Wednesday , May 31 2023
Breaking News
Home / ବିଶେଷ / ସରକାରୀ ଜମି ଜାଲିଆତି ଘଟଣା:

ସରକାରୀ ଜମି ଜାଲିଆତି ଘଟଣା:

  ଷଷ୍ଠ ଦିବସରେ ତହସିଲଦାର ଓ ଉପଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ଧାରଣା ପ୍ରାତ୍ୟାହୃତ
କେନ୍ଦ୍ରାପଡା, ୦୫/୦୯/୨୦୨୨(ଓଡ଼ିଶା ସମାଚାର)- ବହୁ ଚର୍ଚ୍ଚିତ ପଟ୍ଟାମୁଣ୍ଡାଇ ସରକାରୀ ଜମି ଜାଲିଆତି ଘଟଣାରେ ଓଡିଶା ସୂଚନା ଅଧିକାର ଅଭିଯାନର ସଦସ୍ୟ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟଙ୍କ ଗରାପୁର ଡାକବଙ୍ଗଳା ଛକ ସ୍ଥିତ ଗାନ୍ଧୀଜୀଙ୍କ ପ୍ରତିମୂର୍ତି ପାଖରେ ଧାରଣା ଆଜି ଷଷ୍ଠ ଦିବସରେ ପହଂଚିିଥିବା ବେଳେ ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲିପ କୁମାର ସେଠୀ ଏବଂ କେନ୍ଦ୍ରାପଡା ଉପଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କ ପ୍ରତିଶୃତି ପ୍ରଦାନ ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ସୂଚନା ମିଳିଛି । ସରକାରୀ ଜମି ସରକାରଙ୍କ ଖାତାକୁ ଫେରାଇ ଆଣାଯିବା ସହିତ ସେହି ଜାଲିଆତି ଘଟଣାରେ ସାମିଲ ଥିବା ପଟ୍ଟାମୁଣ୍ଡାଇ ତହସିଲର ପ୍ରାକ୍ତନ ତହସିଲଦାର, ପେସ୍କାର, ଅମିନ ଓ ଅନ୍ୟ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଶ୍ରୀ ଆଚାର୍ଯ୍ୟ ତାଙ୍କର ଦିବାନିଶି ଧାରଣା ଚାଲୁ ରଖିଥିଲେ । ଶ୍ରୀ ଆଚାର୍ଯ୍ୟଙ୍କୁ ସମର୍ଥନ ଜଣାଇ ଦିନକୁ ଦିନ ଧାରଣା ସ୍ଥଳରେ ସମର୍ଥକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ଦେଖି ପ୍ରଶାସନର ମୁଣ୍ଡବିଧା ବଢିଯାଇଥିଲା । ଧାରଣାସ୍ଥଳରେ ରବିବାର ଓଡିଶା ଜନସେବା ସଂଗଠନ ପକ୍ଷରୁ ସମର୍ଥନ ଜଣାଇ ସଂଗଠନର ପ୍ରତିଷ୍ଠାତା ଶୋଭନ ଆଚାର୍ଯ୍ୟ, ଜିଲ୍ଲା ଆବାହକ ବିକାଶ ସ୍ୱାଇଁ, ସଂଯୋଜକ ଧିରେନ୍ଦ୍ର ଶତପଥୀ, ସନ୍ଦୀପ ଦାସ, ଆଲୋକ ସାହୁ, ନିରଞ୍ଜନ ପରିଡା ପ୍ରମୁଖ ବସିରହିଥିଲେ । ପୂର୍ବରୁ ଶ୍ରୀ ଆଚାର୍ଯ୍ୟଙ୍କୁ ସମର୍ଥନ ଜଣାଇ ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ସାମାଜିକ କର୍ମୀମାନେ ଧାରଣାସ୍ଥଳରେ ବସିରହିଥିବା ଦେଖିବାକୁ ମିଳଥିଲା । ଦାବି ମୁତାବକ ପ୍ରାୟ ୨ ଏକର ଜମି ଜାଲିଆତି ଘଟଣାରେ ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ତେରୋହି ଗ୍ରାମର କାଶୀନାଥ ଭୋଳ ସଂପୃକ୍ତ ଥିବା ସହିତ ସେହି ସରକାରୀ ଜମିକୁ ହାତେଇ ନେଇଥିବା ଦୁଷ୍ମନ୍ତ ଅଭିଯୋଗ କରିଥିଲେ । ସୂଚନା ଅଧିକାର ଅଭିଯାନ ସଦସ୍ୟ ଦୁଷ୍ମନ୍ତ ତଥ୍ୟ ପ୍ରମାଣ ଆଧାରରେ ଏହି ଜାଲିଆତି ଘଟଣା ସମ୍ପର୍କରେ ଦୁଇମାସ ତଳେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ ପ୍ରାୟ ଦେଢମାସ ତଳେ ପଟ୍ଟାମୁଣ୍ଡାଇ ଥାନାରେ ମଧ୍ୟ ଏ ନେଇ ଲିଖିତ ଭାବେ ଅଭିଯୋଗ କରିଥିଲେ । ଏହି ଘଟଣାରେ ସରକାରୀ କାଗଜପତ୍ର ଜାଲିଆତି ହୋଇଥିବା ସ୍ପଷ୍ଟ ଜଣାପଡୁଥିବା ବେଳେ ଜିଲ୍ଲା ପ୍ରଶାସନ ସବୁ ଜାଣିଶୁଣି ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଘଂଟ ଘୋଡାଉଥିବା ଦୁଷ୍ମନ୍ତ ଅଭିଯୋଗ କରିଥିଲେ । ସୋମବାର ସନ୍ଧ୍ୟା ପ୍ରାୟ ସାଢେ ୬ଟା ସମୟରେ ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲିପ କୁମାର ସେଠୀ ଏବଂ ଉପଜିଲ୍ଲାପାଳ ନିରଞ୍ଜନ ବେହେରା ଧାରଣାସ୍ଥଳରେ ପହଂଚି ଧାରଣାକାରୀ ଦୁଷ୍ମନ୍ତଙ୍କୁ ଆସନ୍ତା ୨ମାସ ଭିତରେ ସେହି ସରକାରୀ ଜମି ଜାଲିଆତିରେ ସଂପୃକ୍ତ ଥିବା ତତ୍କାଳୀନ ତହସିଲଦାରଙ୍କ ସମେତ ସମସ୍ତ ସରକାରୀ କର୍ମଚାରୀ ଓ ଜମି ହାତେଇ ନେଇଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏଥିସହିତ ଗଣମାଧ୍ୟମକୁ ଏସମ୍ପର୍କରେ ସୂଚନା ପ୍ରଦାନ କରିବା ସହିତ ଧାରଣାକାରୀ ଦୁଷ୍ମନ୍ତଙ୍କୁ ଧାରଣା ପ୍ରତ୍ୟାହାର କରିନେବାକୁ ଉଭୟ ଅଧିକାରୀ ଅନୁରୋଧ କରିଥିଲେ । ତେଣୁ ଦୁଷ୍ମନ୍ତ ତାଙ୍କ ଧାରଣାକୁ ବର୍ତମାନ ପାଇଁ ପ୍ରତ୍ୟାହାର କରିନେଇଥିବା ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.