Wednesday , May 31 2023
Home / ବିଶେଷ / କେନ୍ଦ୍ରାପଡାରେ ସର୍ବୋଦୟ ମଣ୍ଡଳ ଜିଲ୍ଲା କମିଟି ଗଠିତ

କେନ୍ଦ୍ରାପଡାରେ ସର୍ବୋଦୟ ମଣ୍ଡଳ ଜିଲ୍ଲା କମିଟି ଗଠିତ

ଗାନ୍ଧୀ ବିଚାରଧାରାକୁ ଆଗକୁ ନେବାକୁ ହେବ
କେନ୍ଦ୍ରାପଡ଼ା,୦୪/୦୯/୨୦୨୨(ଓଡ଼ିଶା ସମାଚାର)- ଦେଶରେ ଏବେ ଗାନ୍ଧିବାଦୀ ବିଚାର ଓ ପ୍ରତିଷ୍ଠାନ ଗୁଡିକ ଉପରେ କ୍ରମାଗତ ଭାବେ ବଢି ଚାଲିଥିବା ଆକ୍ରମଣ ବିରୁଦ୍ଧରେ ଦେଶ ତମାମ ବିଭିନ୍ନ ଗାନ୍ଧିବାଦୀ ବ୍ୟକ୍ତିବିଶେଷ ଓ ସଂଗଠନ କ୍ରିୟାଶୀଳ ହେଉଥିବା ପ୍ରରିପେକ୍ଷୀରେ କେନ୍ଦ୍ରାପଡାରେ ସର୍ବୋଦୟ ମଣ୍ଡଳର ଜିଲ୍ଲା କମିଟି ପୁନର୍ଗଠିତ ହୋଇଯାଇଛି । ଏଥି ଉପଲକ୍ଷେ ସମାଜସେବୀ ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ଜିଲ୍ଲା ବିକାଶ ସାମ୍ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଜିଲ୍ଲାର ଗାନ୍ଧିବାଦୀ ବିଚାର ଓ କାର୍ଯ୍ୟକ୍ରମକୁ ଆଗେଇ ନେଉଥିବା ତଥା ସର୍ବୋଦୟ ନୀତିକୁ ଗ୍ରହଣ କରୁଥିବା ବ୍ୟକ୍ତିମାନେ ସର୍ବୋଦୟ ମଣ୍ଡଳର ଜିଲ୍ଲା କମିଟି ଗଠନ କରି କାର୍ଯ୍ୟକ୍ରମକୁ ଗତିଶୀଳ କରିବା ପାଇଁ ଆଲୋଚନା କରିଛନ୍ତି । ସର୍ବୋଦୟ ମଣ୍ଡଳ ରାଜ୍ୟ କମିଟି ସଦସ୍ୟ ମିହିର ପ୍ରତାପ ଦାସ, ରାଷ୍ଟ୍ରୀୟ ଯୁବା ପରିଷଦର ଜାତୀୟ ପରିଷଦ ସଭ୍ୟ ମାନସ ପଟ୍ଟନାୟକ ଏଥିରେ ଯଥାକ୍ରମେ ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ରୂପେ ଉପସ୍ଥିତ ରହି ସର୍ବୋଦୟର ଲକ୍ଷ୍ୟ, ଉଦେଶ୍ୟ ଓ କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଶିଷ୍ଟ ସମାଜସେବୀ ଭଜକୃଷ୍ଣ ରାଉତ, ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ଅଧ୍ୟାପକ ଅଜୟ ସାମଲ, ଗୋପାଳକୃଷ୍ଣ ଜେନା ପ୍ରମୁଖ ଜିଲ୍ଲାରେ ଗାନ୍ଧିବାଦୀ କାର୍ଯ୍ୟକ୍ରମ ଓ ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ନୂତନ ସଭ୍ୟପଦ ଗ୍ରହଣ ପରେ ରାଜ୍ୟ କମିଟି ସଭ୍ୟ ରାମଚନ୍ଦ୍ର ଶୁକ୍ଳଙ୍କ ପର୍ଯ୍ୟବେକ୍ଷଣରେ ଅନୁଷ୍ଠିତ ଜିଲ୍ଲା କମିଟି ନିମନ୍ତେ ଅନୁଷ୍ଠିତ ନିର୍ବାଚନରେ ସଭାପତି ରୂପେ ଅକ୍ରୁର ପଲାଇ, ଉପସଭାପତି- ପ୍ରଦୀପ କୁମାର ଦାସ, ସମ୍ପାଦକ- ପଦ୍ମନାଭ ଦାସ, ସହ ସମ୍ପାଦକ- ମରୁତ କୁମାର ସ୍ୱାଇଁ, କୋଷାଧ୍ୟକ୍ଷ ଭାବେ ସତ୍ୟରଞ୍ଜନ ନାୟକ ଏବଂ ରାଜ୍ୟ କମିଟି ପ୍ରତିନିଧି ଭାବେ କୁଳମଣୀ ରାଉତଙ୍କୁ ନିର୍ବାଚିତ କରାଯାଇଥିଲା । ଏଥିସହିତ ଆଦିକନ୍ଦ ରାଉଳଙ୍କ ଆବାହକତ୍ୱରେ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ଅଧ୍ୟାପକ ଅଜୟ ସାମଲ ଓ ଭଜକୃଷ୍ଣ ରାଉତଙ୍କୁ ନେଇ ଏକ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇଥିଲା । ଶେଷରେ ଅମର ପ୍ରସାଦ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।ଓଡ଼ିଶା ସମାଚାର

Leave a Reply

Your email address will not be published.