ଭୁବନେଶ୍ୱର,୦୫/୦୯/୨୦୨୨(ଓଡ଼ିଶା ସମାଚାର)- ଖୁବ ଶୀଘ୍ର ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ(ଓଟିଡିସି)ରେ ମିଳିବ ମାଣ୍ଡିଆର ମଣ୍ଡା, କାକରା ଏବଂ ସୁପ, କାଙ୍ଗୁର ଉପମା ଏବଂ ଇଟିଲି, ସୁଆଁର ଦୋସା ଏବଂ ବରା ଭଳି ମିଲେଟ୍ ରେ ତିଆରି ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ କିନ୍ତୁ ପୁଷ୍ଟିକର ଖାଦ୍ୟ । ଏଥିସଂକ୍ରାନ୍ତରେ ଓଡ଼ିଶା ମିଲେଟ ମିସନ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ ହୋଟେଲ ମ୍ୟାନେଜମେଂଟ କ୍ୟାଟରିଂ ଟେକ୍ନୋଲୋଜି(ଆଇଏଚଏମ) ଏବଂ ପ୍ରୟୋଗ ପୁଷ୍ଟିକର ପ୍ରତିଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଛି । ଏଥିରେ ରାଜ୍ୟରେ ସ୍ଥିତ ବିଭିନ୍ନ ଓଟିଡିସିର ୧୮ ଜଣ ସେଫ୍ ଭାଗ ନେଇଥିଲେ । ସୂଚନା ଅନୁଯାୟୀ, ମିଲେଟ କହିଲେ ମାଣ୍ଡିଆ, କୁଦୋ, ଗୁର୍ଜି, ରକ୍ସି, କାଙ୍ଗୁର, ବାଜରା, ସୁଆଁ, କ୍ଷୀରା, ଜବାର ସମେତ ୯ଟି ପୋଷଣଯୁକ୍ତ ଖାଦ୍ୟ ଶସ୍ୟକୁ ବୁଝାଏ । ଓଡ଼ିଶା ମିଲେଟ ମିସନରେ ୪ ଶସ୍ୟକୁ ସାମିଲ କରାଯାଏ । ପୂର୍ବରୁ ମିଲେଟ୍ କହିଲେ କେବଳ ମାଣ୍ଡିଆ ବୁଝାଉଥିଲା । ଯାହା ସ୍ୱାଦିଷ୍ଟ ଏବଂ ପୁଷ୍ଟିକର । କିନ୍ତୁ ସେଥିରେ ଆହୁରି ବିଭିନ୍ନ ପ୍ରକାର ଖାଦ୍ୟ ତିଆରି ହୋଇ ପାରିବ ସେଥିପାଇଁ ମିଲେଟ ମିସନ ପକ୍ଷରୁ ପ୍ରସ୍ତୁତି ଜାରି ରଖିଛି । ଏଥି ଅନ୍ତର୍ଗତରେ ମିଲେଟ୍ ବିସ୍କୁଟ, ମିକ୍ସଚର, ନିମିକି, ଲଡୁ ତିଆରି ହୋଇ ପାରୁଛି । ପ୍ରଧାନମନ୍ତ୍ରୀ ମନକି ବାତ କାର୍ଯ୍ୟକ୍ରମରେ ମିଲେଟ୍ ମିସନ ଏବଂ ମିଲେଟ ବିସ୍କୁଟକୁ ପ୍ରଶଂସା କରିଥିଲେ । ମିଲେଟ୍ କୁ ଆହୁରି ଲୋକଙ୍କ ପାଖକୁ ପହଂଚାଇବା ପାଇଁ ନୂଆଁ ପ୍ରକାର ଖାଦ୍ୟ ତିଆରି କରାଯାଉଛି । ଆଇଏଚଏମ ସଂସ୍ଥାନର ଅଧ୍ୟାପକ କୁମାର ଗୌରବ ଓଟିଡିସି ସେଫମାନଙ୍କୁ ଖାଦ୍ୟ ପ୍ରସ୍ତୁତି ପଦ୍ଧତିକୁ ପରିବର୍ତନ ନକରି କିପରି ମିଲେଟକୁ ସାମିଲ କରି ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ ହୋଇ ପାରିବ ସେ ପାକ ପଦ୍ଧତି କହିଥିଲେ । ମିଲେଟ ମିସନର ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଓଡ଼ିଶା ମିଲେଟ ମିସନର ମାର୍କେଟିଂ ବିଶେଷଜ୍ଞ ଐଶିକାନ୍ତ ମହାପାତ୍ର, କାର୍ଯ୍ୟକ୍ରମ ସଂଯୋଜକ ସବନମ ଆଫରିନ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର