୫୦ ହଜାରରୁ ଊର୍ଦ୍ଧ୍ବ ଜନ ସମାଗମ ସମ୍ଭାବନା- ୩ ଘଣ୍ଟା ପୂର୍ବରୁ ବିମାନବନ୍ଦରରେ ପହଞ୍ଚିବାକୁ ଯାତ୍ରୀଙ୍କୁ ପରାମର୍ଶ
ଭୁବନେଶ୍ୱର,୦୬ /୦୯/୨୦୨୨(ଓଡ଼ିଶା ସମାଚାର)- ଦୀର୍ଘ ୨୫ ବର୍ଷର ସମର୍ପିତ ସେବା ଓ ଜୀବନ ବ୍ୟାପୀ ସାଧନା ନିମନ୍ତେ ନୂଆଦିଲ୍ଲୀରେ ସମ୍ମାନିତ ହେବା ପରେ ଆଜି ଓଡ଼ିଶା ଫେରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେଣୁ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ପ୍ରସ୍ତୁତ ହୋଇଛି ଓଡ଼ିଶା। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ଲାଗି ବିଜୁ ଜନତା ଦଳ ପକ୍ଷରୁ ବିଶାଳ ଆୟୋଜନ କରାଯାଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଦଳର ବହୁ କର୍ମୀ, ଦଳୀୟ କର୍ମ କର୍ତା ଓ ବୁଦ୍ଧିଦ୍ଧିଜୀବୀ ଭୁବନେଶ୍ୱରରେ ପହଞ୍ଚିବାରେ ଲାଗିଛନ୍ତି।
ସୂଚନା ଅନୁସାରେ ମଙ୍ଗଳବାର ଦିନ ପ୍ରାୟ ୧୧ଟା ୩୦ମିନିଟ୍ ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ପୁରୁଣା ବିମାନବନ୍ଦର ଫାଟକ ଦେଇ ମୁଖ୍ୟମନ୍ତ୍ରୀ ବାହାରିବା ବେଳେ ବିଜେଡିର ବିଧାୟକ ଓ ସାଂସଦମାନେ ତାଙ୍କୁ ପାଛୋଟି ଆଣିବେ। ସେମାନଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ଏକ ସ୍ୱତନ୍ତ୍ର ବସ୍ ରେ ନବୀନ ନିବାସ ଅଭିମୁଖେ ବାହାରିବେ। ବିମାନବନ୍ଦର ପ୍ରବେଶପଥରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମାଲ୍ୟାର୍ପଣ କରିବା ସହ କର୍ମୀମାନଙ୍କୁ ଉଦବୋଧନ ଦେବେ। ଏହାପରେ ତାଙ୍କୁ ପଟୁଆରରେ ନବୀନ ନିବାସ ଯାଏ ନିଆଯିବ। ଏଥିପାଇଁ ପୁରୁଣା ବିମାନବନ୍ଦରରୁ ନବୀନ ନିବାସ ଯାଏ ରାସ୍ତା ପାର୍ଶ୍ବରେ ବିରାଟ ବିରାଟ ହୋର୍ଡ଼ିଂ ଲଗାଯାଇଛି। ଏକାଧିକ ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତପୂର୍ବକ ଗୋଟିପୁଅ, ଯୋଡ଼ିଶଙ୍ଖ, ଢେମେସା, ସମ୍ୱଲପୁରୀ ଏବଂ ପାରମ୍ପରିକ ବାଜା ଓ ସଙ୍ଗୀତ ପରିବେଷଣ କରାଯିବ। ବିଶାଳ ଜନସମାଗମକୁ ଦୃଷ୍ଟିରେ ରଖି ରାଜଧାନୀର ବିଭିନ୍ନ ସ୍ଥାନରେ ୩୦ ପ୍ଲାଟୁନ୍ ପୁଲିସ ଫୋର୍ସ ଙ୍କୁ ବିଭିନ୍ନ ଜାଗାରେ ମୁତୟନ କରାଯାଇଛି। ଅତିରିକ୍ତ ୩ଟି ଜାଗାରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଗାଡ଼ି ପାର୍କି ବ୍ୟବସ୍ଥା କରାଯାଇଛି। ଏହା ସହ ବିମାନରେ ଯାତ୍ରା କରିବାକୁ ଥିବା ଲୋକମାନେ ଧାର୍ଯ୍ୟ ସମୟର ୩ ଘଣ୍ଟା ପୂର୍ବରୁ ବିମାନବନ୍ଦରରେ ପହଞ୍ଚି ଯିବାକୁ କମିଶନରେଟ୍ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି।