ଭୁବନେଶ୍ୱର,୦୭ /୦୯/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ର ସାହିତ୍ୟ ଅକାଦେମି ଅଧୀନ ‘କଥିତ ଓ ଆଦିବାସୀ ଭାଷାସାହିତ୍ୟ କେନ୍ଦ୍ର’ର ଏକ ଶାଖା ଭୁବନେଶ୍ବରରେ ଖୋଲିବ। ନୂଆଦିଲ୍ଲୀ ପରେ କୌଣସି ରାଜ୍ୟରେ ଏହା ହେବ ପ୍ରଥମ ଶାଖା। ରାଜ୍ୟ ସରକାର ରାଜ୍ୟ ସଂଗ୍ରହାଳୟ ପରିସରରେ ଥିବା ସଂସ୍କୃତି ବିଭାଗର ପୁରାତନ ନିର୍ଦ୍ଦେଶାଳୟ କୋଠାରେ ବିନା ଦେୟରେ କାର୍ଯ୍ୟାଳୟ ଖୋଲିବାକୁ ଅନୁମତି ଦେଇଛନ୍ତି। କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ଏ ସଂକ୍ରାନ୍ତରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ଅନୁରୋଧ କରାଯାଇଥିଲା। ଏହା ପରେ ବିଭାଗ ପକ୍ଷରୁ ଏ ନେଇ ଦିଆଯାଇଥିବା ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଅନୁମତି ସମ୍ପର୍କରେ ବିଭାଗ ପକ୍ଷରୁ ଅକାଦେମିକୁ ଜଣାଇ ଦିଆଯାଇଛି। ଖୁବ୍ ଶୀଘ୍ର କାର୍ଯ୍ୟାଳୟ ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଏହି କେନ୍ଦ୍ର ସ୍ଥାପନ ହେଲେ ଦେଶର ପୂର୍ବାଞ୍ଚଳ ଏବଂ ଉତ୍ତର-ପୂର୍ବାଞ୍ଚଳର କଥିତ ଓ ଆଦିବାସୀ ଭାଷାର ବିକାଶ, ପ୍ରଚାରପ୍ରସାର ଓ ଗବେଷଣା ପାଇଁ ଅଧିକ ସୁବିଧା ହେବ।