Wednesday , May 31 2023
Home / ବିଶେଷ / ସରକାରୀ ଜମି ଜାଲିଆତି ଘଟଣା: କାର୍ଯ୍ୟାନୁଷ୍ଠାନ ନହେବାରୁ ଗାନ୍ଧୀ  ମୂର୍ତି ତଳେ ଧାରଣା

ସରକାରୀ ଜମି ଜାଲିଆତି ଘଟଣା: କାର୍ଯ୍ୟାନୁଷ୍ଠାନ ନହେବାରୁ ଗାନ୍ଧୀ  ମୂର୍ତି ତଳେ ଧାରଣା

କେନ୍ଦ୍ରାପଡା, ୩୧/୦୮/୨୦୨୨(ଓଡ଼ିଶା ସମାଚାର)- ବହୁ ଚର୍ଚ୍ଚିତ ପଟ୍ଟାମୁଣ୍ଡାଇ ସରକାରୀ ଜମି ଜାଲିଆତି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଓଡିଶା ସୂଚନା ଅଧିକାର ଅଭିଯାନର ସଦସ୍ୟ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ ଗରାପୁର ଡାକବଙ୍ଗଳା ଛକ ସ୍ଥିତ ଗାନ୍ଧୀଜୀଙ୍କ ପ୍ରତିମୂର୍ତି ନିକଟରେ ଧାରଣାରେ ବସିରହିଥିବା ଦେଖାଯାଇଛି । ସରକାରୀ ଜମି ସରକାରଙ୍କ ଖାତାକୁ ଫେରାଇ ଆଣିବା ସହିତ ଏହି ଜାଲିଆତିରେ ସାମିଲ ଥିବା ପଟ୍ଟାମୁଣ୍ଡାଇର ପ୍ରାକ୍ତନ ତହସିଲଦାର, ପେସ୍କାର, ଅମିନ ଓ ଅନ୍ୟ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଶ୍ରୀ ଆଚାର୍ଯ୍ୟ ତାଙ୍କର ଦିନରାତି ଧାରଣା ବୁଧବାର ଠାରୁ ଗରାପୁର ଗାନ୍ଧୀଜୀଙ୍କ ପ୍ରତିମୂର୍ତି ନିକଟରେ ଆରମ୍ଭ କରିଛନ୍ତି । ଧାରଣାସ୍ଥଳରେ ସମାଜସେବୀ ଭାଗିରଥି ଜେନା ଓ ନିରଞ୍ଜନ ପରିଡା ପ୍ରମୁଖ ଶ୍ରୀ ଆଚାର୍ଯ୍ୟଙ୍କୁ ସମର୍ଥନ କରି ବସିରହିଥିବା ବେଳେ ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ସାମାଜିକ କର୍ମୀମାନେ ସମର୍ଥନ ଜଣାଇଥିବା ମଧ୍ୟ ଦେଖିବାକୁ ମିଳିଛି । ଦାବି ମୁତାବକ ପାଖାପାଖି ଦୁଇ ଏକର ଜମି ଜାଲିଆତି ହୋଇଥିବା ନେଇ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗି ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ତେରୋହି ଗ୍ରାମର କାଶୀନାଥ ଭୋଳ ଏହି ସରକାରୀ ଜମି ହାତେଇଥିବା ଜଣାପଡିଥିଲା । ସୂଚନା ଅଧିକାର ଅଭିଯାନ ସଦସ୍ୟ ଦୁଷ୍ମନ୍ତ ତଥ୍ୟ ପ୍ରମାଣ ଆଧାରରେ  ଏହି ଜାଲିଆତି ଘଟଣା ସମ୍ପର୍କରେ ଦୁଇମାସ ତଳେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିସହିତ ଦୁଷ୍ମନ୍ତ ପ୍ରାୟ ଦେଢମାସ ତଳେ ପଟ୍ଟାମୁଣ୍ଡାଇ ଥାନାରେ ମଧ୍ୟ ଏ ନେଇ ଲିଖିତ ଭାବେ ଅଭିଯୋଗ କରିଥିଲେ । ଏହି ଘଟଣାରେ ସରକାରୀ କାଗଜପତ୍ର ଜାଲିଆତି କରାଯାଇଥିବା ସ୍ପଷ୍ଟ ଜଣାପଡୁଥିବା ବେଳେ ଜିଲ୍ଲା ପ୍ରଶାସନ ସବୁ ଜାଣିଶୁଣି ସେହି ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଘଂଟ ଘୋଡାଉଥିବା ଦୁଷ୍ମନ୍ତ ଅଭିଯୋଗ କରିଛନ୍ତି । ଏତେ ପରିମାଣର ସରକାରୀ ଜମିକୁ ସରକାରୀ ଖାତାକୁ ଫେରାଇ ଅଣାଯାଇ ସେହି ଜମିକୁ ଯଦି ଭୂମିହୀନମାନଙ୍କୁ ବଂଟାଯାଏ ତେବେ ପ୍ରାୟ ୪୦ରୁ ଉଦ୍ଧ୍ୱର୍ ପରିବାର ସେହି ଜମିକୁ ପାଇପାରିବେ । ଜିଲ୍ଲା ପ୍ରଶାସନର ଏଭଳି ନୀତି ଯୋଗୁଁ ସମୂହ ସ୍ୱାର୍ଥକୁ ଲକ୍ଷ ରଖି ଏହି ଧାରଣା ଦେବାକୁ ବାଧ୍ୟ ହୋଇଥିବା ଅଭିଯୋଗକାରୀ ଦୁଷ୍ମନ୍ତ କ୍ଷୋଭର ସହିତ କହିଛନ୍ତି । ଯେପର୍ଯ୍ୟନ୍ତ ସଂପୃକ୍ତ ସରକାରୀ ଜମିକୁ ସରକାରୀ ଖାତାକୁ ଫେରାଇ ଅଣାନଯାଇଛି ଏବଂ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଇଛି ସେ ପର୍ଯ୍ୟନ୍ତ ଦୁଷ୍ମନ୍ତ ତାଙ୍କ ଧାରଣା ଚାଲୁ ରଖିବେ ବୋଲି ରୋକଠୋକ ଭାବେ ପ୍ରଶାସନକୁ ଚେତାବନୀ ଦେଇ କହିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.