮୫ଜଣ, ଭୁବନେଶ୍ୱରର ୯ଟି ପରୀକ୍ଷା କେନ୍ଦ୍ରରେ ୩ ହଜାର ୧୬ଜଣ, କଟକ ଜୋନରେ ହୋଇଥିବା ୨ଟି ପରୀକ୍ଷା କେନ୍ଦ୍ରରେ ୫୭୧ଜଣ ଏବଂ ସମ୍ବଲପୁର ଜୋନର ୩ଟି କେନ୍ଦ୍ରରେ ୬୩୦ଜଣ ପରୀକ୍ଷାର୍ଥୀ ଓସିଏସ ପରୀକ୍ଷା ଦେଇଥିଲେ। ୫ ଟି ଜୋନର ୧୬ ଟି ପରୀକ୍ଷା କେନ୍ଦ୍ରରେ କୋଭିଡ କଟକଣା ଅନୁପାଳନ ପୂର୍ବକ ଉକ୍ତ ପରୀକ୍ଷା ହୋଇଥିଲା। ଓପିଏସସି ପକ୍ଷରୁ ବିଭିନ୍ନ ନିଯୁକ୍ତି  ପରୀକ୍ଷା ବର୍ଷସାରା କରାଯାଉଥିବାରୁ ଓସିଏସ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଥିଲା। ଏନେଇ ବହୁ ପରୀକ୍ଷାର୍ଥୀ ଟୁଇଟ କରି ଓପିଏସସି ଅଧ୍ୟକ୍ଷଙ୍କୁ  ଜଣାଇଥିଲେ। ଆସନ୍ତା ୧୧ ତାରିଖ ସୁଦ୍ଧା ଓସିଏସ ଫଳ ପ୍ରକାଶ ପାଇବ ବୋଲି ଅଧ୍ୟକ୍ଷ ଟ୍ୱିଟ କରି ସୂଚନା ଦେଇଛନ୍ତି।

Leave a Reply

Your email address will not be published.