ସାମାଜିକ କର୍ମୀ ଶୁଭାଶିଷଙ୍କୁ ଭେଟିଲେ ତେଜେଶ୍ୱର
କେନ୍ଦ୍ରାପଡ଼ା, ୦୫/୦୯/୨୦୨୨(ଓଡ଼ିଶା ସମାଚାର)- ବେଆଇନ ଗୋ-ଚାଲାଣକୁ ବିରୋଧ କରି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଠାରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ସାମାଜିକ କର୍ମୀ ଶୁଭାଶିଷ ଷଡ଼ଙ୍ଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖଦି ବୋର୍ଡର ପୂର୍ବତନ ଅଧ୍ୟକ୍ଷ ତେଜେଶ୍ୱର ପରିଡ଼ା ଭେଟିଛନ୍ତି। ଆହତ ଶୁଭାଶିଷ ଷଡ଼ଙ୍ଗୀଙ୍କ ଆବଶ୍ୟକତା ଅନୁସାରେ ଚିକିତ୍ସା କଟକ ବଡ଼ ମେଡିକାଲରେ କରାଯିବାକୁ ସେ ଦାବି କରିଥିଲେ। ଗୋ-ଚାଲାଣକୁ ବିରୋଧ କରୁଥିବା ଗୋ-ରକ୍ଷକ ତଥା ସାମାଜିକ କର୍ମୀ ଯେଉଁମାନେ ବାରମ୍ୱାର ମରଣାନ୍ତକ ଆକ୍ରମଣର ଶିକାର ହେଉଛନ୍ତି, ସେମାନଙ୍କୁ ପୁଲିସ ସୁରକ୍ଷା ପ୍ରଦାନ କରିବାକୁ ତେଜେଶ୍ୱର ଦାବି କରିଛନ୍ତି। ଓଡ଼ିଶା ପୁଲିସର ସଂଗଠିତ ଅପରାଧ ମୁକାବିଲା ପାଇଁ ଥିବା ଏସଟିଏଫ୍ ଦ୍ୱାରା ବେଆଇନ ଗୋ-ଚାଲାଣର ସାରା ରାଜ୍ୟରେ ଚଢ଼ଉ, ତଦନ୍ତ ଓ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ବେଆଇନ ଗୋ-ଚାଲାଣ ପାଇଁ ସମଗ୍ର ଏସିଆ ମହାଦେଶର କେନ୍ଦ୍ର ପାଲଟିଥିବା କଟକ, କେନ୍ଦ୍ରାପଡ଼ା, ଭଦ୍ରକକୁ ବାଂଲାଦେଶ ହେବାକୁ ଦିଆ ନ ଯାଉ।
ଅଧିକ ସଂଖ୍ୟାରେ ଗୋ-ଶାଳା ପ୍ରତିଷ୍ଠା କରାଯାଉ। ଘରୋଇ ଗୋ-ଶାଳାଗୁଡ଼ିକୁ ଅଧିକ ସରକାରୀ ଅନୁଦାନ ଓ ସହଯୋଗ କରାଯାଉ। ଅତି ମାତ୍ରାରେ ଗୋ-ଚାଲାଣ ହେଉଥିବା ଜିଲ୍ଲାରେ ପ୍ରତି ସପ୍ତାହରେ ବିଭିନ୍ନ ଥାନା ଅଞ୍ଚଳରୁ କେତେ ବେଆଇନ ଗୋ ସମ୍ପଦ ବୋଝେଇ ଗାଡ଼ି ଜବତ ହେଉଛି, କେତେ ଗୋ ସମ୍ପଦଙ୍କୁ ଉଦ୍ଧାର କରାଯାଉଛି ଓ ନିକଟସ୍ଥ ଗୋଶାଳାରେ ରଖାଯାଉଛି, କେତେ ଗୋଚାଲାଣକାରୀଙ୍କୁ ଗିରଫ କରାଯାଇ ଦୃଢ଼ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ଏ ସମ୍ପର୍କରେ ପ୍ରଶାସନ ତଥ୍ୟ ପ୍ରଦାନ କରୁ। ଗୋ-ଚାଲାଣରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଓ ଦଣ୍ଡବିଧାନ ସହ ଗୋ-ରକ୍ଷକଙ୍କ ସୁରକ୍ଷାକୁ ଅତି ଗୁରୁତର ସହ ନିଆଯିବାକୁ ତେଜେଶ୍ୱର ଦାବି କରିଛନ୍ତି।