Sunday , May 28 2023
Breaking News
Home / ବିଶେଷ / ସମସ୍ତ ଦାରିଦ୍ର୍ୟ ଦୂରୀକରଣ ଯୋଜନାରେ ସାମିଲ ହେବେ ଏନ୍ ଏସ୍ ଏପି ହିତାଧିକାରୀ –

ସମସ୍ତ ଦାରିଦ୍ର୍ୟ ଦୂରୀକରଣ ଯୋଜନାରେ ସାମିଲ ହେବେ ଏନ୍ ଏସ୍ ଏପି ହିତାଧିକାରୀ –

 ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୦୪ /୦୯/୨୦୨୨(ଓଡ଼ିଶା ସମାଚାର)-ଭାରତ ସରକାରଙ୍କର ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନ୍ ଏସ୍ ଏପି) ସହିତ ରାଜ୍ୟ ସରକାରଙ୍କର ଦାରିଦ୍ର୍ୟ ଦୂରୀକରଣ ଯୋଜନା ଏବଂ ସାମାଜିକ ସୁରକ୍ଷା ଯୋଜନାର ମିଶ୍ରଣ ହେବ। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ଅଧୀନସ୍ଥ ଏନ୍ ଏସ୍ ଏପି ଡିଭିଜନ୍ ପକ୍ଷରୁ ରାଜ୍ୟ ସରକାରଙ୍କୁ କୁହାଯାଇଛି ଯେ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଉେଦ୍ଦଶ୍ୟରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କର ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ ସହିତ ଏନ୍ ଏସ୍ ଏପି କୁ ମିଶ୍ରଣ କରିବାର ଆବଶ୍ୟକତା ରହିଛି। ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ପତ୍ର ଲେଖି ନିର୍ଦ୍ଦେଶ ଦିଆଯାଇଛି।

ନିର୍ଦ୍ଦେଶ ଅନୁସାରେ ଏନ୍ ଏସ୍ ଏପି ହିତାଧିକାରୀମାନେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା (ଆରଏସ୍ ବିୱାଇ) ଅବା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ ହୋଇପାରିବେ। ସେମାନେ ଆମ ଆଦମୀ ବୀମା ଯୋଜନା, ଇନ୍ଦିରା ଆବାସ ଯୋଜନା ଅବା ସହରାଞ୍ଚଳ ବାସଗୃହ ଯୋଜନାରେ ସାମିଲ ହୋଇପାରିବେ। ରାଜ୍ୟ ସରକାରଙ୍କ ଜୀବିକା ମିଶନ୍ ରେ ଅଧିକରୁ ଅଧିକ ମହିଳା ହିତାଧିକାରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ ଏଚ୍ ଜି) ମାନଙ୍କୁ ସାମିଲ କରାଯିବ। ଖାଦ୍ୟ ସୁରକ୍ଷା ଯୋଜନାରେ ଯେପରି ସ୍ୱୟଂକୃତ ଭାବେ ଏନ୍ ଏସ୍ ଏପି ର ସମସ୍ତ ହିତାଧିକାରୀ ସାମିଲ ହେବେ ତାହା ରାଜ୍ୟ ସରକାର ସୁନିଶ୍ଚିତ କରିବେ। ମନରେଗା କାର୍ଯ୍ୟକ୍ରମରେ ପ୍ରତ୍ୟେକ ହିତାଧିକାରୀଙ୍କୁ ଜବ୍ କାର୍ଡ ଦିଆଯିବ। ଜୀବିକା ଦକ୍ଷତା କାର୍ଯ୍ୟକ୍ରମରେ ହିତାଧିକାରୀ ଅବା ସେମାନଙ୍କ ପିଲାମାନଙ୍କୁ ସାମିଲ କରାଯିବ। ଏଥିପାଇଁ ଏସ୍ ଏଚ୍ ଜି ନେଟୱର୍କ  ତଥ୍ୟ ଆଣି ପ୍ରତ୍ୟେକ ପରିବାରର ଆବଶ୍ୟକତା ସମ୍ପର୍କରେ ରିପୋର୍ଟ ପ୍ରସ୍ତୁତ କରାଯାଇ ସେମାନଙ୍କୁ ଯୋଜନାରେ ସାମିଲ କରାଯିବ। ସମ୍ପ୍ରତି ରାଜ୍ୟ ସରକାରଙ୍କର ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ତଥା ଭବିଷ୍ୟତର କାର୍ଯ୍ୟକ୍ରମ ପାଇଁ ହିତାଧିକାରୀ ଚୟନ କରିବା ପୂର୍ବରୁ ଏନ୍ ଏସ୍ ଏପିର ତଥ୍ୟ ମେଳ କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ହିତାଧିକାରୀମାନେ ଦୁର୍ବଳ ବର୍ଗର ହୋଇଥିବାରୁ ସେମାନେ ଯେପରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ସମସ୍ତ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ ତଥା ଯୋଜନାରେ ସାମିଲ ହେବେ ତାହା ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published.