ନିରାକାରପୁର,୨୦/୦୮/୨୦୨୨(ଓଡ଼ିଶା ସମାଚାର)- ଶୁକ୍ରବାର ଦିନ ନିରାକାରପୁରର କିଛି ଜନ ପ୍ରତିନିଧି ଓ ଛାତ୍ରନେତାମାନେ କଲେଜ ସ୍ଥାୟୀ ପଟ୍ଟା ପ୍ରଦାନ ଓ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ଆଡ଼ମିଶନ ଫି କମାଇବା ପାଇଁ ଶୁକ୍ରବାର ଦିନ ୧୨ଟାରୁ ରାତି ୯ଟା ପର୍ଯ୍ୟନ୍ତ କଲେଜ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ନିକଟରେରେ ଧାରଣାରେ ବସିବା ପରେ ଆଜି ଅଧ୍ୟକ୍ଷ ଷ୍ଟାପ କାଉନିସିଲ ମିଟିଙ୍ଗରେ ନିଷ୍ପତି ଅନୁଯାୟୀ ଚଳିତ ବର୍ଷ ଫି ବୃଦ୍ଧିକୁ ପ୍ରତ୍ୟାହାର କରି ପୂର୍ବ ବର୍ଷ ଯେତିକି ଫି ଥିଲା ସେତିକି ନିଆଯାଇଥିଲା । ଶୁକ୍ରବାର ଦିନ ଯେତିକି ଛାତ୍ରଛାତ୍ରୀ ଆଡ଼ମିଶନରେ ବଢିବା ଅର୍ଥ ଦେଇଥିଲେ ସେମାନେ ସେମାନଙ୍କର ପ୍ରଦାନ କରିଥିବା ଅଧିକା ଅର୍ଥକୁ ଫେରି ପାଇବେ ବୋଲି ଜଣାପଡ଼ିଛି । ଅନ୍ୟ ପଟେ କଲେଜର ସ୍ଥାୟୀ ପଟ୍ଟା ଆସନ୍ତା ୫ ଦିନ ମଧ୍ୟରେ ପ୍ରଦାନ କରିବାକୁ ପ୍ରଶାସନ ପ୍ରତିଶ୍ରୁତି ଦେଇଥିବା ଶୁଣିବାକୁ ମିଳୁଛି । ସୂଚନା ଯୋଗ୍ୟ କି ଖୋର୍ଦ୍ଧା ଜିଲ୍ଲା ନିରାକାରପୁରସ୍ଥିତ କ୍ଷେତ୍ରବାସୀ ଡ଼ିଏଭି ମହାବିଦ୍ୟାଳୟ ବହୁ ପୁରାତନ କଲେଜ ହୋଇଥିବାବେଳେ ଏହି ମହାବିଦ୍ୟାଳୟ ନାମରେ ସ୍ଥାୟୀ ପଟ୍ଟା ଅଦ୍ୟାବଧି ହୋଇ ପାରି ନଥିବାରୁ ଏହି ମହାବିଦ୍ୟାଳୟର ଉନ୍ନତିମୂଳକ କାର୍ଯ୍ୟରେ ଅନ୍ତରାୟ ସୃଷ୍ଟି ହେଉଛି । ବାରମ୍ବାର ଏ ନେଇ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ନିକଟରେ ଦାବି ହେଉଥିଲେ ବି ଏ ବିଷୟରେ କେହି କର୍ଣ୍ଣପାତ ନ କରୁଥିବାରୁ ଶୁକ୍ରବାର ନିରାକାରପୁର ଅଂଚଳର ବହୁ ଜନ ପ୍ରତିନିଧି, ଯୁବକ ଓ ଛାତ୍ରନେତା ଦିନ ୧୨ଟାଠାରୁ ଏକ ଦୁଇ ଦଫା ଦାବି ପୂରଣ ନିମନ୍ତେ କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସି ରହିଥିଲେ । ପ୍ରଥମ ଦାବି ନିରାକାରପୁର କଲେଜର ସ୍ଥାୟୀ ପଟ୍ଟା ତୁରନ୍ତ ପ୍ରଦାନ ଓ ଯୁକ୍ତ ଦୁଇ ଆଡ଼ମିଶ ଫି ବହୁତ ଅଧିକ ହୋଇଥିବାବେଳେ ତାକୁ କମାଯାଉ । ଫଳରେ ଦିନ ଗୋଟାଏ ପରେ ଆଡ଼ମିଶନ ପ୍ରକ୍ରିୟାରେ ବାଧାପ୍ରାପ୍ତ ହୋଇଥିଲା । ରାତି ସାଢେ ୮ଟା ପର୍ଯ୍ୟନ୍ତ ଧାରଣାରେ ବସି ରହି ଦାବି ପୂରଣ ପାଇଁ ନାରାବାଜି କରିଥିବାବେଳେ କଲେଜ ପରିସରରେ ଅଧ୍ୟକ୍ଷଙ୍କ ସମେତ ସମସ୍ତ ଅଧ୍ୟାପକ ଓ କର୍ମଚାରୀମାନେ ଅଟକି ରହିଥିଲେ । ଖବର ପାଇ ଘଟଣାସ୍ଥଳକୁ ଟାଙ୍ଗୀ ବିଡ଼ିଓ ତଥା ତହସିଲଦାର ଦାୟିତ୍ୱରେ ଥିବା ଐଶର୍ଯ୍ୟା ସାମନ୍ତରାୟ, ଅତିରିକ୍ତ ତହସିଲଦାର ଶରତ କୁମାର ବେହୁରା ଓ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ , ଆଇଆଇସି ଗୀତାଞ୍ଜଳୀ ନାୟକ ପ୍ରମୁଖ ପହଂଚି ଧାରଣରତ ଯୁବକମାନଙ୍କୁ ବୁଝାସୁଝା କରି ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରୁ ରାତି ୯ଟାରେ ବାହାରକୁ ବାହାର କରିଥିଲେ ବି ଅଧିକାରୀମାନଙ୍କ ପ୍ରତିଶ୍ରୁତିରେ ସନ୍ତୁଷ୍ଟ ହୋଇ ନଥିଲେ ସେମାନେ । ଏହି ଆନ୍ଦୋଳନରେ ନିରାକାରପୁର ସରପଂଚ ପ୍ରତିନିଧି ପିଂଟୁ ବେହେରା, ସମିତିସଭ୍ୟଙ୍କ ପ୍ରତିନିଧି ତଥା ଯୁବନେତା ଶୁଭମ ଦାଶ ନେତୃତ୍ୱ ନେଉଥିବାବେଳେ ବହୁ ଛାତ୍ରନେତା , ଯୁବନେତା ଉପସ୍ଥିତ ରହିଥିଲେ । ଘଟଣାସ୍ଥଳକୁ ବରିଷ୍ଠ ନେତା ବିପିନ କୁମାର ଜୟସିଂହ ଓ ରବୀନ୍ଦ୍ର କୁମାର ରାଉରାୟ ପ୍ରମୁଖ ଯାଇ ପ୍ରଶାସନ ସହ ସମାଧାନ ପାଇଁ ଆଲୋଚନା କରିଥିଲେ । ଓଡ଼ିଶା ସମାଚାର