ଅଭିଯୋଗ ଥିବା ଥାନା ଅଧିକାରୀଙ୍କ ବଦଳି ନାହିଁ !
କେନ୍ଦ୍ରାପଡ଼ା, ୦୮/୦୯/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ପୋଲିସ ପକ୍ଷରୁ ଜିଲ୍ଲାର କେତେକ ଥାନାର ଆଇ.ଆଇ.ସି.ମାନଙ୍କ ବଦଳି କରାଯାଇଥିବା ବେଳେ ଆଉ କେତେକ ଥାନା ଅଧିକାରୀଙ୍କ ଜିଲ୍ଲା ବାହାରକୁ ବଦଳି ହୋଇଥିବାରୁ ସେଠାରେ ନୂତନ ଅଧିକାରୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ମିଳିଥିବା ସୂଚନା ଅନୁଯାଇ ମାର୍ଶାଘାଇ ଥାନା ଅଧିକାରୀ ପି.କେ. କାନୁନଗୋଙ୍କ ଜିଲ୍ଲା ବାହାରକୁ ବଦଳି ହୋଇଥିବାରୁ ତାଙ୍କ ସ୍ଥାନରେ କେନ୍ଦ୍ରାପଡା ଟାଉନ ଥାନାର ପୂର୍ବତନ ଆଇ.ଆଇ.ସି. ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କୁ ଅବସ୍ଥାପିତ କରାଯାଇଥିବା ବେଳେ ନିକିରାଇ ଥାନା ଅଧିକାରୀ କାଦମ୍ବିନୀ ପରିଡାଙ୍କ ଜିଲ୍ଲା ବାହାରକୁ ବଦଳି ହୋଇଥିବାରୁ ତାଙ୍କ ସ୍ଥାନରେ ଡେରାବିଶ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସ୍ୱାଇଁଙ୍କୁ ଅବସ୍ଥାପିତ କରାଯାଇଛି । ଡେରାବିଶ ଥାନା ଅଧିକାରୀ ଭାବେ କେନ୍ଦ୍ରାପଡା ସଦର ଥାନାର ଅତିରିକ୍ତ ଆଇ.ଆଇ.ସି. ଜ୍ୟୋତିର୍ମୟୀ ସେଠୀଙ୍କୁ ବଦଳି କରାଯାଇଛି । କେନ୍ଦ୍ରାପଡା ସହରାଂଚଳ ଥାନାରେ ଅତିରିକ୍ତ ଆଇ.ଆଇ.ସି ଭାବେ କାର୍ଯ୍ୟରତ ସୁମନ୍ତ କିଷାନଙ୍କୁ ତନ୍ତିଆପାଳ ଥାନା ଅଧିକାରୀ ଭାବେ ବଦଳି କରାଯାଇଥିବା ବେଳେ ସେଠାରେ ଥିବା ଥାନା ଅଧିକାରୀ ମହେଶ୍ୱର ସେଠୀଙ୍କୁ ମହାକାଳପଡା ଥାନା ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି । କେନ୍ଦ୍ରାପଡା ଟାଉନ ଥାନାର ପୂର୍ବତନ ଆଇ.ଆଇ.ସି. ତଥା ବର୍ତମାନ ରାଜନଗର ଥାନା ଅଧିକାରୀ ତପନ କୁମାର ନାୟକଙ୍କୁ ପୁନର୍ବାର କେନ୍ଦ୍ରାପଡା ଟାଉନ ଥାନାକୁ ଫେରାଇ ଅଣାଯାଇଛି । ଇନିସପେକ୍ଟର ଶ୍ରୀ ନାୟକ ଗତ ୨୦୧୮ମସିହା ମାର୍ଚ୍ଚମାସ ୨୨ତାରିଖ ରେ ଟାଉନ ଥାନା ଅଧିକାରୀ ଭାବେ ଯୋଗଦେଇଥିବା ବେଳେ ଗତ ୨୦୧୯ମସିହା ଫେବୃୟାରୀମାସ ୧୯ତାରିଖରେ ତାଙ୍କୁ ଏଠାରୁ ଭାରମୁକ୍ତ କରାଯାଇଥିଲା । ତାଙ୍କୁ ପୁନର୍ବାର ଏହି ଥାନାକୁ ଫେରାଇ ଅଣାଯିବା ପଛରେ କାରଣ କ’ଣ ତାହା ସାଧାରଣରେ ଆଲୋଚ୍ୟର ବିଷୟ ପାଲଟିଛି । ଅନ୍ୟପକ୍ଷରେ ମାତ୍ର ବର୍ଷକ ତଳେ ଟାଉନ ଥାନାରେ ଯୋଗଦେଇଥିବା ଆଇ.ଆଇ.