ସ୍କୁଟି ଖରାପ ହେବାରୁ ସ୍କୁଟି ଥୋଇ ପଳାଇଥିଲେ ସମ୍ପୃକ୍ତ ଯୁବକ
କଟକ, ୩୦/୦୮/୨୦୨୨(ଓଡ଼ିଶା ସମାଚାର)- ମୁଣ୍ଡୁଳି ବ୍ରିଜ ରୁ କେହି ନଦୀକୁ ଡ଼େଇଁ ନାହାନ୍ତି । ସ୍କୁଟି ଖରାପ ହେବାରୁ ସ୍କୁଟି ଥୋଇ ପଳାଇଥିଲେ ସମ୍ପୃକ୍ତ ଯୁବକ । ବି୍ରଜ ଉପରୁ ନଦୀକୁ ଡ଼େଇଁବା କେହି ଦେଖିନାହାନ୍ତି । ବି୍ରଜ ଉପରେ ଗତ ରାତି ରୁ ସ୍କୁଟି ଓ ହେଲମେଟ ଥିବା ଦେଖି କେହି ଜଣେ ସ୍କୁଟି ରଖି ନଦୀକୁ ଡେଇଁପଡିଥିବା ସ୍ଥାନୀୟ ଲୋକ କହିଥିଲେ। ଖବରପାଇ ବାରଙ୍ଗ ଗୋଡ଼ିସାହି ଫାଣ୍ଡି ପୁଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ।
ସକାଳୁ ମଧ୍ୟାନ୍ନ ପର୍ୟ୍ୟନ୍ତ ଖୋଜାଖୋଜି କରିବା ପରେ ମଧ୍ୟ ନିଖୋଜ ବ୍ୟକ୍ତିଙ୍କ କିଛି ଖୋଜ ଖବର ମିଳିନଥିଲା। କିନ୍ତୁ ବର୍ତ୍ତମାନ ଉକ୍ତ ଘଟଣା ଭିନ୍ନ ମୋଡ ନେଇଛି । ସ୍କୁଟି ଥୋଇ କେହି ନଦୀକୁ ଡେଇଁଥିବା ଆଶଙ୍କା ରେ ପୂର୍ଣ୍ଣଛେଦ ପଡିଛି।ନଦୀରେ କେହି ବୁଡ଼ି ଯାଇଥିବା ଆଶଙ୍କାରେ ଅଗ୍ନିଶମ କର୍ମଚାରୀ ସକାଳୁ ନଦୀରେ ଅପରେସନ୍ ଚଳାଇଥିବାବେଳେ ବାରଙ୍ଗ ଥାନା ପୋଲିସ୍ ସମ୍ପୃକ୍ତ ଯୁବକଙ୍କୁ ଠାବ କରିଛି । ଯୁବକଜଣକଙ୍କ ଘର ଅନୁଗୁଳ ସିମିଳିପଡ଼ାରେ ଓ ତାଙ୍କ ନାଁ ରଘୁରଞ୍ଜନ ମହାପାତ୍ର ବୋଲି ଜଣାପଡ଼ିଛି। ରଘୁରଞ୍ଜନ ନଦୀକୁ ଡେଇଁନାହାନ୍ତି । ସ୍କୁଟି ଖରାପ ହେବାରୁ ସେ ସ୍କୁଟି ଥୋଇ ପଳାଇଥିବା କଥା କହିଛନ୍ତି। ପାରିବାରିକ କଳହ କାରଣରୁ ସେ ଗତ ରାତିରେ ଘରୁ ବାହାରି ସ୍କୁଟିରେ ପଳାଇ ଆସିଥିଲେ। ସ୍କୁଟିରେ ଅନୁଗୋଳରୁ ଆସିବା ପରେ ମୁଣ୍ଡଳି ବ୍ରିଜ ନିକଟରେ ଗାଡ଼ିଟି ଖରାପ ହୋଇଗଲା। ଗାଡ଼ିଟିକୁ ବ୍ରିଜ ଉପରେ ରଖିଦେଇ ସେଠାରୁ ଏକ ଟ୍ରକ୍ ରେ ଭୁବନେଶ୍ୱରସ୍ଥିତ ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ପହଞ୍ଚିଥିଲେ। ବସ୍ ଷ୍ଟାଣ୍ଡରେ ଶୋଇ ପଡ଼ିଥିଲେ। ବ୍ରିଜ ଉପରେ ଥିବା ତାଙ୍କ ସ୍କୁଟି କୁ ପୋଲିସ ନେଇଯାଇଥିବା ସକାଳେ ଜାଣି ଗୋଡ଼ିପଡ଼ା ଫାଣ୍ଡି ରେ ପହଂଚିଥିଲେ । ସ୍କୁଟି ନିକଟରେ ପଡ଼ିଥିବା ଚପଲ ତାଙ୍କର ନୁହେଁ ବୋଲି ସେ କହିଛନ୍ତି। ତେବେ ପୁଲିସ ରଘୁ ରଞ୍ଜନ ଙ୍କୁ ଅଟକ ରଖି ଅଧିକ ପଚାରାଉଚୁରା କରୁଛି । ଓଡ଼ିଶା ସମାଚାର