Monday , June 5 2023
Breaking News
Home / ବିଶେଷ / ଫୁଡ଼ ଇନ୍ସପେକ୍ଟରଙ୍କ ପଡ଼ୁନି ନଜର: ବଜାରରେ ଚାଲିଛି ଭେଜାଲ ଓ ବାସି ଖାଦ୍ୟର କାରବାର

ଫୁଡ଼ ଇନ୍ସପେକ୍ଟରଙ୍କ ପଡ଼ୁନି ନଜର: ବଜାରରେ ଚାଲିଛି ଭେଜାଲ ଓ ବାସି ଖାଦ୍ୟର କାରବାର

ନିରାକାରପୁର, ୦୩/୦୯/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଓ ତାର ପାଖାପାଖି ଅଂଚଳରେ ଅବାଧରେ ଦୈନନ୍ଦିନ ଚାଲିଛି ଭେଜାଲ ଓ ବାସି ଖାଦ୍ୟର କାରବାର । କିନ୍ତୁ ଏ ସବୁକୁ ତଦାରଖ କରିବାକୁ ଦାୟିତ୍ୱରେ ଥିବା ବାବୁମାନଙ୍କର କାଇଁ କେତେବେଳେ ଯେ ଗ୍ରାମାଂଚଳରେ ପାଦ ପଡ଼ିବାର ଦେଖିବାକୁ ମିଳୁନି । ଏମାନେ କେବଳ ନିଜର ଦାୟିତ୍ୱକୁ ପାଳନ କରିବା ଆଳରେ କିଛି ବଡ଼ ବଡ଼ ସହରାଂଚଳ ଜଳଖିଆ , ହୋଟେଲମାନଙ୍କ ଉପରେ ଚଢାଉ କରି ନିଜ କାର୍ଯ୍ୟ ଶେଷ କରୁଥିବାର ମନେ ହେଉଛି । ଏଣେ ଗ୍ରାମାଂଚଳ ଦୋକାନମାନଙ୍କରେ ମୁନାଫା ଖୋର ବ୍ୟବସାୟୀମାନେ ନିଜ ଜଳଖିଆ, ଫାଷ୍ଟଫୁଡ଼ ଓ ହୋଟେଲମାନଙ୍କରେ ଦୁଇ ତିନି ଦିନର ବାସି ଖାଦ୍ୟପଦାର୍ଥକୁ ଫ୍ରିଜରେ ରଖି ତାକୁ ଗରମ କରି ଲୋକମାନଙ୍କୁ ପରଷୁ ଥିବାର ଦେଖାଯାଉଛି । ଫଳରେ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇ ଲୋକମାନେ ବିଭିନ୍ନ ପେଟରୋଗ ଭଳି ଫୁଡ଼ ପଏଜନ ରୋଗରେ ପୀଡ଼ିତ ହୋଇ କଷ୍ଟ ଅନୁଭବ କରୁଛନ୍ତି । ଏହା ବିରୁଦ୍ଧରେ ଉକ୍ତ ବ୍ୟବସାୟୀମାନଙ୍କୁ ଅଭିଯୋଗ ଆଣିଲେ ସେମାନେ ଗାଲୁଆଗିରି କରିବା ସହ ନାଲି ଆଖି ଦେଖାଇବାକୁ ପଛାଉ ନାହାଁନ୍ତି । ନିରାକାରପୁର ଓ ତାର ଆଖପାଖ ଅଂଚଳରେ ଅତି ନିମ୍ନମାନର ଭେଜାଲ ଖାଦ୍ୟ ବିଭିନ୍ନ ଦୋକାନୀ ଲୋକମାନଙ୍କୁ ପରିବେଷଣ କରୁଥିବାବେଳେ ବାସି ଖାଦ୍ୟକୁ ଦେଉଥିବାର ବିଭିନ୍ନ ଅଭିଯୋଗରୁ ଜଣାପଡ଼ିଛି । ମୁଖ୍ୟତଃ କିଛି ଫାଷ୍ଟ ଫୁଡ୍ÿ ଦୋକାନୀ ଚିକେନ ଓ ମଟନକୁ ଫ୍ରିଜରରେ ରଖି ଦୁଇଚାରି ଦିନ ପର୍ଯ୍ୟନ୍ତ ଏହାକୁ ରାନ୍ଧି ବିକ୍ରି କରୁଥିବାର ଦେଖିବାକୁ ମିଳୁଛି । କିନ୍ତୁ ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲା ଫୁଡ଼ ଇନ୍ସପେକ୍ଟରଙ୍କ ପର୍ଯ୍ୟନ୍ତ କାହାର ନଜର ଏଥିପ୍ରତି ନ ପଡ଼ିବା ଭଳି ଲାଗୁଛି । ଯଦି ବେଳେବେଳେ ଖାଦ୍ୟ ପଦାର୍ଥ ତଦାରଖ ହୁଅନ୍ତା ବ୍ୟବସାୟୀମାନଙ୍କ ମନରେ ଟିକେ ବି ଭୟ ରୁହନ୍ତା ଆଉ ସେମାନେ ବାସି ଖାଦ୍ୟ କିମ୍ବା ଭେଜାଲ ଖାଦ୍ୟ ବିକ୍ରୀ କରିବାରୁ ନିବୃତ ରୁହନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ତେଣୁ ଜିଲ୍ଲା ଖାଦ୍ୟ ତଦାରଖ ବିଭାଗ ତରଫରୁ ତୁରନ୍ତ ଜିଲ୍ଲାର ବିଭିନ୍ନ ଅଂଚଳରେ ଚଢାଉ କରିବାକୁ ଦାବି ହେଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published.