ଭୁବନେଶ୍ୱର, ୩୦ /୦୮/୨୦୨୨(ଓଡ଼ିଶା ସମାଚାର)- ଓଡ଼ିଶାର ସର୍ବପୁରାତନ ସାମରିକ ଶିକ୍ଷା ଅନୁଷ୍ଠାନ ଉତ୍କଳ କରାଟେ ସ୍କୁଲର ୪୨ତମ ପ୍ରତିଷ୍ଠା ଦିବସ ତଥା ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଜ୍ୟର ୬ଜଣ ବରିଷ୍ଠ ସାମ୍ବାଦିକ, ଲେଖକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଦୀର୍ଘ ବର୍ଷ ଧରି କ୍ରୀଡ଼ା ସମ୍ବନ୍ଧୀୟ ଲେଖା ପ୍ରଦାନ କରୁଥିବା ଓ ୩ ଦଶନ୍ଧିଧରି କ୍ରୀଡ଼ା ପ୍ରଶାସକ ଭାବେ କାର୍ଯ୍ୟ କରିଥିବା ଅଶୋକ କୁମାର ମହାନ୍ତିଙ୍କୁ ଜୀବନ ବ୍ୟାପୀ ସାଧନା ସମ୍ମାନ ଓ ଦୂରଦର୍ଶୀ ପତ୍ରିକାର ସମ୍ପାଦକ ତଥା କ୍ରୀଡ଼ା ପ୍ରୋତ୍ସାହକ ଦୁର୍ଗା ପ୍ରସାଦ ସାମନ୍ତରାୟଙ୍କୁ ଉତ୍କଳ ସମ୍ମାନରେ ସମ୍ମାନିତ କରାଯାଇଛି। ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ବିଜୟ କୁମାର ରଣା, ପ୍ରତାପ ଚନ୍ଦ୍ର ପ୍ରଧାନ, ବିମଳ କୁମାର ରାଉଳ, ସୁଶାନ୍ତ କୁମାର ସାହୁଙ୍କୁ ମଧ୍ୟ ଏହି ଅବସରରେ ପୁରସ୍କୃତ କରାଯାଇଛି। ଉତ୍କଳ କରାଟେ ସ୍କୁଲର ପ୍ରତିଷ୍ଠା ଦିସବରେ ପ୍ରତିବର୍ଷ ଏହି ପୁରସ୍କାର ଦିଆଯାଇଥାଏ।
ଉତ୍କଳ କରାଟେ ସ୍କୁଲ ପରିସରରେ ସୋମବାର ଆୟୋଜିତ ପୁରସ୍କାର ପ୍ରଦାନ ଉତ୍ସବରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ବିଧାୟକ ଆକାଶ ଦାସ ନାୟକ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଅତିଥିଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଉତ୍କଳ କରାଟେ ସ୍କୁଲର ପ୍ରତିଷ୍ଠାତା ହରିପ୍ରସାଦ ପଟ୍ଟନାୟକ ଓ ଓଡ଼ିଶା କରାଟେ ଆସୋସିଏସନ ସମ୍ପାଦକ ଗୌରୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ସମାଚାର