Thursday , September 29 2022
Home / ବିଶେଷ / ହୀରାକୁଦ ଜଳଭଣ୍ଡାରର ମୋଟ ୪୦ଟି ଗେଟ୍ ଖୋଲା

ହୀରାକୁଦ ଜଳଭଣ୍ଡାରର ମୋଟ ୪୦ଟି ଗେଟ୍ ଖୋଲା

ଭୁବନେଶ୍ୱର,୧୬/୦୮/୨୦୨୨(ଓଡ଼ିଶା ସମାଚାର)-ଏବେ ହୀରାକୁଦ ଜଳଭଣ୍ଡାରର ମୋଟ ୪୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଛତିଶଗଡ଼ ପଟୁ ଅଧିକ ଜଳ ପ୍ରବାହ କାରଣରୁ ଅଧିକ ଗେଟ୍ ଖୋଲିବାକୁ ଜଳସମ୍ପଦ ବିଭାଗ ନିଷ୍ପତ୍ତି ନେଇଛି ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ସୂଚନା ଦେଇଛନ୍ତି ।

ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୭ଲକ୍ଷ ୭୦ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି । ଅପରାହ୍ନ ସୁଦ୍ଧା ହୀରାକୁଦ ଜଳସ୍ତର ୬୨୬ ଦଶମିକ ୯୧ଫୁଟ ଥିଲା । ସ୍ଥିତି ଦେଖି ନିଷ୍ପତ୍ତି ନିଆଯାଉଛି । ହୀରାକୁଦର ୪୦ଟି ଗେଟ୍ ଖୋଲିଲେ ମଧ୍ୟ ବିଶେଷ ଅସୁବିଧା ହେବନାହିଁ । ପୂର୍ବରୁ ମଧ୍ୟ ହୀରାକୁଦର ୪୦ରୁ ଅଧିକ ଗେଟ୍ ଖୋଲାଯାଇଥିଲା ।

ଦୁଇ ତିନି ୩ ଦିନ ବର୍ଷା ନଥିବାରୁ ଜଳଭଣ୍ଡାରରୁ ପାଣି ଛାଡ଼ିବାରେ ଅସୁବିଧା ନାହିଁ । ଉଚ୍ଚ ମଧ୍ୟମ ଧରଣର ବନ୍ୟା ସ୍ଥିତି ହେବ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି । ହୀରାକୁଦ ପାଣି କଟକ ମୁଣ୍ଡଳୀରେ ପହଞ୍ଚିବାକୁ ୩୬ଘଣ୍ଟା ଲାଗୁଛି । ଆଗକୁ ଆଉ ଏକ ଲଘୁଚାପ ଆସୁଥିବାରୁ ଅଧିକ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।
ହୀରାକୁଦ ଜଳଭଣ୍ଡାରରୁ ଏବେ ୪୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଥିବାରୁ ମହାନଦୀରେ ବନ୍ୟାଜଳସ୍ତର ବଢ଼ିବା ଆଶଙ୍କା ରହିଛି। ସୂଚନା ଅନୁସାରେ ଡ୍ୟାମର ବାମ ପାର୍ଶ୍ବରୁ ୨୮ଟି ଓ ଦକ୍ଷିଣ ପାର୍ଶ୍ବରୁ ୧୨ଟି ଗେଟ୍ ମାଧ୍ୟମରେ ଜଳ ନିଷ୍କାସନ ଥିବା ଜାରି ରହିଛି।ମହାନଦୀରେ ବନ୍ୟାଜଳ ଆସିବା ଦ୍ବାରା ତଳିଆ ଅଞ୍ଚଳର ଲୋକଙ୍କ ପାଇଁ ଦୁର୍ଦ୍ଦଶା ବଢ଼ିଛି। ସନ୍ଧ୍ୟା ୬ଟା ସୁଦ୍ଧା ଖଇରମାଳ ଦେଇ ୮ ଲକ୍ଷ ୮୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହୋଇଥିବା ବେଳେ ପର୍ଥଲା ଦେଇ ୩ ଲକ୍ଷ ୪୧୬ କ୍ୟୁସେକ ଜଳ ପ୍ରବାହିତ ହେଉଛି। ସେହିପରି କଟକ ମୁଣ୍ଡଳି ଦେଇ ମହାନଦୀରେ ୧୨ ଲକ୍ଷ ୧ ହଜାର ୪୨୬ କ୍ୟୁସେକ ଜଳ ନିଷ୍କାସିତ ହେଉଛି।
ସୂଚନା ଅନୁସାରେ ଏବେ ହୀରାକୁଦ ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୬୩୦ ମିଟର ଥିବା ବେଳେ ଏବେ ଏଠାରେ ୬୨୬.୯୧ ଫୁଟ ଜଳ ରହିଛି। ଜଳଭଣ୍ଡାରକୁ ଏବେ ସେକେଣ୍ଡ ପିଛା ୬,୯୧,୯୫୦ କ୍ୟୁସେକ ଜଳ ପ୍ରବେଶ କରୁଛି। ଅପରପକ୍ଷେ ୬,୧୦,୦୦୩ କୁସେକ ଜଳ ନିଷ୍କାସନ କରାଯାଉଛି। ସ୍ପିଲୱେରେ ୫,୮୩,୩୪୪ କ୍ୟୁସେକ, ପାୱାର ଚେନାଲ ମାଧ୍ୟୟମରେ ୨୩,୯୮୫, ଚାଷ ପାଇଁ ୨୪୨୧ କ୍ୟୁସେକ ଜଳ ନିଷ୍କାସନ ହେଉଛି। ବିଏମସି ପାଇଁ ୨୨୦୦ କ୍ୟୁସେକ, ଏସଏମସି ପାଇଁ ୨୦୦ କ୍ୟୁସେକ, ଏସ୍ବିପି ପାଇଁ ୨୧ ଓ ଶିଳ୍ପ ପାଇଁ ୨୫୨କ୍ୟୁସେକ ଜଳ ନିଷ୍କାସନ ଜାରି ରହିଛି। ଓଡ଼ିଶା ସମାଚାର

Leave a Reply

Your email address will not be published.