ବିକାଶ ପାଇଁ ସହଯୋଗ ଜରୁରୀ – ନଗରପାଳ
ଭୁବନ,୦୧/୦୯/୨୦୨୨(ଓଡ଼ିଶା ସମାଚାର)- ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ରେ ନିଖିଳ ଭାରତ ସ୍ୱାୟତ ଶାସନ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରି ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି କହିଥିଲେ ଯେ , ଦେଶ ସ୍ୱାଧିନତାର ୫ ବର୍ଷପରେ ଅର୍ଥାତ ୧୯୫୨ ମସିହାରେ ସହରାଂଚଳର ବିକାଶ ପାଇଁ ସରକାର ସ୍ୱାୟତ ଶାସନ ଆରମ୍ଭ କରିଥିଲେ । ଆଜି ୭୧ ତମ ସ୍ୱାୟତ ଶାସନ ଦିବସ ପାଳନ ଅବସରରେ ଶୁଭେଚ୍ଛା ଜଣାଇ ଭୁବନ ସହର ର ଉନ୍ନତି ପାଇଁ ଆମ୍ଭଙ୍କୁ ମିଳିମିଶି କାର୍ଯ୍ୟ କରିବାକୁ ପଡିବ । ଭୁବନର ବିକାଶ ପାଇଁ ଇଣ୍ଡୋର ଷ୍ଟାଡିୟମ , ନୂଆ ବସଷ୍ଟାଣ୍ଡ , ରିଙ୍ଗରୋଡ , ଅଡିଟୋରିୟମ , ଆଦର୍ଶ ପାଠାଗାର , ଓଭରହେଡ ପାଣିଟାଙ୍କି , ସ୍ୱଚ୍ଛତା ଓ ପରିମଳକୁ ଗୁରୁତ୍ୱ ଦେବା ସହିତ ସ୍ୱରେଜ ସିଷ୍ଟମ କାର୍ଯ୍ୟ ହାତକୁ ନିଆଯାଇଛି । ଅଫିସ କର୍ମଚାରୀ , ସାଥୀ କାଉନସିଲର ,ଜନସାଧାରଣ ଓ ବିଶେଷକରି ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହଯୋଗ ରହିଲେ ଭୁବନର ନିଶ୍ଚିତ ବିକାଶ ହେବ ଓ ଆମ ଭୁବନ ରାଜ୍ୟର ଏକ ଆଦର୍ଶ ସହର ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ନିର୍ବାହୀ ଅଧିକାରୀ ଶ୍ୟାମସୁନ୍ଦର ସାହୁ ଙ୍କ ସମେତ କର୍ମଚାରୀ , କାଉନସିଲର , ସ୍ୱଚ୍ଛସାଥୀ ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର