ଭୁବନେଶ୍ୱର,୨୯ /୦୮/୨୦୨୨(ଓଡ଼ିଶା ସମାଚାର)- ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ମାନଜନକ କ୍ୟାପିଟାଲ ଫାଉଣ୍ଡେସନ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯିବ । ତାଙ୍କର ଅସାଧାରଣ ନେତୃତ୍ବ କୌଶଳ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ସେପ୍ଟେମ୍ବର ୪ ତାରିଖ ଦିନ ସାଢେ ୧୧ଟା ବେଳେ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଅଡିଟରିଅମଠାରେ ଏହି ପୁରସ୍କାର ପ୍ରଦାନ କରାଯିବ । ନିକଟରେ ଅବସର ନେଇଥିବା ଭାରତର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି.ରମନ୍ନା ମୁଖ୍ୟମନ୍ତ୍ରୀଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ । ଏହି ଅବସରରେ ଉପସ୍ଥିତ ରହିବେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏ.କେ.ପଟ୍ଟନାୟକ ।
ଏହି ପୁରସ୍କାର ସଂପର୍କରେ ଘୋଷଣା କରି କ୍ୟାପିଟାଲ ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି ଯେ, ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାର ଏକ ପରିର୍ତ୍ତନ ଯାତ୍ରା ଆରମ୍ଭ ହୋଇଥିଲା ଓ ପରବର୍ତ୍ତୀ ୨ ଦଶନ୍ଧିରେ ଓଡ଼ିଶା ଅନେକ କ୍ଷେତ୍ରରେ ବିକାଶ ହାସଲ କରିଛି । ତାଙ୍କ ସରଳତା, ଅସାଧାରଣ ସଚ୍ଚୋଟତା ଓଡ଼ିଶାବାସୀଙ୍କ ହୃଦୟ ଜିଣିପାରିଛି ।