Thursday , June 1 2023
Breaking News
Home / କୃଷି / ୨ ବର୍ଷ ଧରି ବନ୍ଦ ପଡ଼ିଥିବା ବଡ଼ବେତ୍ରା କୃଷି ସମବାୟ ସମିତି ଖୋଲିବା ଦାବିରେ କୃଷକ ସମାବେଶ 

୨ ବର୍ଷ ଧରି ବନ୍ଦ ପଡ଼ିଥିବା ବଡ଼ବେତ୍ରା କୃଷି ସମବାୟ ସମିତି ଖୋଲିବା ଦାବିରେ କୃଷକ ସମାବେଶ 

ଗରଦପୁର, ୦୨/୦୯/୨୦୨୨(ଓଡ଼ିଶା ସମାଚାର)-ଦୀର୍ଘ ୨ ବର୍ଷରୁ ଅଧିକ ସମୟ ଧରି ଗରଦପୁର ବ୍ଲକ୍ ଅନ୍ତର୍ଗତ ବଡ଼ ବେତ୍ରା ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ ବନ୍ଦ ରହିଛି । ଏହି ପ୍ରାଥମିକ କୃଷି ସମବାୟ ସମିତି ରେ ସମ୍ପାଦକ ନିଯୁକ୍ତି କୁ କେନ୍ଦ୍ର କରି ଏକାଧିକ ମାମଲା ହାଇକୋର୍ଟରେ ରହିଛି । ଫଳରେ ଏହି କୃଷି ସମବାୟ ସମିତି ଓ ଏହାର ମିନି ବ୍ୟାଙ୍କ ଅଚଳ ରହିଛି । ଏହି ବନ୍ଦ ପଡ଼ିଥିବା କୃଷି ସମବାୟ ସମିତିକୁ କାର୍ଯ୍ୟକ୍ଷମ କରିବାର ଦାବି ନେଇ ଆଜି ବଡ଼ବେତ୍ରା କୃଷି ସମବାୟ ସମିତି ସମ୍ମୁଖରେ ଶତାଧିକ ଚାଷୀ ଏକତ୍ରିତ ହୋଇଥିଲେ । ଏହି ସମିତି ଅଧିନରେ ଥିବା ବଡ଼ବେତ୍ରା, ମଧୁ ଶାସନ ଓ ଭଗବାନପୁର ଗ୍ରାମ ପଂଚାୟତର ଚାଷୀମାନେ ଏକତ୍ରିତ ହୋଇ କୃଷି ସମବାୟ ସମିତି ଓ ଏହାର ମିନି ବ୍ୟାଙ୍କ କୁ ତୁରନ୍ତ ଖୋଲିବାକୁ ଦାବି କରିଥିଲେ । ଚାଷୀମାନେ ସମବାୟ ସମିତି ଏବଂ ମିନି ବ୍ୟାଙ୍କ ବନ୍ଦ ହେବା ଦ୍ୱାରା କିପରି ସରକାରଙ୍କ ଦ୍ୱାରା ସୋସାଇଟି ଜରିଆରେ କୃଷି ଏବଂ କୃଷକର ଉନ୍ନତି ପାଇଁ ମିଳୁଥିବା ନାନାବିଧ ସୁବିଧା ସୁଯୋଗ ପାଇବାରୁ ବଂଚିତ ହୋଇ କିପରି ଦୁଃଖ କଷ୍ଟରେ ଅଛନ୍ତି, ସେ ବାବଦରେ କହିଥିଲେ । କିଛି ଚାଷୀ ଏବଂ ଏହି ଅଂଚଳର ଜନସାଧାରଣ ନିଜର କଷ୍ଟ ଲବ୍ଧ ଧନରାଶିକୁ ମିନି ବ୍ୟାଙ୍କ ରେ ରଖି ନିଜ ଆବଶ୍ୟକତା ସମୟରେ ଉଠାଇ ପାରୁନାହାନ୍ତି । ଫଳରେ ପରିବାର ଚଳାଇବା , ଔଷଧ ପତ୍ର କିଣାକିଣି , ବାହାଘର, ବ୍ରତଘର ନିମନ୍ତେ ହଇରାଣ ହରକତ ହେଉଥିବା ବୟାନ ଦେଇଥିଲେ । ଏପରିକି ଗତ ସପ୍ତାହରେ ଗରଦପୁର ବ୍ଲକ୍ କାର୍ଯ୍ୟାଳୟରେ ଚାଲିଥିବା ଜିଲାପାଳଙ୍କ ଜନ ଶୁଣାଣି ଶିବିରରେ ମଧ୍ୟ ଜିଲାପାଳ ଅମ୍ରିତ ଋତୁରାଜ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । କୃଷି ର ଉନ୍ନତି ପାଇଁ ବିହନ ,ସାର, କୃଷି ଋଣ ଇତ୍ୟାଦି ସୋସାଇଟି ରୁ ମିଳୁନାହିଁ । ଯାହାଦ୍ୱାରା ଖୋଲା ବଜାର ଉପରେ ନିର୍ଭର କରି ଚାଷୀଙ୍କର ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗିଯାଉଛି । ତେଣୁ ତୁରନ୍ତ ଏହି କୃଷି ସମବାୟ ସମିତିଟିକୁ କାର୍ଯ୍ୟକ୍ଷମ କରିବା ପାଇଁ ମାନ୍ୟବର ଉଚ ନ୍ୟାୟାଳୟରେ ଥିବା ରହିତାଦେଶକୁ ଉଠାଇବା ପାଇଁ ଏକ ନିବେଦନ ପତ୍ର ମାନ୍ୟବର ମୁଖ୍ୟ ବିଚାରପତି ଙ୍କ ଉଦେଶ୍ୟରେ ପଠାଗଲା । ସେହିପରି ଖାଦ୍ୟ ଯୋଗାଣ , ଖାଉଟି କଲ୍ୟାଣ ଓ ସମବାୟ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ  ନାୟକ ଓ ପାଟକୁରାର ବିଧାୟିକା ଙ୍କ ସମେତ କେନ୍ଦ୍ରାପଡ଼ା ଜିଲାପାଳଙ୍କ ଉଦେଶ୍ୟରେ ବଡ଼ବେତ୍ରା ପ୍ରାଥମିକ କୃଷି ସମବାୟ ସମିତିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ଦାବି ପତ୍ର ଦିଆଯାଇଥିଲା । ଏହି କୃଷି ସମାବେଶକୁ ବିଜନ ରାୟ, କିଶୋର କୁମାର ପାତ୍ର, ଗୌତମ ବାରିକ, ବନ ବିହାରୀ ରାଉତରାୟ, ମୁରଲୀ ଚନ୍ଦ୍ର ଭଦ୍ର, ପୁଷ୍ପଲତା ଦାସ ପ୍ରମୁଖ ଉଦବୋଧନ ଦେଇଥିଲେ । ଏବଂ ଏଥିରେ ଅନନ୍ତ କୁମାର ପରିଡ଼ା, ପୁରୁଷୋତମ ତ୍ରିପାଠୀ,ଆମରନ୍ଦୁ ସ୍ୱାଇଁ, କାଂଚନବାଳା ଜେନା, ସାବିତ୍ରୀ ଜେନା. ନୀରଂଜନ ଲେଙ୍କା, ସୁଶାନ୍ତକୁମାର ଜେନା, ଅଭିରାମ ଜେନା, କବି ପ୍ରସାଦ ବାରିକ, ବୈଷ୍ଣବ ପାତ୍ର, ନାରାୟଣ ବାରିକ ପ୍ରମୁଖ ଶତାଧିକ ଚାଷୀ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.