ଜଗତସିଂହପୁର ୦୭/୦୯/୨୦୨୨(ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ଆଗାମୀ ଦଶହରା ପର୍ବ,ରାବଣ ପୋଡି ଓ ଭସାଣୀ ଉତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାଓରୀ କହିଲେ ଚଳିତ ବର୍ଷ ଅକ୍ଟୋବର ୨ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଜଗତସିଂହପୁର ପୌର ପରିଷଦ ଅଂଚଳରେ ଦୁର୍ଗାପୂଜା ପାଳନ କରାଯିବ । ଏହି ଉତ୍ସବକୁ ଶାନ୍ତି ଶୃଙ୍ଖଳା ଓ ଉତ୍ସାହ ଉଦ୍ଧିପନାର ସହିତ ପାଳନ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀ,ସହରର ବରିଷ୍ଠ ନାଗରୀକ,ବୁଦ୍ଧିଜୀବି,ସମସ୍ତ ମେଢର କର୍ମକର୍ତା ମାନଙ୍କର ସହଯୋଗ କାମନା କରିଥିଲେ । ବୈଠକର ନିଷ୍ପତି ଅନୁଯାୟୀ ରାବଣ ପୋଡି ଅକ୍ଟୋବର ୫ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡିଆରେ ବିନା ଆତସବାଜୀରେ ଅନୁଷ୍ଠିତ ହେବ । ସେହିପରି ଭସାଣୀ ଉତ୍ସବ ଅକ୍ଟୋବର ୭ ତାରିଖରେ ଅନୁଷ୍ଠିତ ହେବ । ମୂର୍ତି ବିସର୍ଜନ ନିମନ୍ତେ ଗାଲୁପଡା,ପୁରୋହିତପୁର ଏବଂ କଲେଜ ଛକ ଠାରୁ ଷ୍ଟାଡିୟମ ରାସ୍ତାରେ ୪ଟି ଅସ୍ଥାୟୀ ପୋଖରୀ ଖନନ କରାଯିବ । ଅଧିକ୍ଷଣ ଯନ୍ତ୍ରୀ ଜଳସଂପଦ ରାସ୍ତା ଓ ଗୃହ,ଗ୍ରାମ୍ୟ ଉନ୍ନୟନ ଓ ଡ୍ରେନେଜ ପୋଖରୀ କାର୍ଯ୍ୟ ସଂପାଦନ କରିବେ । ଟ୍ରାଫିକ୍ ନିୟନ୍ତ୍ରଣ ,ପୋଲିସ ଶିବିର ଦାୟିତ୍ୱ ଆରକ୍ଷୀ ଅଧିକ୍ଷକ ସମ୍ପାଦନ କରିବେ । ଟାଉନ ହଲ ଠାରୁ ଦଶନମ୍ବର,ପୁରୋହିତପୁର ଛକ ଠାରୁ ଜିଲ୍ଲାପାଳଙ୍କ ଅଫିସ ଏବଂ ଅତାମଳା ଠାରୁ ପୋଷ୍ଟ ଅଫିସ ଛକ ପର୍ଯ୍ୟନ୍ତ ରାସ୍ତା ଉପରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଗଛର ଡାଳ କଟା କାମ ପୂର୍ତ ବିଭାଗ ସଂପାଦନ କରିବ । ଗାନ୍ଧୀଛକ ଠାରୁ ସର୍କିଟ୍ ହାଉସ ରାସ୍ତା ଜାତୀୟ ରାଜପଥ,ଆଳିପିଙ୍ଗଳରୁ ପୋଷ୍ଟ ଅଫିସ ରାସ୍ତା ,ପୂର୍ତ ବିଭାଗ,ଦଶନମ୍ବର ଠାରୁ ଚାଟରା ବ୍ରିଜ କେନାଲ ବନ୍ଧ ରାସ୍ତା ଜଳସଂପଦ ବିଭାଗ,ଜିରା ଠାରୁ ଚର୍ଚ୍ଚିକା ବଜାର ରାସ୍ତା,ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଓହଳ ଠାରୁ କୋର୍ଟଛକ ରାସ୍ତା ମରାମତି ନିର୍ବାହୀ ଅଧିକାରୀ ପୌର ପରିଷଦ ସଂପାଦନ କରିବେ । ଅସ୍ଥାୟୀ ପୋଖରୀରୁ ବିସର୍ଜିତ ସାମଗ୍ରୀ ବାହାର କରିବା,ପୋଖରୀ ଜଳକୁ ଚୂନ ପକାଇ ବିଶୋଧନ କରିବା,ପୋଖରୀ ନିକଟରେ ଡଷ୍ଟବିନ ରଖିବା,ବିସର୍ଜନ ସ୍ଥଳୀ ଓ ମେଲଣ ପଡିଆରେ ଆଲୋକ ବ୍ୟବସ୍ଥା କରିବା ସହିତ ୪ଟି ଜେନେରେଟର ରଖିବା ପାଇଁ ନିର୍ବାହୀ ଅଧିକାରୀ ପୌର ପରିଷଦ ବିହିତ ବ୍ୟବସ୍ଥା ଗ୍ରହଣ କରିବେ । ବୈଠକରେ ନିରବଛିନ୍ନ ବିଦୁ୍ୟତ୍ ଯୋଗାଣ ,ଆବଶ୍ୟକ ସ୍ଥଳେ ଟେଲିଫୋନ୍ ତାର ଅପସାରଣ,ରାବଣ ପୋଡି ଓ ଭସାଣୀ ଉତ୍ସବ ଦିନ ମେଲଣ ପଡିଆରେ ଓ ଅସ୍ଥାୟୀ ପୋଖରୀ ନିକଟରେ ଅସ୍ଥାୟୀ ପ୍ରାଥମିକ ଚିକିତ୍ସା କେନ୍ଦ୍ର,ପାନୀୟ ଜଳ ଟ୍ୟାଙ୍କର ରଖିବା,ସହରରେ ପାଣି ପାଇପ୍ ଟ୍ୟାପ୍ ମରାମତି,ରାବଣ ପୋଡି ଓ ଭସାଣୀ ଦିନ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ, ଦୁର୍ଗାପୂଜା ସମୟରେ ଡିଜେ ସାଉଣ୍ଡ ବାଜିବ ନାହିଁ । ମେଲଣ ପଡିଆ ଓ ବିସର୍ଜନ ସ୍ଥଳୀରେ ଦମକଳ ଗାଡି ରଖିବା ସଂପର୍କରେ ଆଲୋଚନା ହୋଇଥିଲା । ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ,ଉପ-ଜିଲ୍ଲାପାଳ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ, ସମସ୍ତ ମେଢର କର୍ମକର୍ତା ,ଶାନ୍ତି କମିଟି ସଦସ୍ୟ,ବିଭାଗୀୟ ଅଧିକାରୀ ,ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ କାମିନୀ ରଂଜନ ପଟ୍ଟନାୟକ କାର୍ଯ୍ୟସୂଚୀ ଅନୁଯାୟୀ ବିବରଣୀ ପାଠ କରିଥିଲେ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର