Wednesday , September 28 2022
Breaking News
Home / ସ୍ୱାସ୍ଥ୍ୟ / କାର୍ଯ୍ୟରେ ଯୋଗଦେଲେ ୫୫୦ ଲ୍ୟାବ୍ ଟେକ୍ନିସିଆନ୍ – ନିଷ୍ଠାପର ଏବଂ ତ୍ୟାଗପୂତ ଭାବ ନେଇ ଉତ୍ସର୍ଗୀକୃତ ଭାବେ ଲୋକଙ୍କ ସେବା କରିବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ପରାମର୍ଶ

କାର୍ଯ୍ୟରେ ଯୋଗଦେଲେ ୫୫୦ ଲ୍ୟାବ୍ ଟେକ୍ନିସିଆନ୍ – ନିଷ୍ଠାପର ଏବଂ ତ୍ୟାଗପୂତ ଭାବ ନେଇ ଉତ୍ସର୍ଗୀକୃତ ଭାବେ ଲୋକଙ୍କ ସେବା କରିବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ପରାମର୍ଶ

ଭୁବନେଶ୍ୱର,୨୦/୦୮/୨୦୨୨(ଓଡ଼ିଶା ସମାଚାର)-ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ରାଜ୍ୟ ସରକାର। କେବଳ ଚିକିତ୍ସା ନୁହେଁ ନିଦାନ, ସେବା କ୍ଷେତ୍ର ଓ ଭିତ୍ତିଭୂମିକୁ ମଧ୍ୟ ସୁଦୃଢ଼ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଉ ୫୫୦ ଲାବ୍ ଟେକ୍ନିସିଆନଙ୍କୁ ସ୍ୱାସ୍ଥ୍ୟ ବିଭାଗରେ ନିଯୁକ୍ତି ମିଳିଛି। ଲୋକସେବା ଭବନର ସମ୍ମିଳନୀ କକ୍ଷରେ ସେମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ଭର୍ର୍ଚୁଆଲ ମାଧ୍ୟମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ଠାପର ଏବଂ ତ୍ୟାଗପୂତ ଭାବ ନେଇ ଉତ୍ସର୍ଗୀକୃତ ଭାବେ ଲୋକଙ୍କ ସେବା କରିବା ପାଇଁ ସେମାନଙ୍କୁ ପରାମର୍ଶ ଦେଇଛନ୍ତି। ‘୫-ଟି’ ଉପକ୍ରମ ଆଧାରରେ ସରକାରୀ ସେବା ପ୍ରଦାନରେ ଗୁଣାତ୍ମକ ପରିବର୍ତ୍ତନ ଆଣିବା ଦିଗରେ ରାଜ୍ୟ ସରକାର କାମ କରୁଥିବା ବେଳେ କର୍ତ୍ତବ୍ୟ ସମ୍ପାଦନ ସମୟରେ ଏହା ଅନୁପାଳନ ପାଇଁ ମୁଖ୍ୟମନ୍ତ୍ରୀ ନବ ନିଯୁକ୍ତ ଲ୍ୟାବ୍ ଟେକ୍ନିସିଆନ୍ ମାନଙ୍କୁ ପରାମର୍ଶ ଦେଇଛନ୍ତି।

କାର୍ଯ୍ୟ ରେ ଯୋଗ ଦେଇଥିବା ଲ୍ୟାବ୍ ଟେକ୍ନିସିଆନ୍ ମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସାଧାରଣ ନାଗରିକ ହେଉଛନ୍ତି ଆମ ଗଣତନ୍ତ୍ରର ଆତ୍ମା। ଲୋକଙ୍କ ଆବଶ୍ୟକତା ପୂରଣକୁ ରାଜ୍ୟ ସରକାର ସର୍ବାଧିକ ପ୍ରାଥମିକତା ପ୍ରଦାନ କରୁଛନ୍ତି। ଆମର ସ୍ୱାସ୍ଥ୍ୟ ସେବାର ମୂଳ ଆଧାର ହେଉଛି ‘ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା’। ରାଜ୍ୟ ର ସାଢ଼େ ଚାରିକୋଟି ଜନସାଧାରଣଙ୍କୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ପ୍ରଦାନ ଏବଂ ସେମାନଙ୍କ ଉପରୁ ଚିକିତ୍ସା ବାବଦ ଆର୍ଥିକ ବୋଝ ହ୍ରାସ କରିବା ଉପରେ ସରକାର ଗୁରୁତ୍ୱାରୋପ କରୁଛନ୍ତି। ଏହି ଲକ୍ଷ୍ୟ ରେ ବହୁ ସଂଖ୍ୟକ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ ଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ପଦକ୍ଷେପର ଆଉ ଏକ ନିଦର୍ଶନ ସ୍ୱରୂପ ଆଜି ଏକ ସଙ୍ଗରେ ୫୫୦ ଜଣ ଲ୍ୟାବ୍ ଟେକ୍ନିସିଆନ୍ ମାନଙ୍କୁ ନିଯୁକ୍ତି ଦିଆଯାଇଛି। ଗତ ମାସରେ ୫୧୦ ଜଣ ମେଡିକାଲ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏତେ ସଂଖ୍ୟକ ଲ୍ୟାବ୍ ଟେକ୍ନିସିଆନ୍ ଙ୍କୁ ନିଯୁକ୍ତି ମିଳିଥିବାରୁ ଲୋକଙ୍କୁ ଠିକ୍ ସମୟରେ ନିଦାନ ରିପୋର୍ଟ ମିଳିପାରିବ ଏବଂ ଯଥାଶୀଘ୍ର ଲୋକଙ୍କ ଚିକିତ୍ସା ଆରମ୍ଭ ହୋଇପାରିବ। ନିଦାନ ବ୍ୟବସ୍ଥାର ଗୁଣାତ୍ମକ ମାନ ବୃଦ୍ଧି ପାଇବ। ନିଦାନ କାର୍ଯ୍ୟକ୍ରମ ଜରିଆରେ ଡାକ୍ତରଖାନାରେ ବିଭିନ୍ନ ପ୍ରକାର ଟେଷ୍ଟ ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି। ଡାକ୍ତରଖାନାକୁ ଆସୁଥିବା ଲୋକଙ୍କ ଆଶା ଓ ଆକାଂକ୍ଷା ପୂରଣ କରି ସରକାରୀ ବ୍ୟବସ୍ଥା ଉପରେ ଜନସାଧାରଣଙ୍କ ବିଶ୍ୱାସକୁ ଆହୁରି ଦୃଢ଼ିଭୂତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ।

ଏହି ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ସ୍ୱାସ୍ଥ୍ୟ ବିଭାଗ ରାଜ୍ୟବାସୀଙ୍କୁ ସର୍ବୋତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ଦିଗରେ କାମ କରୁଛି। ପରିଣାମ ସ୍ୱରୂପ ଗତ ଦଶନ୍ଧି ମଧ୍ୟରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବ୍ୟାପକ ରୂପାନ୍ତର ଆସିପାରିଛି। ନବ ନିଯୁକ୍ତ ଟେକ୍ନିସିଆନ୍ ମାନଙ୍କ ମଧ୍ୟରୁ ସୌମ୍ୟ ରଞ୍ଜନ ବେହେରା, ଲିଜା ପଟ୍ଟନାୟକ ଏବଂ ଅଭୟ ଶାସମଲ ନିଜ ଅଭିଜ୍ଞତା ବର୍ଣ୍ଣାନ କରି ସମୟାନୁବର୍ତ୍ତିତା ଏବଂ ସମ୍ପୂର୍ଣ୍ଣ ପାରାଦର୍ଶୀତା ଅବଲମ୍ବନ କରି ଏକ ସଙ୍ଗରେ ଏତେ ସଂଖ୍ୟକ ପଦବୀ ପୂରଣ କରିବା ରାଜ୍ୟ ସରକାରଙ୍କର ପ୍ରତିବଦ୍ଧତ୍ତାକୁ ପ୍ରତିପାଦନ କରୁଛି। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଆଧାରରେ ଆମେ ସମସ୍ତେ ଉତ୍ସର୍ଗୀକୃତ ଭାବେ ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ପ୍ରତିଜ୍ଞାବଦ୍ଧ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭିକେ ପାଣ୍ଡିଆନ୍ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ସ୍ୱାଗତ ଭାଷଣ ଦେଇଥିବା ବେଳେ ଏନ୍ ଏଚ୍ ଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଧନ୍ୟବାଦ ଅର୍ପଣ କରିଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.