Wednesday , May 31 2023
Home / ବିଶେଷ / ଏସଆଇ ସ୍ୱାଗତିକା ବେହେରା ମୃତ୍ୟୁ ଘଟଣା :

ଏସଆଇ ସ୍ୱାଗତିକା ବେହେରା ମୃତ୍ୟୁ ଘଟଣା :

ପରିବାର ଲୋକଙ୍କୁ ପୋଲିସ ଭେଟି ଦାବିଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ସହଯୋଗ କରିବାର ପ୍ରତିଶ୍ରୁତି ଦେଲା
ନିରାକାରପୁର ୩୧/୦୮/୨୦୨୨(ଓଡ଼ିଶା ସମାଚାର)- ବହୁ ଚର୍ଚ୍ଚିତ ସବ ଇନସପେକ୍ଟର ସ୍ୱାଗତିକା ବେହେରା ମୃତ୍ୟୁ ପରେ ପରିବାର ଓ ସମ୍ପର୍କୀୟ ବ୍ୟକ୍ତିମାନେ କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଥାନା ସମ୍ମୁଖରେ ବିଭିନ୍ନ ଦାବି ନେଇ ଧାରଣାରେ ବସି ରହିଥିଲେ । ପରେ କନ୍ଧମାଳ ଏସପିଙ୍କ ପ୍ରତିଶ୍ରୁତି ଦେବା ପରେ ସେଠାରୁ ମୃତ୍ୟୁର ୩୬ ଘଂଟା ପରେ ଶବ ବ୍ୟବଛେଦ କରି ସେଠାରୁ ନିରାକାରପୁର ଜନ୍ମମାଟିକୁ ଶବ ସତ୍କାର ପାଇଁ ଅଣାଯାଇଥିଲା । କିନ୍ତୁ ପରିବାରର ଏକ ମାତ୍ର ରୋଜଗାରିଆ ଝିଅ ସ୍ୱାଗତିକା ଥିବାବେଳେ ସେ ବାପ ଛେଉଣ୍ଡ ଥିବାରୁ ମାଆକୁ ଫ୍ୟାମିଲ ପେନସନ, ଜଣକୁ ଚାକିରୀ, ଉଚ୍ଚସ୍ତରୀୟ ତଦନ୍ତ ଓ ଯଦି ସ୍ୱାଗତିକାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିବା ଆଇଆଇସି ଦୋଷୀ ପ୍ରମାଣିତ ହୁଅନ୍ତି ତେବେ ମାସିକ ୫୦ ହଜାର କରି ସମୁଦାୟ ୧ କୋଟି ୯୨ ଲକ୍ଷ ଟଙ୍କାର କ୍ଷତିପୂରଣ ବାବଦକୁ ଦେବାକୁ ନେଇ ଦାବି କରି ୨୯ ତାରିଖ ସକାଳ ୯ଟାରୁ ନିରାକାରପୁର କଲେଜ ଛକ ନୂଆ ଜଗନ୍ନାଥ ସଡ଼କ ଅବରୋଧ କରି ଗ୍ରାମବାସୀ ଓ ପରିବାର ଲୋକେ ଧାରଣାରେ ବସି ରହିଥିଲେ । ପରେ ଘଟଣାସ୍ଥଳକୁ ଟାଙ୍ଗୀ ବିଡ଼ିଓ , ଅତିରିକ୍ତ ତହସିଲାଦାର ଓ ନିରାକାରପୁର ଆଇଆଇସି ଆସି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ବାଲୁଗାଁ ଏସଡ଼ିପିଓ ଫୋନ ଯୋଗେ ଧାରଣାରତ ଲୋକଙ୍କ ପ୍ରତିନିଧିମାନଙ୍କ ସହ କଥା ହୋଇ ବିଭିନ୍ନ ଦାବି ସଂପର୍କରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ କଥା ହୋଇ କିପରି ପୂରଣ ହେବାର ପ୍ରତିଶ୍ରୁତି ଦେବା ପରେ ଅବରୋଧ ହଟିଥିଲା । ଆଜି ଏସଡ଼ିପିଓ ମାନସ ରଞ୍ଜନ ବାରିକ ଓ ଆଇଆଇସି ଗୀତାଞ୍ଜଳୀ ନାୟକ ସ୍ୱାଗତିକାଙ୍କ ଗ୍ରାମ ପାଣ୍ଡବପାଟଣାକୁ ଆସି ପ୍ରଥମେ ଅଂଚଳର ଜନପ୍ରତିନିଧି ମାନଙ୍କ ସହ ଆଲୋଚନା କରିବା ସହ ମୃତ ସ୍ୱାଗତିକାଙ୍କ ଘରକୁ ଯାଇ ତାଙ୍କ ପରିବାରକୁ ଭେଟି ଖୋର୍ଦ୍ଧା ଏସପିଙ୍କ ଜରିଆରେ କନ୍ଧମାଳ ଏସପିଙ୍କୁ ବିଭିନ୍ନ ଦାବି ନେଇ ଅନୁରୋଧ ପତ୍ର ପଠାଇବା ସହ ସହଯୋଗ କରିବାକୁ ଅନୁରୋଧ କରାଯିବ ବୋଲି ଜଣାଇଥିଲେ । ତା ସହିତ ପରିବାର ତରଫରୁ ସରକାରୀ ନିୟମ ଅନୁଯାୟୀ ଶବ ବ୍ୟବଛେଦ ରିପୋର୍ଟ, ମୃତ୍ୟୁ ପ୍ରମାଣ ପତ୍ର ଓ ଲିଗାଲ ହେୟ୍ୟାର ପ୍ରମାଣ ପତ୍ର ବାହାର କରିବା ପରେ କନ୍ଧମାଳ ପୋଲିସ ନିକଟରେ ନିଜର ଦାବି ଆବେଦନ ପତ୍ର ପହଂଚାଇବାକୁ ପରାମର୍ଶ ଦେଇଥିଲେ । ଏହି କଥା ଶୁଣି ପରିବାର ଲୋକେ ଖୋର୍ଦ୍ଧା ପୋଲିସ ତାଙ୍କ ଦାବିଗୁଡ଼ିକ ସଂପର୍କରେ ସଂପୂର୍ଣ୍ଣ ସାହାଯ୍ୟ କରିବାକୁ ଏସଡ଼ିପିଓଙ୍କୁ ଅନୁରୋଧ କରିଥିଲେ । ଏହି ସମୟରେ ଅଂଚଳର ବରିଷ୍ଠ ନେତା ବିପିନ କୁମାର ଜୟସିଂହ, ୧୨ନଂ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପାଲାଟାସିଂହ, ଯୁବନେତା ଶୁଭମ ଦାଶ, ଅଧ୍ୟାପକ ଡ଼. ମୃତ୍ୟୁଞ୍ଜୟ ରଥ, ଅଧ୍ୟକ୍ଷ ଡ଼. ସଞ୍ଜୟ କୁମାର ମହାପାତ୍ର, ରମାନାଥ ଦାଶ, ସରପଂଚ କାଦମ୍ବିନୀ ବେହେରା, ସମିତିସଭ୍ୟା ଲୋପାମୁଦ୍ରା ଦାଶ ଓ ଅନ୍ୟ କିଛି ୱାର୍ଡ଼ ମେମ୍ବର ଉପସ୍ଥିତ ରହିଥିଲେ ।
ପ୍ରକାଶ ଥାଉ କି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ପାଣ୍ଡବପାଟଣା ଗ୍ରାମର ସ୍ୱର୍ଗତ ପ୍ରଭାସ ବେହେରାଙ୍କ ଝିଅ ସ୍ୱାଗତିକା ବେହେରା ନୂତନଭାବେ ଅଳ୍ପ କିଛି ମାସ ହେବ ନିଜର ଟ୍ରେନିଂ ଶେଷ କରି କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଥାନାରେ ସବଇନସପେକ୍ଟର ଭାବେ କାର୍ଯ୍ୟରତ ଥିଲେ । ୨୭ ତାରିଖ ସକାଳୁ ତାଙ୍କ ସରକାରୀ କ୍ୱାର୍ଟସରୁ ତାଙ୍କ ମୃତ୍ୟୁ ଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଉକ୍ତ ଖବର ପାଇଁ ପରିବାର ଲୋକେ ଜି ଉଦୟଗିରି ଥାନାରେ ପହଂଚି ସ୍ୱାଗତିକାକୁ ଥାନା ଆଇଆଇସି ମାନସିକ ନିର୍ଯ୍ୟାତନା ଦେଉଥିବାର ଅଭିଯୋଗ କରିଥିଲେ । ସେମାନେ ଏହି ଘଟଣାରେ ସଂପୃକ୍ତ ମହିଳା ଆଇଆଇସିଙ୍କ ତୁରନ୍ତ ଚାକିରୀରୁ ବିଦା କରିବା ସହ ଗିରଫ କରିବାକୁ ଦାବି କରି ଥାନା ଆଗରେ ଧାରଣାରେ ବସି ରହିଥିଲେ । ପରେ ୩୬ ଘଂଟା ବିଳମ୍ବରେ ଘଟଣାସ୍ଥଳକୁ କନ୍ଧମାଳ ଏସପି ,ଏସଡ଼ିପିଓ ଓ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ତହସିଲଦାର ଆସି ସେମାନଙ୍କୁ ବୁଝାସୁଝା କରି ସଂପୃକ୍ତ ମହିଳା ଆଇଆଇସିଙ୍କୁ ବଦଳି କରାଯାଇଛି ଶବ ବ୍ୟବଛେଦ ପରେ ଉପଯୁକ୍ତ ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଦିନଯାକ ପ୍ରବଳ ବର୍ଷାରେ ଭିଜିଯାଇଥିବା ପରିବାର ଓ ସଂପର୍କୀୟ ଶବକୁ ବ୍ୟବଛେଦ ପାଇଁ ସୁଯୋଗ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.