Sunday , May 28 2023
Breaking News
Home / ବିଶେଷ / ସରକାରୀ କାର୍ଯ୍ୟରୁ ହଟିବ ଇନ୍ଧନଚାଳିତ ଗାଡ଼ି

ସରକାରୀ କାର୍ଯ୍ୟରୁ ହଟିବ ଇନ୍ଧନଚାଳିତ ଗାଡ଼ି

ଭୁବନେଶ୍ୱର,୦୬ /୦୯/୨୦୨୨(ଓଡ଼ିଶା ସମାଚାର)- ଏଣିକି ସରକାରୀ ବିଭାଗରୁ ପେଟ୍ରୋଲ ଓ ଡିଜେଲ କାର୍ ହଟିବ। ସେହି ସ୍ଥାନରେ ବିଦ୍ୟୁତ ଚାଳିତ ଯାନ ବ୍ୟବହାର ହେବ। ମନ୍ତ୍ରୀ, ଅଧିକାରୀ ମାନେ ବିଦ୍ୟୁତ ଚାଳିତ ଗାଡ଼ି ବ୍ୟବହାର କରିବେ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଦ୍ୟୁତ ଚାଳିତ ଯାନ ବ୍ୟବହାର ବୃଦ୍ଧି କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଇଭି ନୀତି ପ୍ରଣୟନ କରିଛନ୍ତି। ତେବେ ସରକାରୀ କାର୍ଯ୍ୟରେ ବିଦ୍ୟୁତ ଚାଳିତ ଯାନ ନିୟୋଜନ ପୂର୍ବରୁ ଏହାର ଭଡ଼ା ନିର୍ଦ୍ଧାରଣ କରିବାର ଆବଶ୍ୟକତା ରହିଛି। ଇଭି ବ୍ୟବହାର ପୂର୍ବରୁ ଏହାର ଭିଡ଼ା ନିର୍ଦ୍ଧାରଣ ପାଇଁ ପରିବହନ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ନିକଟରେ ଏକ ଖ୍ୟାତାନାମା ବିଦ୍ୟୁତ ଚାଳିତ ଗାଡ଼ି ନିର୍ମାତା କମ୍ପାନୀର କର୍ତ୍ତୃପକ୍ଷ ଓଡ଼ିଶା ଆସି ପରୀକ୍ଷାମୂଳକ ବ୍ୟବହାର ପାଇଁ ଡେମୋ କାର୍ ଦେଇଥିଲେ।

ସରକାରୀ କାର୍ଯ୍ୟରେ ନିୟୋଜିତ ଇନ୍ଧନ ଚାଳିତ ଗାଡ଼ିକୁ ପର୍ଯ୍ୟାୟକ୍ରମେ ପ୍ରତ୍ୟାହାର କରାଯିବ। ବର୍ତ୍ତମାନ ଚୁକ୍ତିରେ ନିୟୋଜିତ ଇନ୍ଧନ ଚାଳିତ ଗାଡ଼ି (ବାଣିଜ୍ୟିକ ଗାଡ଼ି)ର ଚୁକ୍ତି ଶେଷ ହେବା ପରେ ସେହି ସ୍ଥାନରେ ବିଦ୍ୟୁତ ଚାଳିତ ଯାନ ବ୍ୟବହାର ପାଇଁ ସରକାର ଯୋଜନା କରିଛନ୍ତି। ଏହା ପୂର୍ବରୁ ଇଭି’ର ଭଡ଼ା ଏବଂ ପରିଚାଳନା ଖର୍ଚ୍ଚ ଧାର୍ଯ୍ୟ ପାଇଁ ଅର୍ଥ ବିଭାଗ ପକ୍ଷରୁ ପରିବହନ ବିଭାଗକୁ କୁହାଯାଇଛି। ସରକାରୀ ବିଭାଗରେ ମୁଖ୍ୟତଃ ଟାଟା ନେକ୍ସନ୍ , ଟାଟା ଟିଗୋର୍ , ଟାଟା ଏକ୍କପ୍ରେସ୍ , ହ୍ୟୁଣ୍ଡାଇ କୋନା, ମୋରିସ୍ ଗ୍ୟାରେଜ୍ ଜେଡ୍ ଏସ୍ ଭଳି ବିଦ୍ୟୁତ ଚାଳିତ ମଡେଲ ନିୟୋଜନ ପାଇଁ ଯୋଜନା ହୋଇଛି। ଏହି ଗାଡ଼ି ମାସିକ କେତେ କିମି ଗତି କରିବେ, ବ୍ୟାଟେରୀ ପରିବର୍ତ୍ତନ, ରକ୍ଷଣାବେକ୍ଷଣ, ଚାର୍ଜ ଖର୍ଚ୍ଚ ଆଦିକୁ ବିଚାର କରି ଭଡ଼ା ନିର୍ଦ୍ଧାରଣ ପାଇଁ କୁହାଯାଇଛି। ଦିଲ୍ଲୀ ସମେତ ଅନ୍ୟ ରାଜ୍ୟର ସରକାର ଇଭି ବ୍ୟବହାର ପାଇଁ ଧାର୍ଯ୍ୟ କରିଥିବା ଭଡ଼ାକୁ ଅନୁଧ୍ୟାନ କରି ରାଜ୍ୟରେ ଇଭି ଭଡ଼ା ଧାର୍ଯ୍ୟ କରିବା ପାଇଁ କୁହାଯାଇଛି। ଏଥିରେ ଏକ ସମସ୍ୟା ହେଉଛି ଇଭିର ରକ୍ଷଣାବେକ୍ଷଣ ଖର୍ଚ୍ଚ ନିର୍ଦ୍ଧାରଣ। ସମ୍ପ୍ରତି ୧୯୭୮ ମସିହା ନିୟମ ଅନୁସାରେ ସରକାରୀ ବିଭାଗରେ ନିୟୋଜିତ ଗାଡ଼ିର ରକ୍ଷଣାବେକ୍ଷଣ ଖର୍ଚ୍ଚ ନିର୍ଦ୍ଧାରଣ କରାଯାଇଛି। ଇତି ମଧ୍ୟରେ ଗାଡ଼ିରେ ବ୍ୟବହୃତ ଟାୟାର, ଇଞ୍ଜିନ୍ ଅୟଲ ସମେତ ବିଭିନ୍ନ ଖର୍ଚ୍ଚ ବହୁ ପରିମାଣରେ ବୃଦ୍ଧି ପାଇଛି। ତେଣୁ ନୂଆ ଖର୍ଚ୍ଚ ସୀମା ନିର୍ଦ୍ଧାରଣ କରିବା ଆବଶ୍ୟକ। ତେଣୁ ବୈଷୟିକ କମିଟି ସବୁ ଦିଗରୁ ବିଚାର କରି ଭଡ଼ା ଓ ଖର୍ଚ୍ଚ ନିର୍ଦ୍ଧାରଣ କରି ଅର୍ଥ ବିଭାଗର ଅନୁମୋଦନ ପାଇଁ ଦାଖଲ କରିବା ନିମନ୍ତେ ପରିବହନ କମିଶନରଙ୍କୁ କୁହାଯାଇଛି। ସୂଚନାଯୋଗ୍ୟ ଯେ ଭାରତ ସରକାର ବିଭିନ୍ନ ମନ୍ତ୍ରାଳୟ ଇନ୍ଧନ ଚାଳିତ ଗାଡ଼ି ବଦଳରେ ଇଭି ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି।

Leave a Reply

Your email address will not be published.