Wednesday , September 28 2022
Breaking News
Home / ବିଶେଷ / ଜିଲ୍ଲାର ବନ୍ୟା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ

ଜିଲ୍ଲାର ବନ୍ୟା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ

କେନ୍ଦ୍ରାପଡ଼ା, ୧୮/୦୮/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ବନ୍ୟା ପରିସ୍ଥିତି ସମ୍ପର୍କରେ ଓଡିଶାର ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ପ୍ରମିଳା ମଲିକ ଗୁରୁବାର ପୂର୍ବାହ୍ନରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସମୀକ୍ଷା କରିଛନ୍ତି । ପ୍ରଥମେ ଜିଲ୍ଲାର ବନ୍ୟା ପରିସ୍ଥିତି ସମ୍ପର୍କରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ମନ୍ତ୍ରୀଙ୍କୁ ସୂଚନା ଦେବାକୁ ଯାଇ କହିଥିଲେ ଯେ ଜିଲ୍ଲାର ମହାନଦୀ ସିଷ୍ଟମର ପାଇକା, ଲୁଣା, କରାଣ୍ଡିଆ ଏବଂ ଚିତ୍ରୋତ୍ପଳା ନଦୀର ୧୦୧ଟି ସ୍ଥାନରେ ଘଳିଆ ପଡିଥିଲା । ଜଳସେଚନ ବିଭାଗର ଯନ୍ତ୍ରୀ ଓ କର୍ମଚାରୀଙ୍କ ସମେତ ଜିଲ୍ଲା ପ୍ରସାଶନ ପକ୍ଷରୁ ଅଧିକାରୀମାନେ ରାତିଦିନ ଉକ୍ତ ନଦୀବନ୍ଧରେ ଉପସ୍ଥିତ ରହିବା ସହିତ ସ୍ଥାନୀୟ ଜନସାଧାରଣ ଓ ଲୋକପ୍ରତିନିଧିମାନଙ୍କ ସହଯୋଗରେ ସେହିସବୁ ସ୍ଥାନରେ ସୃଷ୍ଟି ହୋଇଥିବା ଘଳିଆ ଗୁଡିକୁ ବାଲିବସ୍ତା ଓ ମାଟିଚେକା ପକାଇ ବନ୍ଦ କରିବାକୁ ଚେଷ୍ଟା କରିଥିଲେ । ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇଂ ପୂର୍ଣ୍ଣଚନ୍ଦ୍ର ରଥ କହିଥିଲେ ଯେ ଗତ ୧୬ତାରିଖ ରାତିରୁ ୧୭ତାରିଖ ରାତି ପର୍ଯ୍ୟନ୍ତ ସମୟ ଆମ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ ଥିଲା । କାରଣ ହିରାକୁଦ ଜଳଭଣ୍ଡାରରୁ ନିଷ୍କାସନ ହୋଇଥିବା ପାଣି ମୁଣ୍ଡୁଳି ଠାରେ ୧୨ଲକ୍ଷ କୁ୍ୟସେକରୁ ଅଧିକ ବନ୍ୟା ଜଳ ପ୍ରବାହିତ ହେଉଥିଲା । ସେହି ବନ୍ୟା ପାଣି ମହାନଦୀ ସିଷ୍ଟମର ଲୁଣା, କରାଣ୍ଡିଆ, ପାଇକା ଓ ଚିତ୍ରୋତ୍ପଳା ନଦୀରେ ପହଂଚିିବା ପରେ ଏଠାରେ ବନ୍ୟା ପରସ୍ଥିତି ସଂଗୀନ ହୋଇପଡିଥିଲା । ପାଇକା ନଦୀର ବାମପଟ ବନ୍ଧ ସର୍ବଦା ବନ୍ୟା ସମୟରେ ଅତ୍ୟନ୍ତ ଅସୁରକ୍ଷିତ ହୋଇପଡିଥାଏ । ଚଳିତଥର ମଧ୍ୟ ସେହି ବନ୍ଧର ୪/୫ଟି ସ୍ଥାନରେ ଘଳିଆ ପଡିଥିଲା । କିନ୍ତୁ ଜଳସେଚନ ବିଭାଗର ଯନ୍ତ୍ରୀ ଓ କର୍ମଚାରୀମାନେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ସେହିସବୁ ଘଳିଆକୁ ବନ୍ଦ କରିଦେବାକୁ ସମର୍ଥ ହୋଇଥିଲେ । ଫଳରେ ସେଠାରେ ସମ୍ଭାବ୍ୟ ନଦୀ ବନ୍ଧ ଭାଙ୍ଗିବା ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇପାରିଥିଲା । ଏତଦବ୍ୟତିତ ଲୁଣା ଓ କରାଣ୍ଡିଆ ନଦୀର ୪୫ଟି ସ୍ଥାନରେ ଘଳିଆ ପଡିଥିବା ସମ୍ପର୍କରେ ମଧ୍ୟ ତଥ୍ୟ ପ୍ରଦାନ କରିଥିଲେ ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇଂ ରଥ । ଜିଲ୍ଲାପାଳ ଶ୍ରୀ ଋତୁରାଜ ସମ୍ଭାବ୍ୟ ବନ୍ୟା ନିମନ୍ତେ ଜିଲ୍ଲା ପ୍ରଶାସନ ନେଇଥିବା ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ସମୀକ୍ଷା ବୈଠକରେ ଯୋଗଦେଇଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସାବ୍ୟସଚି ନାୟକ କହିଲେ ଯେ ମାର୍ଶାଘାଇସ୍ଥିତ ଗହଗା ପାଟରେ ଥରବା ସ୍ଲୁଇସ ଗେଟ ଟି ଠିକ ଭାବେ କାମ କରୁନାହିଁ । ତାହାର ଜରୁରୀ ମରାମତି ନିମନ୍ତେ ବିଭାଗୀୟ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ଯୋଗଦେଇ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ସ୍ଲୁଇସ ଗେଟ ଗୁଡିକର ବନ୍ୟା ଜନିତ ପରିସ୍ଥିତି ଯୋଗୁଁ ତୁରନ୍ତ ମରାମତି କରାଯିବାକୁ ଦାବି କରିଥିଲେ । କାରଣ ଜିଲ୍ଲାର ସ୍ଲୁଇସ ଗେଟ ଗୁଡିକ ସଠିକ ଭାବରେ କାମ କରୁନଥିବା ବେଳେ ସେହି ବାଟଦେଇ ପାଣି ଲିକ କରୁଛି । ରାଜସ୍ୱ ମନ୍ତ୍ରୀ ଶ୍ରୀମତୀ ମଲିକ ଜଳସେଚନ ବିଭାଗ ସମେତ ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ପ୍ରଭୃତିକୁ ବନ୍ୟା ଜନିତ ପରିସ୍ଥିତିକୁ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ । ଏହି ବୈଠକରେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା, ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଞ୍ଜୟ କୁମାର ଅଗ୍ରୱାଲ, ପୂର୍ବତନ ବିଧାୟିକା ଡଃ. ସିପ୍ରା ମଲିକ, ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ, ଉପସଭାପତି ଅଶୋକ ପ୍ରତିହାରୀ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲ,ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣା,  ଜିଲ୍ଲା ପରିଷଦର ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ପଣ୍ଡା, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ନଗରପାଳ ସରିତା ସାହୁ, ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ ପ୍ରବୋଧ କୁମାର ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅନିତା ପଟ୍ଟନାୟକ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ କୁମାର ବଳିଆରସିଂହଙ୍କ ସମେତ  ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଲାଇନଡିପାର୍ଟମେର ନିର୍ବାହୀଯନ୍ତ୍ରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.