କଟକ/ କଟକ ସଦର ,୦୨/୦୯/୨୦୨୨(ଓଡ଼ିଶା ସମାଚାର / ଦେବାଶିଷ ରଥ / ଵିଷ୍ଣୁ ବେହେରା )- କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ ଆତ୍ମହତ୍ୟା କରିଛନ୍ତି । ସେ ସିଡିଏ ସେକ୍ଟର-୯ ସ୍ଥିତ ତାଙ୍କ ସରକାରୀ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ତାଙ୍କୁ ସିଡିଏର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବିଚାରପତିଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ପୁଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ।
ସୂଚନା ଅନୁଯାୟୀବିଚାରପତି ଶ୍ରୀ ଵିହାରୀ ଦୁଇ ଦିନ ହେଲା ଛୁଟିରେ ଥିବା ବେଳେ ଆଜି କାର୍ୟ୍ୟରେ ଯୋଗ ଦେଵାର ଥିଲା।ହେଲେ ଆଉ ଗୋଟିଏ ଦିନ ଅର୍ଥାତ୍ ଆଜି ଛୁଟି ପାଇଁ ଷ୍ଟେନୋଙ୍କୁ ଦରଖାସ୍ତ ପଠାଇବାକୁ କହିଥିବା ଜଣାପଡିଛି। ଜଣେ ଅମାୟିକ,ସରଳ ଓ କର୍ତ୍ତବ୍ୟନିଷ୍ଠ ବିଚାରପତି ଏଭଳି ଆତ୍ମହତ୍ୟାର ଵାଟ ଵାଛି ନେଇ ପାରନ୍ତି ଵୋଲି କେହି ବି ସୁଧା ବିଶ୍ୱାସ କରିପାରୁ ନାହାନ୍ତି। ପୋଲିସ ମୃତ ଶରୀରକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ସାଇଂଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଜାରି ରଖିଛି । ଘଟଣାସ୍ଥରୁ ପୋଲିସ ଏକ ରଶି ଜବତ କରିଛି । ଏ ସମ୍ପର୍କରେ ମର୍କତନଗର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଓଡ଼ିଶା ସମାଚାର