Sunday , May 28 2023
Breaking News
Home / ବିଶେଷ / ମିଳିତ ଅଭିଯୋଗ ଶୁଣାଣି ଶିବିର

ମିଳିତ ଅଭିଯୋଗ ଶୁଣାଣି ଶିବିର

୬ଟି ସାମୂହିକ ଓ ୮୯ଟି ବ୍ୟକ୍ତିଗତ ଅଭିଯୋଗ

କେନ୍ଦ୍ରାପଡ଼ା, ୦୬ /୦୯/୨୦୨୨(ଓଡ଼ିଶା ସମାଚାର)-  କେନ୍ଦ୍ରାପଡ଼ା ସଦର ମହକୁମାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ସୋମବାର ମ୍ୟୁନି ସିପାଲିଟି ଟାଉନ ହଲ୍ ଠାରେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧୀକ୍ଷକ ସନ୍ଦୀପ ସମ୍ପଦ ମଦକର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଦୁର୍ଗାପ୍ରସାଦ ମହାରଣା, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ଜିଲ୍ଲା ପ୍ରକଳ୍ପ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟର ନିର୍ବାହୀଯନ୍ତ୍ରୀ ଯୋଗଦେଇ ଅଭିଯୋଗ ଶୁଣାଣିରେ ସହାୟତା ପ୍ରଦାନ କରିଥିଲେ। ଏହି ଶୁଣାଣିରେ ମୋଟ ୯୫ଟି ଅଭିଯୋଗ ପଞ୍ଜିକୃତ ହୋଇଥିବାବେଳେ ସେଥି ମଧ୍ୟରେ ୬ଟି ସାମୂହିକ ଓ ୮୯ଟି ବ୍ୟକ୍ତିଗତ ଅଭିଯୋଗ ଥିଲା। ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ବିଜୁ ପକ୍କାଘର ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭିନ୍ନକ୍ଷମ ଭତ୍ତା, ରାସନ କାର୍ଡ ପ୍ରଦାନ, ଇନ୍ଦିରା ଆବାସ ଯୋଜନା, ଶିକ୍ଷକ ନିଯୁକ୍ତି, ଜମି ବିବାଦ, ସ୍କୁଲ ଘରର ମରାମତି ଓ ବଦଳି ଦରଖାସ୍ତ ଥିଲା। ପେଣ୍ଠପାଳ ପଞ୍ଚାୟତର ନହିଆଡିଡିଆ ଗ୍ରାମର ସୁବାସ ଚନ୍ଦ୍ର ବିଶ୍ୱାଳ ଓ ଅନ୍ୟ ଗ୍ରାମବାସୀ ବନ୍ୟା ଜଳନିଷ୍କାସନ ଓ ଗ୍ରାମ ରାସ୍ତା ନିର୍ମାଣ, ପଟ୍ଟାମୁଣ୍ଡାଇ ବ୍ଲକର ବାଲିପାଟଣା ଗ୍ରାମର ସନ୍ତୋଷ ସାହୁ ଓ ଅନ୍ୟମାନେ ବେଆଇନ ସରକାରୀ ଜମିରୁ ଗଛକଟା, ଗରଦପୁର ବ୍ଲକର ପାଣ୍ଡିଆ ଗ୍ରାମର ଖାଲୁଆ ଜାଗାରୁ ପାଣି ନିଷ୍କାସନ, ମାର୍ଶାଘାଇ ବ୍ଲକର ନାନକାର ଗ୍ରାମର ପ୍ରଭାତ କୁମାର ଦାସ ଓ ଅନ୍ୟମାନେ ବନ୍ୟା କ୍ଷୟକ୍ଷତି ପାଇଁ ସରକାରୀ ସହାୟତା ଓ ନାନକାର, ଜଳପୋକ ଅଙ୍ଗନବାଡି କେନ୍ଦ୍ର ଅବରୋଧ ସମ୍ପର୍କରେ ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଆବେଦନ କରିଥିଲେ। ଜିଲ୍ଲାପାଳ ଶ୍ରୀ ଋତୁରାଜ ବିଭାଗୀୟ ଅଧିକାରୀ ଙ୍କୁ ସମସ୍ୟାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ରେଡକ୍ରସ ପାଣ୍ଠିରୁ ଚିକିତ୍ସା ସହାୟତା ବାବଦରେ ବାରୋ, ତ୍ରିଲୋଚନପୁରର ଜେନାମଣି ସ୍ୱାଇଁଙ୍କୁ ୫୦୦୦ ଟଙ୍କା ଓ ଇନ୍ଦୁପୁର ଧୂମାତର ଝିଲ୍ଲୀ ସାହୁଙ୍କୁ ୩୦୦୦ ଟଙ୍କା ଏବଂ ନୂଆହାଟର ସ୍ନେହଲତା ରାଉତଙ୍କୁ ଶିକ୍ଷା ଓ ପୋଷଣ ନିମନ୍ତେ ୧୨୦୦୦ ଟଙ୍କା, +୩ରେ ନାମଲେଖା ନିମନ୍ତେ ବେଣୀପୁରର ଶୁଭଶ୍ରୀ ସାହୁଙ୍କୁ  ୧୦,୦୦୦ ଟଙ୍କା ଅର୍ଥରାଶି ଜିଲ୍ଲାପାଳ ପ୍ରଦାନ କରିଥିଲେ।

Leave a Reply

Your email address will not be published.