Saturday , June 10 2023
Breaking News
Home / ବିଶେଷ / ପତିହରା ‘ମା’ ସାବିତ୍ରୀ ରାଉତ ଓ ମଞ୍ଜୁ ମହାନ୍ତିଙ୍କ ଦ୍ୱାରା ଆର୍ଯ୍ୟସମାଜ କଲ୍ୟାଣ ମଣ୍ଡପ ଉଦଘାଟିତ

ପତିହରା ‘ମା’ ସାବିତ୍ରୀ ରାଉତ ଓ ମଞ୍ଜୁ ମହାନ୍ତିଙ୍କ ଦ୍ୱାରା ଆର୍ଯ୍ୟସମାଜ କଲ୍ୟାଣ ମଣ୍ଡପ ଉଦଘାଟିତ

ଭୁବନେଶ୍ୱର,୩୧/୦୮/୨୦୨୨(ଓଡ଼ିଶା ସମାଚାର)- ସମାଜ ସଂସ୍କାରର ଏକ ନୂତନ ବାର୍ତା ଦେବା ପାଇଁ ଆର୍ଯ୍ୟସମାଜ, ଓଡ଼ିଶାର ଏକ ଅଭିନବ ପ୍ରୟାସ ଆଜି ଦେଖିବାକୁ ମିଳିଛି । ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥ ଶ୍ରୀ ଅରବିନ୍ଦ ନଗରଠାରେ ପତିହରା ‘ମା’ମାନେ ଯେ ସମସ୍ତ ଶୁଭକର୍ମ କରିପାରିବେ ଓ ଯଜ୍ଞରେ ଭାଗ ନେଇ ଆହୂତି ଦେଇପାରିବେ, ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଧେଶ୍ୟ ବୋଲି ଆର୍ଯ୍ୟ ସମାଜ, ଓଡ଼ିଶାର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଛନ୍ତି ।
ପବିତ୍ର ଗଣେଶ ପୂଜା ଅବସରରେ ସ୍ୱାମୀ ଦୟାନନ୍ଦ ସର୍ଭିସ ମିଶନ ପକ୍ଷରୁ ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ବ୍ୟକ୍ତିବିଶେଷଙ୍କୁ କଲ୍ୟାଣ ମଣ୍ଡପ ଯୋଗାଇ ଦେବା ପାଇଁ ଆର୍ଯ୍ୟ ସନ୍ନ୍ୟାସୀ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଶ୍ରୀ ଅରବିନ୍ଦନଗରସ୍ଥ ସ୍ୱାମୀ ବ୍ରହ୍ମାନନ୍ଦ ଭବନ ପରିସରରେ ଶଶୀଭୂଷଣ ବହୁମୁଖୀ ମଣ୍ଡପକୁ ଶ୍ରୀମତୀ ସାବିତ୍ରୀ ରାଉତ ଓ ପୁରୀ ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ମଞ୍ଜୁ ମହାନ୍ତି ଆନୁଷ୍ଠାନିକ ଭାବେ ଉଦଘାଟନ କରି ଆର୍ଯ୍ୟ ସମାଜର ଏହି ଅଭିନବ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏହି ‘ମା’ମାନଙ୍କୁ ଉଦଘାଟନ କାର୍ଯ୍ୟରେ ପ୍ରଫେସର ଡଃ କନକ ମଞ୍ଜରୀ ମିଶ୍ର, ଶ୍ରୀମତୀ ଆରତୀ ଜ୍ଞାନେନ୍ଦ୍ର, ଶ୍ରୀମତୀ ନମିତା ମହାପାତ୍ର ଓ ଡଃ ନିବେଦିତା ପଟ୍ଟନାୟକ ସହଯୋଗ କରିଥିଲେ ।
ଡଃ ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଧର୍ମସଭାରେ ଆର୍ଶୀବଚନ ଦେଇ ବିଶିଷ୍ଟ ସନ୍ଥ ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ କିହଲେ ଯେ, ୧୮୭୫ ମସିହାରେ ମହର୍ଷି ଦୟାନନ୍ଦ ସରସ୍ୱତୀ କୁସଂସ୍କାର, ଜାତିପ୍ରଥା ବିରୁଦ୍ଧରେ ସ୍ୱର ଉତୋଳନ କରିଥିଲେ ଆଜି ମଧ୍ୟ ତାର ଆବଶ୍ୟକତା ରହିଛି । ଦିବ୍ୟ ଜୀବନ ସଂଘର ସନ୍ଥ ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀ ତାଙ୍କ ଆର୍ଶୀବଚନରେ ଓଡ଼ିଶାରେ ଆର୍ଯ୍ୟସନ୍ନ୍ୟାସୀ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କୁ ଦ୍ୱିତୀୟ ଗୋପବନ୍ଧୁ ବୋଲି କହିଥିଲେ । ବିଶିଷ୍ଟ ସଂସ୍କୃତ ବିଦ୍ୱାନ ପ୍ରଫେସର ଡଃ ହରେକୃଷ୍ଣ ଶତପଥୀ ଓଡ଼ିଶାରେ ସଂସ୍କୃତ ଭାଷାକୁ ଲୋକାଭିମୁଖୀ କରିବା ପାଇଁ ସାରା ଓଡ଼ିଶାରେ ୩୦ରୁ ଅଧିକ ଗୁରୁକୁଳ ସ୍ୱାମୀ ବ୍ରହ୍ମାନନ୍ଦ କେବଳ ସ୍ଥାପନ କରିନଥିଲେ ସମାଜର ଅବହେଳିତ ବର୍ଗର ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ସ୍ରୋତକୁ ଆଣି ପ୍ରତିଷ୍ଠିତ କରାଇଛନ୍ତି । କିନ୍ତୁ ଅତ୍ୟନ୍ତ ଦୁଃଖର ବିଷୟ ଆମ୍ଭେ ତାଙ୍କର କୀର୍ତିକୁ ଭୁଲିଯାଉଛେ । ବିଶିଷ୍ଟ ଅତିଥି ବାବା ଅଭିରାମ ସରସ୍ୱତୀ, ବାବା ବାଳକାନନ୍ଦ ଦାସ, ସ୍ୱାମୀ ଦୟାନନ୍ଦ ସର୍ଭିସ ମିଶନ ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ବ୍ୟକ୍ତିବିଶେଷଙ୍କ ପାଇଁ ଏଭଳି ମହତ୍ କାର୍ଯ୍ୟ କରିଥିବାରୁ ଧନ୍ୟବାଦର ପାତ୍ର ବୋଲି କହିଥିଲେ ।
ମୁଖ୍ୟବକ୍ତା ବିଶିଷ୍ଟ ବେଦ ପ୍ରବଚକ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ବେଦର ପ୍ରତ୍ୟେକ ମନ୍ତ୍ର ବିଶ୍ୱର କଲ୍ୟାଣ ପାଇଁ ଉଦ୍ଧିଷ୍ଟ ଓ ଗୁରୁକୂଳୀୟ ଶିକ୍ଷା ପଦ୍ଧତିରେ ଛାତ୍ରଛାତ୍ରୀ ସଂସ୍କାରୀ ହୁଅନ୍ତି ବୋଲି କହିଥିଲେ । ଏହି ଅବସରରେ ଗାଡ଼କଣର ମୁରବୀ ତଥା ପ୍ରଥମ କାଉନସିଲର ବଟକୃଷ୍ଣ ନନ୍ଦଙ୍କୁ ସମାଜସେବୀ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଉତର ବିଧାୟକ ସୁଶାନ୍ତ ରାଉତ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସୁବାର୍ତାର ସମ୍ପାଦକ ପ୍ରଦୁ୍ୟମ୍ନ ଶତପଥୀ, ସ୍ୱାମୀ ମୁକ୍ତାନନ୍ଦ ସରସ୍ୱତୀ, ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର, ପୂର୍ବତନ କୁଳପତି ନରେନ୍ଦ୍ର କୁମାର ମିଶ୍ର, ନ୍ୟାୟମୂର୍ତି ମନୋରଞ୍ଜନ ମହାନ୍ତି, ଅନନ୍ତ ବଳିଆ ଟ୍ରଷ୍ଟର ଟ୍ରଷ୍ଟି ମନୁ ଭାଇ ପ୍ରମୁଖ ରାଜଧାନୀରେ ଏହି କାର୍ଯ୍ୟକ୍ରମ ଏକ ଉଦାହରଣ ସୃଷ୍ଟି କରିଛି ବୋଲି ବକ୍ତବ୍ୟ ରଖିଥିଲେ । ଏହି ଉପଲକ୍ଷେ ଆୟୋଜିତ ବୈଦିକ ଯଜ୍ଞକୁ ପଣ୍ଡିତ ବିନୋଦ ବିହାରୀ ଦାସ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଡଃ ସୀତାବଲ୍ଲଭ ମହାପାତ୍ର ସ୍ୱାଗତ ଭାଷଣ ଓ ଡଃ ମନୋଜ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । ଯଜ୍ଞରେ ଜଜମାନ ଭାବେ ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ ଓ ଡଃ ସୌରେନ୍ଦ୍ର କୁମାର ମହାପାତ୍ର ସସ୍ତ୍ରୀକ ଅଂଶଗ୍ରହଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସମାଜସେବୀ ବରୁନରାଜ, ନଳିନୀକାନ୍ତ ରାଉତ, ଭବାନୀକାନ୍ତ ରାଉତ, ଜନ୍ମେଜୟ ନାୟକ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.