Thursday , September 29 2022
Home / ସ୍ୱାସ୍ଥ୍ୟ / ଜାତୀୟସ୍ତରୀୟ   ରିୟୁମାଟୋଲୋଜି ସମ୍ମିଳନୀ-୨୦୨୨

ଜାତୀୟସ୍ତରୀୟ   ରିୟୁମାଟୋଲୋଜି ସମ୍ମିଳନୀ-୨୦୨୨

ଭୁବନେଶ୍ୱର,୧୧/୦୮/୨୦୨୨(ଓଡ଼ିଶା ସମାଚାର)-ଗଣ୍ଠିବାତ ରୋଗ ବା ମାଟିଜିମ୍ କେ କେବଳ ଗଣ୍ଠିକୁ ପ୍ରଭାବିତ କରିନଥାଏ। ସବୁ ସମୟରେ ଏଥିରେ ଅନ୍ୟ ଅଂଶ ଯେପରିକି ଚକ୍ଷୁ ମଧ୍ୟ ପ୍ରଭାବିତ ହୋଇଥାଏ। ଠିକ୍ ସମୟରେ ଏହାର ରୋଗ ନିର୍ଦ୍ଧାରଣ କରି ଚିକିତ୍ସା ଆରମ୍ଭ ନକଲେ ରୋଗୀ ଚକ୍ଷୁ ଶକ୍ତି ହରାଇବାର ସମ୍ଭାବନା ଦେଖାଦିଏ। ଗଣ୍ଠିବାତ ଚିକିତ୍ସାରେ ବ୍ୟବହୃତ ଔଷଧ ମଧ୍ୟ ଚକ୍ଷୁ ଉପରେ ବିଭିନ୍ନ କୁପ୍ରଭାବ ଦେଖାଇ ପାରନ୍ତି। ତେଣୁ ଗଣ୍ଠିବାତ ବିଶେଷଜ୍ଞ (ରିୟୁମାଟୋଲୋଜି ଡାକ୍ତର) ଏବଂ ଚକ୍ଷୁ ବିଶେଷଜ୍ଞଙ୍କ ମଧ୍ୟରେ ସମନ୍ୱୟ ମିଳିତ ଉଦ୍ୟମ ଗଣ୍ଠିବାତ ଚିକିତ୍ସା ପାଇଁ ନିହାତି ଆବଶ୍ୟକ ବୋଲି ଡାକ୍ତର ଏବଂ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଓଡ଼ିଶା ଆର୍ଥାଇଟସ୍ ଏବଂ ରିୟୁମାଟୋଲୋଜି ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଜାତୀୟ ସ୍ତରୀୟ ଡାକ୍ତର ସମ୍ମିଳନୀରେ ଦେଶର କୋଣ ଅନୁକୋଣରୁ ପ୍ରାୟ ୨୦୦ ରିୟୁମାଟୋଲୋଜି ଡାକ୍ତର ଏବଂ ଚକ୍ଷୁ ବିଶେଷଜ୍ଞ ଡାକ୍ତରମାନେ ଯୋଗଦେଇ ଗଣ୍ଠିବାତ ରୋଗରେ ଚକ୍ଷୁର ସମ୍ପୃକ୍ତି ଏବଂ ଏହାର ଆଧୁନିକ ଚିକିତ୍ସା ପଦ୍ଧତି ବିଷୟରେ ଆଲୋଚନା କରିଥିଲେ। ଏହି ସମ୍ମିଳନୀକୁ ସୋଆ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡ. ଅଶୋକ ମହାପାତ୍ର ଉଦଘାଟନ କରିଥିଲେ। ଆମେରିକା ବିଶେଷଜ୍ଞ ପ୍ର. ଜେମସ୍ ଟି ରୋଜେନବମ୍ ଏସମ୍ପର୍କରେ ନିଜର ୪୦ବର୍ଷର ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପନ କରିଥିଲେ। ଏଥିରେ ଚେନ୍ନାଇ, ମଦୁରାଇ, ହାଇଦ୍ରାବଦ ଆଦି ସ୍ଥାନରୁ ଚକ୍ଷୁ ବିଶେଷଜ୍ଞମାନଙ୍କ ସମେତ ରିୟୁମାଟୋଲୋଜି ସଂଘର ସଭାପତି ଡ. ବି ଧର୍ମାନନ୍ଦ, ସମ୍ପାଦକ ପ୍ରଫେସର ଅମନ୍ ଶର୍ମା, ଡ. ରାଜକିଶୋର, ଡ. ପ୍ରଦୀପ ଶର୍ମା ପ୍ରମୁଖ ଯୋଗଦେଇ ଗଣ୍ଠିବାତ ରୋଗର ବିଭିନ୍ନ ଚକ୍ଷୁ ସମ୍ବନ୍ଧିତ ସମ୍ପୃକ୍ତି ଏବଂ ଏହାର ନିଦାନ ବିଷୟରେ ମତ ଦେଇଥିଲେ। ଏହି ଅବସରରେ ଜାତୀୟ ସ୍ତରରେ ଖ୍ୟାତି ସମ୍ପନ୍ନ ରିୟୁମାଟୋଲୋଜି ପ୍ରଫେସର ଡ. ରାମନାଥ ମିଶ୍ରଙ୍କୁ ନିଜର ଜୀବନବ୍ୟାପୀ ଗବେଷଣା ସାଧନା ଏବଂ ଚିକିତ୍ସା ପାଇଁ ସମ୍ମାନୀତ କରାଯାଇଥିଲା। ଏହାସହ ‘କ୍ୟାଚିଂ ଇନ୍ ଆଏ ଇନ୍ ରିୟୁମାଟୋଲୋଜି’ ସ୍ମରଣିକା ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ସମ୍ମିଳନୀରେ ଓଡ଼ିଶା ଭେଷଜ ଡାକ୍ତର ମହାସଂଘ ଏବଂ ଓଡ଼ିଶା ରାଜ୍ୟ ଚକ୍ଷୁ ବିଶେଷଜ୍ଞ ମହାସଂଘ ପରିଚାଳନା ରେ ସହଯୋଗ କରିଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.