ସି. ଗୈାରାଙ୍ଗ ଚରଣ ପୃଷ୍ଟି ଜଣେ ନିର୍ବିବାଦୀୟ ଅଧିକାରୀ ହୋଇଥିବା ବେଳେ ତଥା ସହରାଂଚଳରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇଥିଲେ ମଧ୍ୟ ହଠାତ ଥାନାଧିକାରୀ ଶ୍ରୀ ପୃଷ୍ଟିଙ୍କୁ ଏଠାରୁ ତାଳଚୁଆ ସାମୁଦ୍ରିକ ଥାନାକୁ ବଦଳି କରାଯିବା ପଛରେ ରହସ୍ୟ କ’ଣ? ସେହିଭଳି ତାଳଚୁଆ ସାମୁଦ୍ରିକ ଥାନା ଅଧିକାରୀ ଶ୍ରୀକାନ୍ତ ବାରିକଙ୍କୁ ରାଜନଗର ଥାନାରେ ଅବସ୍ଥାପିତ କରାଯାଇଛି । ପରନ୍ତୁ ବାରମ୍ବାର ଅଭିଯୋଗ ହୋଇଆସୁଥିବା ସଦର ଥାନା ଅଧିକାରୀଙ୍କ ବଦଳି କରାନଯିବା ପଛରେ କ’ଣ ଉଦେଶ୍ୟ ରହିଛି । ସଦର ଥାନାରେ ବାରମ୍ବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇ ଲାଂଚ ନେଉଥିବା ଅଧସ୍ତନ ଅଧିକାରୀଙ୍କୁ ଗିରଫ କରାଯାଇଛି । ନିର୍ଦ୍ଧିଷ୍ଟ ଏକ ଭିଜିଲାନ୍ସ ଟ୍ରାପ ଘଟଣାର ଅଭିଯୋଗକାରୀଙ୍କୁ କିଭଳି ସେହି ଥାନାର ବିଭିନ୍ନ ଅଧସ୍ତନ ଅଧିକାରୀ ମାନସିକ ନିର୍ଯ୍ୟାତନା ଦେଇ ଅର୍ଥ ଉତ୍କୋଚ ନେଇଥିଲେ ସେ ସମ୍ପର୍କରେ ସେ ଗଣମାଧ୍ୟମରେ ଅଭିଯୋଗ କରିଥିଲେ । ଏଥିସହିତ ବିଭିନ୍ନ ଘଟଣାରେ ସାଧାରଣ ଲୋକମାନେ ସଦର ଥାନାକୁ ବିଭିନ୍ନ ଅଭିଯୋଗ ନେଇ ଯାଉଥିବା ବେଳେ ସେମାନଙ୍କୁ ଆର୍ଥିକ ଶୋଷଣର ଶୀକାର କରାଯାଉଥିବା ମଧ୍ୟ ଅଭିଯୋଗ ହୋଇ ଆସୁଛି । ଏପରି ସ୍ଥିତିରେ ସଂପୃକ୍ତ ଥାନା ଅଧିକାରୀଙ୍କୁ କାହିଁକି ଘଂଟ ଘୋଡାଯାଇ ସେହି ସ୍ଥାନରେ ରହିବାକୁ ସୁଯୋଗ ପ୍ରଦାନ କରାଯାଉଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବରୁ ବଡ ଏବଂ ଗୁରୁତ୍ୱପୂର୍ଣ୍ଣ ଥାନା ଗୁଡିକରେ ଥାନା ଅଧିକାରୀଙ୍କୁ ଅବସ୍ଥାପିତ କରାଯିବା ପାଇଁ ଥିବା ଯୋଗ୍ୟତା ସୂଚକ ମାନଦଣ୍ଡକୁ ଆଉ ଗୁରୁତ୍ୱ ପ୍ରଦାନ କରାଯାଉନଥିବା ଦେଖାଯାଇଛି । ଫଳରେ ସେହି ଗୁୁରୁତ୍ୱପୂର୍ଣ୍ଣ ଥାନା ଗୁଡିକରେ ପରବର୍ତି ସମୟରେ ବିଭିନ୍ନ ସମସ୍ୟା ଉପୁଜୁଥିବା ସହ ବେଳେ ବେଳେ ପରିସ୍ଥିତି ଅଣାୟତ ହୋଇପଡୁଛି । ଅନେକ ସମୟରେ ଅନଭିଜ୍ଞ, ବିବାଦୀୟ ଏବଂ ଦାୟୀତ୍ୱହୀନ ଅଧିକାରୀମାନଙ୍କୁ ବିଭିନ୍ନ ଗୁରୁତ୍ୱ ବହନ କରୁଥିବା ଥାନା ଗୁଡିକରେ କେଉଁ ଏକ ଅଜଣା କାରଣରୁ ଅବସ୍ଥାପିତ କରାଯାଉଥିବା ଦେଖିବାକୁ ମିଳୁଛି । ଯାହାର ଫଳ ସୁରୂପ ବିଭିନ୍ନ ସମୟରେ ଗୁରୁତର ସମସ୍ୟା ସୃଷ୍ଟି ହୋଇ ଆଇନ ଶୃଙ୍ଖଳା ପରିସ୍ଥିତି ବ୍ୟାହତ ହେବା ଭଳି ପରିସ୍ଥିତି ଦେଖାଦେଉଛି । ତେଣୁ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି । ଓଡ଼ିଶା ସମାଚାର